‘ତିତଲି’ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବେ ବିରୋଧୀଙ୍କ ଶିକାର…

– ପ୍ରସାଦ ରାଓ –
ଭୁବନେଶ୍ୱର,୧୬ ଅକ୍ଟୋବର: ‘ତିତଲି’ରେ ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ରାଜ୍ୟ ସରକାର ବିରୋଧୀଙ୍କ ଶିକାର ହୋଇଛନ୍ତି । ଏହି ବାତ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲରେ ୪୫ରୁ ଅଧିକ ମୃତ୍ୟୁ ଘଟି ଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଥିବା ବେଳେ ରାଜ୍ୟ ସରକାର ନିଜକୁ ୧୮ରେ ସୀମିତ ରଖିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ଆଜି ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାରେ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କରି ଥିବା ବେଳେ ବିଜେପିର ରାଜ୍ୟସ୍ତରୀୟ ନେତାଙ୍କ ସମେତ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଓ ସିପିଏମ୍ ଜାତୀୟ ସ୍ତର ନେତା ସୀତାରାମ ୟାଚୁରୀ ଭୁବନେଶ୍ୱରରେ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାର ‘ତିତଲି’ ମୁକାବିଲାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିବା ସହ ଦୁଇ ଜିଲ୍ଲାରେ ୪୫ରୁ ଅଧିକ ମୃତ୍ୟୁ ଘଟି ଥିବା ବେଳେ ସରକାର ନିଜର ଅପାରଗତାକୁ ଘୋଡାଇବା ସକାଶେ ମୃତ୍ୟୁ ସଂଖ୍ୟାକୁ ନ୍ୟୁନ କରି ଦେଖାଉଛନ୍ତି ବୋଲି ସେମାନେ କହିଛନ୍ତି । କଂଗ୍ରେସ, ସିପିଏମ୍ ଓ ବିଜେପି ପକ୍ଷରୁ ଭିନ୍ନ ଭିନ୍ନ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରାଯାଇଛି ।ତେବେ, ବିଜେଡ଼ି ଏଥିରେ ବିଚଳିତ ହେଲା ଭଳି ମନେ ହେଉ ନାହିଁ । ‘ବିରୋଧୀ ରାଜନୀତି କରୁଥା’ନ୍ତୁ, ଆମେ ଲୋକଙ୍କ ସହିତ ଅଛୁ ଏବଂ ଆମ କାମ ଆମେ କରୁଛୁ’ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ମନ୍ତବ୍ୟ ଦେଇ ବିରୋଧୀଙ୍କ ସମାଲୋଚନାକୁ ‘ଫୁ’ରେ ଉଡାଇ ଦେଇଛନ୍ତି । ବିରୋଧୀଙ୍କ ସବୁଠାରୁ ବଡ ଅଭିଯୋଗ ହେଉଛି, ବାତ୍ୟା ତାଣ୍ଡବର ଶିକାର ହୋଇଥିବା ଗଜପତି ଓ ରାୟଗଡା ଜିଲ୍ଲାରେ ସ୍ଥିତି ଏଯାବତ ସୁଧୁରି ନାହିଁ । ବାତ୍ୟାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଦୁଇ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳର କୌଣସି ପ୍ରକାର ସହାୟତା ପହଂଚି ନାହିଁ । ଅପରପକ୍ଷରେ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦାବି ହେଉଛି, ଗଜପତି ଜିଲ୍ଲାରେ ଦୀର୍ଘ ବର୍ଷ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ଆଇଏଏସ ଅଫିସର ଡ଼ି.ଭି.ସ୍ୱାମୀଙ୍କୁ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ ଦାୟିତ୍ୱ ଦିଆଯାଇଛି । ସେ ଏହି କାର୍ଯ୍ୟ କରୁଛନ୍ତି । ବାଦାନୁବାଦ ଭିତରେ ରାଜ୍ୟ ସରକାର ସୋମବାର ଦିନ ପ୍ରତ୍ୟେକ ବନ୍ୟା, ବାତ୍ୟା ଓ ବନ୍ୟା ପିଡିତ ପରିବାର ପାଇଁ ନଗଦ ଏକ ହଜାର ଟଙ୍କା ଓ ୫୦ କିଲୋ ଚାଉଳର ସହାୟତା ଘୋଷଣା କରିଛନ୍ତି, ଯାହାକି ମଙ୍ଗଳବାରରୁ ଲୋକଙ୍କ ପାଖରେ ପହଂଚିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସାମୁଦ୍ରିକ ଝଡ ‘ତିତିଲି’ ବାତ୍ୟାର ରୂପ ନେବା ପରେ ରାଜ୍ୟ ସରକାର ଓ ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମର ପହୁଂଚ୍ କେତେ, ତାହା ସ୍ପଷ୍ଟ ହୋଇଯାଇଛି । ଉଭୟ ସରକାର ଓ ଗଣମାଧ୍ୟମ ଗୋପାଳପୁରକୁ ଫୋକସ୍ କରି ରଣକୌଶଳ ପ୍ରସ୍ତୁତ କରିଥିବା ବେଳେ ‘ତିତଲି’ ସମସ୍ତଙ୍କୁ ଚକମା ଦେଇ ଓଡ଼ିଶା ଉପକୂଳ ଛୁଇଁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ବଜ୍ରପୁକୋଟ୍ଟୁରୁ (ପାଲାସା ଠାରୁ ୧୫ କିମି ଦୂର) ଠାରେ ସ୍ଥଳ ଭାଗ ଛୁଇଁ ଥିଲା । ଫଳରେ, ପାଲାସାରୁ ବିଜୟନଗରମ ପର୍ଯ୍ୟନ୍ତ ଅଂଚଳରେ କେବଳ ନୁହେଁ ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ଗଂଜାମରେ ପ୍ରବଳ ବର୍ଷା ଯୋଗୁ ଭୟଂକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗଜପତି ଜିଲ୍ଲାରେ ବାତ୍ୟାର ତାଣ୍ଡବରେ ମହେନ୍ଦ୍ରଗିରି ପର୍ବତ ଅଂଚଳରେ ମାଡି ଅତଡା ଧସି ଅନ୍ୟୁନ ୧୫ ଜଣ (ସରକାରୀ ହିସାବ ଅନୁସାରେ)ଙ୍କ ମୃତ୍ୟୁ ଘଟିଛି । ବାତ୍ୟା ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପ୍ରାରମ୍ଭରୁ ଆକଳନ କରି ଥିଲେ । ତେବେ, ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଗୋପାଳପୁର ସମୁଦ୍ର ଉପକୂଳକୁ ଆଖିରେ ରଖି କରାଯାଇଥିଲା । ବାତ୍ୟା ପୂର୍ବ ସତର୍କତା କାର୍ଯ୍ୟକ୍ରମ ମଧ୍ୟ ଏହି ଅଂଚଳକୁ ଫୋକସ୍ ରେ ରଖି ଜାରି ରହି ଥିଲା । ଉଭୟ ଓଡ଼ିଶା ସରକାର ଓ ଓଡ଼ିଆ ଗଣମାଧ୍ୟମ ଗୋପାଳପୁରକୁ ଫୋକସ୍ ରେ ରକି ପ୍ରଚାର କାର୍ଯ୍ୟ କରିଥିଲେ । ସରକାର ତୁହାକୁ ତୁହା ବୈଠକ କରି ବାତ୍ୟା ମୁକାବିଲାର ପ୍ରସ୍ତୁତି ଚଳାଇ ଥିବା ବେଳେ ‘ତିତଲି’ ଗୋପାଳପୁର ଉପକୂଳ ଡେଇଁ ଆନ୍ଧ୍ରକୁ ମାଡି ଯାଇ ଥିଲା ଏବଂ ପାଲାସା ନିକଟରେ ସ୍ଥଳ ଭାଗ ଛୁଇଁ ଥିଲା । ବୈଦ୍ୟୁତିକ ଗଣମାଧ୍ୟମର ଷ୍ଟୁଡିଓରେ ବସି ବାତ୍ୟାର ମୋଡ ସଂପର୍କରେ ଆକଳନ କରି ତଥ୍ୟ ପ୍ରଦାନ କରୁଥିବା ପାଣିପାଗ ବିଶେଷଜ୍ଞମାନେ ଏବଂ ରୋଚକ ଢଙ୍ଗରେ ତାହାର ସିଧା ପ୍ରସାରଣ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମ ସଂପାଦକମାନେ ଶେଷରେ ତୃଟିପୂର୍ଣ୍ଣ ଆକଳନ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଫାଇଲିନ୍, ହୁଡହୁଡ୍ ଭଳି ‘ତିତଲି’ ଓଡ଼ିଶା, ବିଶେଷକରି ଗୋପାଳପୁର ଠାରେ ସ୍ଥଳ ଭାଗ ଛୁଇଁ ଦକ୍ଷିଣ ଓଡ଼ିଶାକୁ ଛାରଖାର କରି ଦେବ ବୋଲି ସେମାନେ ଯାହା ଆକଳନ ଓ ପ୍ରସାରଣ କରିଥିଲେ ତାହାର ମୋଡ ଶେଷରେ ବଦଳି ଯାଇ ସେମାନଙ୍କୁ ସମାଲୋଚିତ କରିଥିଲା ।ରାଜଧାନୀବାସୀ ଗଣମାଧ୍ୟମର ଏହି ରୂପକୁ ଆଗରୁ ଚିହ୍ନନ୍ତି । ତେଣୁ, ବାତ୍ୟା ସଂପର୍କରେ ପ୍ରସାରିତ ଧାରା ବିବରଣୀକୁ ନେଇ ଶେଷ ପର୍ଯ୍ୟନ୍ତ ସନ୍ଦେହରେ ଥିଲେ । ‘ବେଂଗ ମୁତିଲେ ସହର ଭାସି ଗଲା’ ବୋଲି ପ୍ରଚାର କରୁଥିବା ଗଣମାଧ୍ୟମରେ ‘ତିତଲି’ ସଂପର୍କରେ ହେଉଥିବା ପ୍ରସାରଣକୁ ସେମାନେ ହାଲକା ଭାବେ ନେଇ ଥିଲେ । ‘ତିତଲି’ ଗୋପାଳପୁର ଠାରୁ ୨୧୦ କିମି ସମୁଦ୍ର ଭିତରେ ଥାଇ କୂଳ ଆଡକୁ ମାଡି ଆସୁଥିବା ବେଳେ ଓ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଆରମ୍ଭ ହୋଇ ଯାଇଥିବା ସମୟରେ ମଧ୍ୟ ରାଜଧାନୀ ବାସିନ୍ଦା ଗଣମାଧ୍ୟମରେ ଚାଲିଥିବା ପ୍ରଚାରର ସତ୍ୟାସତ୍ୟ ନେଇ ସନ୍ଦେହରେ ଥିବା ଦେଖିବାକୁ ମିଳି ଥିଲା । ଏହା ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମ ଓ ପାଣିପାଗ ବିଶେଷଜ୍ଞଙ୍କ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପଟେ, ‘ତିତଲି’ ଅପେକ୍ଷାରେ ଗୋପାଳପୁର ସମୁଦ୍ରକୂଳରେ ମିଡ଼ିଆର ଭିଡ଼ ଜମି ଥିବା ବେଳେ ଅତି ସନ୍ତର୍ପଣରେ ‘ତିତଲି’ ଓଡ଼ିଶା ଉପକୂଳ ଦେଇ ଆନ୍ଧ୍ର ଆଡକୁ ମାଡି ଯାଇ ଥିଲା ଏବଂ ବଜ୍ରପୁକୁଟ୍ଟୁରୁ ଠାରେ ସ୍ଥଳ ଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ରାଜଧାନୀ ବାସିନ୍ଦା ‘ତିତିଲି’ର ଆଗମନ ଓ ପ୍ରସ୍ଥାନର ସାମାନ୍ୟତମ ଆଭାସ ପାଇ ନ ଥିଲେ । ‘ତିତଲି’ ପାଲାସାରୁ ବିଜୟନଗରମ୍ ପର୍ଯ୍ୟନ୍ତ ଅଂଚଳରେ ତାଣ୍ଡବ ସୃଷ୍ଟି କରିଥିବା ବେଳେ ଓଡ଼ିଶାର ଗୋପାଳପୁର ସମୁଦ୍ର ଉପକୂଳ ତଥା ଗଂଜାମ ଜିଲ୍ଲାରେ ଏହାର ପ୍ରଭାବ ଥିଲା ସୀମିତ । ‘ତିତଲି’ ତାଣ୍ଡବରେ କନ୍ଧମାଳ ସମତେ ଦକ୍ଷିଣ ଓଡ଼ିଶାର ଗଜପତି ଓ ରାୟଗଡା ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ତେବେ, ପ୍ରଳୟଂକରି ବର୍ଷାରେ ଗଂଜାମ ଜିଲ୍ଲାର ଆସିକା, ସୋରଡା, ଭଂଜନଗର, ପୁରୁଷୋତ୍ତମପୁର, ଗଂଜାମ ପ୍ରଭୃତି ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧନ, ଜୀବନ କ୍ଷତି ଘଟାଇଛି । ଆସିକା ସହରରେ ୧୯୯୦ର ବନ୍ୟା ପରିସ୍ଥିତିକୁ ଯିଏ ଦେଖିଛି ସେ ୨୦୧୮ରେ ଏକାଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହୁଛି ।ଅନ୍ୟପକ୍ଷରେ, ଗଜପତି ଜିଲ୍ଲାରେ ‘ତିତଲି’ର ତାଣ୍ଡବ ଆଜି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣି ଆଣିଛି । ଜିଲ୍ଲାର ମୋହନା, କାଶୀନଗର ସମେତ ବ୍ୟାପକ ଅଂଚଳ ଓ ରାୟଗଡା ଜିଲ୍ଲାର ଗୁଣୁପୁର ଅଂଚଳରେ ବନ୍ୟା ଓ ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାର୍ବତ୍ୟାଂଚଳରେ ଥିବା ଦୁର୍ଗମ ଗ୍ରାମ ବାରଘରରେ ମାଟି ଅତଡା ଖସି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବାରଘର ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ବାତ୍ୟା ସଂପର୍କରେ ସେମାନଙ୍କ ନିକଟରେ କୌଣସି ଆଗୁଆ ଖବର ନ ଥିଲା । କୌଣସି ସରକାରୀ ଅଧିକାରୀ ବା ଲୋକ ପ୍ରତିନିଧି ସେମାନଙ୍କ ନିକଟରେ ପହଂଚି ନାହାନ୍ତି ବା ସେମାନଙ୍କୁ ସଚେତ କରି ନାହାନ୍ତି । ଫଳରେ, ଏତେବଡ ବିପର୍ଯ୍ୟୟ ଘଟି ମାଟି ତଳେ ଦବି ଗଲା ନିରୀହ ଜୀବନ । ଏହି ଅଘଟଣ ପରେ ମଧ୍ୟ କେହି ସେମାନଙ୍କ ନିକଟରେ ପହଂଚି ନାହାନ୍ତି । ରିଲିଫ ବା ଅନ୍ୟାନ୍ୟ ସହାୟତା ସେମାନଙ୍କୁ ମିଳି ନାହିଁ । ବାରଘର ଗ୍ରାମବାସୀଙ୍କ ଏହି ଅଭିଯୋଗ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଯଥେଷ୍ଟ ବାରୁଦ ଯୋଗାଇଛି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମରେ ବାତ୍ୟା ପୂର୍ବ ସତର୍କତା ଅଧିକ ଥିଲା । ଜିଲ୍ଲାର ସମୁଦ୍ର ଉପକୂଳ ଅଂଚଳରୁ ପ୍ରାୟ ୯୫ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ପରେ ଜିଲ୍ଲାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରଶାସନ ତତ୍ପରତା ଦେଖାଇଛି । ବନ୍ୟା ପିଡିତଙ୍କ ଉଦ୍ଧାର ଓ ସହାୟତା କାର୍ଯ୍ୟ ଦୃତ ଗତିରେ ଚାଲିଛି ।

ବିରୋଧୀଙ୍କ ଅଭିଯୋଗ ଯାହା ହୋଇ ଥାଉନା କାହିଁକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତଲି’ ପରେ ଦକ୍ଷିଣ ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିର ମୁକାବିଲାକୁ ଅଗ୍ରାଧିକାର ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସଂପଦ ବିକାଶ ମନ୍ତ୍ରୀ ନିରଂଜନ ପୁଝାରୀ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ତୁରନ୍ତ ଏକ ତିନି ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ବନ୍ୟା କ୍ଷତିଗ୍ରସ୍ତ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲା ଗସ୍ତ କରି ରିଲିଫ, ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ । ସେ ନିଜେ ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରି ପିଡିତଙ୍କୁ ତୁରନ୍ତ ୧୫ ଦିନ ପାଇଁ ରିଲିଫ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ଏସବୁ ଅଂଚଳରେ ତୁରନ୍ତ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ମଧ୍ୟ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକରେ ବନ୍ୟା ପିଡିତଙ୍କୁ (ବୟସ୍କଙ୍କୁ ଦୈନିକ ୬୦ ଟଙ୍କା, ଛୋଟ ପିଲାଙ୍କୁ ୪୫ ଟଙ୍କା) ତୁରନ୍ତ ରିଲିଫ ଯୋଗାଇ ଦେବା ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଚାରି ଜଣିଆ ପରିବାର ପାଇଁ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ସହାୟତା ଘୋଷଣା କରାଯାଇଛି । ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ୯୦ ପ୍ରତିଶତ ଅଂଚଳରେ ୪୮ ଘଂଟା ମଧ୍ୟରେ, ୧୦ ପ୍ରତିଶତ ଅଂଚଳରେ ୩ରୁ ୫ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରାଯିବା, ପ୍ରଭାବିତ ଅଂଚଳର ସମସ୍ତ ନଳକୂପ ତୁରନ୍ତ କର୍ଯ୍ୟକ୍ଷମ କରାଯିବା, ୪୮ ଘଂଟା ମଧ୍ୟରେ ସବୁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ୨୪ ଘଂଟା ମଧ୍ୟରେ ସବୁ ସହରାଂଚଳରେ ଜଳଯୋଗାଣ ସ୍ୱାଭାବିକ କରିବା, ଆବଶ୍ୟକ ହେଲେ ଜଳଯୋଗାଣ ପାଇଁ ଜେନେରେଟର ବ୍ୟବହାର କରାଯିବ ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦେଶ ଅଧିକାଂଶ ଅଂଚଳରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଂଗାବାଡ ପଂଚାୟତର ଦୁର୍ଗମ ବାରଘର ଗ୍ରାମରେ ମାଟି ଅତଡା ଖସି ୧୫ ଜଣଙ୍କ ମୃତ୍ୟୁ ଘଟଣା ‘ଏକମାତ୍ର ଦୁର୍ଭାଗ୍ୟଜନକ ଘଟଣା’ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିବା ସହ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଥାପି ବିରୋଧୀ ଦଳମାନେ ସନ୍ତୁଷ୍ଟ ନ ହୋଇ ବାରଘର ଗ୍ରାମ ସମେତ ଗଜପତି ଜିଲ୍ଲାରେ ଅଧିକ ସଂଖ୍ୟକ ମୃତ୍ୟୁ ଘଟି ଥିବା ବେଳେ ସରକାର ‘ଜିରୋ କାଜୁଆଲିଟି’ କହି ଅଧିକାଂଶ ମୃତ୍ୟୁକୁ ଦବାଇ ଦେବାକୁ ବସିଥିବା ଅଭିଯୋଗ କରିଛନ୍ତି ।‘ତିତଲି’ ତାଣ୍ଡବରେ ରାଜ୍ୟରେ ୪୫ରୁ ଅଧିକ ମୃତ୍ୟୁ ଘଟି ଥବା କଂଗ୍ରେସ ଓ ବିଜେପି ଦାବି କରୁଥିବା ବେଳେ ସରକାର ୧୮ ମୃତ୍ୟୁ ସଂଖ୍ୟାରେ କାଏମ ରହିଛନ୍ତି । ଅଧିକ ମୃତ୍ୟୁ ସଂପର୍କରେ ଯାହା ଅଭିଯୋଗ ଆସୁଛି ତାହାର ତଦନ୍ତ କରାଯାଉଛି, ତଦନ୍ତ ପରେ ବାସ୍ତବତା ଜଣାପଡିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ତଥାପି ବିରୋଧୀ ସନ୍ତୁଷ୍ଟ ନୁହନ୍ତି । ସରକାର ଓ ବିରୋଧୀଙ୍କ ଏହି ବାଦାନୁବାଦ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ‘ତିତଲି’କୁ ନେଇ ସରକାରୀ ପ୍ରସ୍ତୁତି ଥିଲା ଉପକୂଳ ଓଡ଼ିଶାରେ ସୀମିତ । ବାତ୍ୟାର ମୋଡ ବଦଳି ଗଲା ଓ ସରକାର ତାହାକୁ ସମ୍ଭାଳି ପାରିଲେ ନାହିଁ । ବିରୋଧୀ ଏହାର ସୁଯୋଗ ନେଇ ସରକାରଙ୍କୁ ଘେରୁଛନ୍ତି । ଯେଉଁ ସମୟରେ ପିଡିତଙ୍କୁ ପ୍ରାଥମିକତା ଭିତ୍ତିରେ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବିରୋଧୀ ମୃତ୍ୟୁ ସଂଖ୍ୟାକୁ ନେଇ ସରକାରଙ୍କୁ ଘେରି ସମୟର ଅପଚୟ କରୁଛନ୍ତି । ବିରୋଧୀଙ୍କ ପାଇଁ ଏହା ରାଜନୈତିକ ବାଧ୍ୟବାଧକତା ହୋଇପାରେ । କିନ୍ତୁ, ୨୦୧୯ ନିର୍ବାଚନ ପାଇଁ ବିଶେଷ ସହାୟକ ହେବ ନାହିଁ ।