ଡେରାଡୁନରୁ ଦିଲ୍ଲୀ ପହଞ୍ଚିଲା ଦେଶର ପ୍ରଥମ ଜୈବିକ ଇନ୍ଧନରେ ଉଡିପାରୁଥିବା ବିମାନ

ନୂଆଦିଲ୍ଲୀ: ଦେଶର ବିମାନ ଚଳାଚଳ କ୍ଷେତ୍ରରେ ନୂଆଁ କ୍ରାନ୍ତିର ଆରମ୍ଭ ହୋଇଛି | ସୋମବାର ପ୍ରଥମ ଥର ପାଇଁ ଜୈବିକ ଇନ୍ଧନରେ ଉଡିପାରୁଥିବା ଉଡାଜାହାଜ ଡେରାଡୁନରୁ ଦିଲ୍ଲୀ ପହଞ୍ଚିଛି | ସ୍ପାଇସ ଜେଟର ଏକ ବିମାନରେ ଏହି ପରୀକ୍ଷଣ କରାଯାଇଛି | ଏହାର ସଫଳ ପରୀକ୍ଷଣ ଦ୍ୱାରା ଭାରତ ଏବେ ଏ କ୍ଷେତ୍ରରେ ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶର ସମକକ୍ଷ ହୋଇ ପାରିଛି |

ସ୍ପାଇସ ଜେଟ ଜୈବିକ ଜାଳେଣୀଯୁକ୍ତ ଟରବୋପ୍ରପ ଏୟାରକ୍ରାଫ୍ଟ Q400 ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା ଏବଂ ଆଇଜିଆଇ ଟର୍ମିନାଲ 2ରେ ଅବତରଣ କରିଥିଲା | ଏହି ବିମାନରେ 75% ଏଭିଏସନ ଟରବାଇନ ଫୁଏଲ ଏବଂ 25% ବାୟୋ ଫୁଏଲ ବ୍ୟବହାର କରାଯାଇଛି | ଏହି ବିମାନରେ 20% ଉଡାଣ ଖର୍ଚ୍ଚ କାମ ପଡିବ | ଏହା ଦ୍ୱାରା ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ |

ଡେରାଡୁନ ଠାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ଏସ ରାଉତ ଏହି ଡେମୋ ବିମାନକୁ ପତାକା ଦେଖାଇବା ପରେ ଉଡାଣ ଆରମ୍ଭ କରିଥିଲା | ବିମାନ ଦିଲ୍ଲୀରେ ପହଂଚିବା ଅବସରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ |