ଡ଼ୁରାରେ ବିଜେପିର “ମହିଳା ସ୍ୱାଭିମାନ ସଭା” ଅନୁଷ୍ଠିତ

ଗୋପାଳପୁର(ସମୃଦ୍ଧ ଓଡିଶା)ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରାପଲ୍ଲୀ ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ମୋନିକା ପ୍ରହରାଜଙ୍କ ସଭାପତିତ୍ବରେ “ମହିଳା ସ୍ୱାଭିମାନ ସଭା” ଡୁରା ସ୍ଥିତ ମୁକ୍ତେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି “ମହିଳା ସ୍ୱାଭିମାନ ସଭା” କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ବର୍ତ୍ତମାନ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରେ ପାରିତ ହୋଇଯାଇଛି । ନରେନ୍ଦ୍ର ମୋଦି ସରକାରଙ୍କ ଏହା ଐତିହାସିକ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ ବଳରେ ମହିଳାଙ୍କୁ ରାଜନୈତିକ ଏବଂ ସାମାଜିକ ନ୍ୟାୟ ମିଳିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା କହିଥିଲେ । ଏଣୁ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀ ଅବସରରେ “ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା” ଆରମ୍ଭ ହୋଇଛି । କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ,ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା,ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଏହି ଯୋଜନା ଅନୁପ୍ରାଣିତ ହୋଇଛି । ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ବିଶ୍ୱକର୍ମା ଯୋଜନାରେ ସାମିଲ ହେବା ନେଇ ମହିଳା ମାନଙ୍କୁ ଆଜି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଚେତନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ଗୋପାଳପୁର ବିଧାନସଭା ପ୍ରଭାରୀ ବାଳକୃଷ୍ଣ ସାମନ୍ତରା, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ, ବର୍ଷା ବିଦ୍ୟୁସ୍ମିତା ପାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କରାପଲ୍ଲୀ ମଣ୍ଡଳ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମଧୁସ୍ମିତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା