ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର କର୍ମକର୍ତ୍ତାଙ୍କୁ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର କର୍ମକର୍ତ୍ତାଙ୍କ ସହିତ ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ୱାଇଫର୍ମ ଓ ଜିଏସ୍‌ଟି ଆଳରେ ପୋଲିସ ଓ ପ୍ରଶାସନର ମନଇଛା ଚଢଉ ଓ ମାତ୍ରାଧିକ ଜରିମାନା ଆଦାୟ ବିଷୟକୁ ନେଇ ଦୀର୍ଘ ୧୫ ଦିନ ହେଲା ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର ଆନ୍ଦୋଳନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲୁ ରହିଥିଲା । ଏଥିଯୋଗୁଁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବାଧା ପ୍ରାପ୍ତ ଉପୁଜିଥିବାରୁ ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର କର୍ମକର୍ତ୍ତାଙ୍କ ସହିତ ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଗତକାଲି ଅନୁଷ୍ଠିତ କରାଯାଇଥିଲା । ଏଥିରେ ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋଚନା ହେବା ପରେ ଉପଜିଲ୍ଲାପାଳଙ୍କ ବିଭିନ୍ନ ପ୍ରତିଶୃତି ମିଳିବା ପରେ ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ । ଡିସେମ୍ବର ୧୯ ତଥା ଶନିବାର ଠାରୁ ସମସ୍ତ ଗାଡି ଚଳାଚଳକୁ ସ୍ୱାଭାବିକ କରାଯିବ ବୋଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟ୍ରକ୍‌, ଟିପର ଓ ଟ୍ରାକ୍ଟର ସଂଘର କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ବାଲି ଓ ମୋରମ ପରିବହନ ନିମନ୍ତେ ଆବଶ୍ୟକ ଅନୁଯାୟୀ ୱାଇଫର୍ମ ଲିଜ୍‌ଧାରୀଙ୍କୁ ପ୍ରଦାନ କରାଯିବ । ବିଭିନ୍ନ ସଇରାତ ଠାରୁ ଗାଡି ଚାଳକମାନେ ଲିଜ୍‌ଧାରୀଙ୍କ ଠାରୁ ଏହି ଫର୍ମ ଗ୍ରହଣ କରିବା ବାଧ୍ୟତାମୂଳକ ରହିଛି । ଏଥିସହ ୱାଇଫର୍ମ ଗ୍ରହଣ କରିବା ପରେ ଗଞ୍ଜାମ ଜିଲ୍ଲାର ଯେ କୌଣସି ଅଞ୍ଚଳକୁ ମଧ୍ୟ ପରିବହନ କରିବାରେ କୌଣସି ଅସୁବିଧା ନାହିଁ । ଏଥିଲାଗି କୌଣସି କଟକଣା ରହିବ ନାହିଁ । ସରକାର ତଥା ଜିଲ୍ଲା ପ୍ରଶାସନର ସମସ୍ତ ନିୟମକୁ କଡାକଡି ପାଳନ କରି ପରିବହନ କରୁଥିବା ଯାନବାହନକୁ ଯଦି କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡେ ତେବେ ସଂପୃକ୍ତ ତହସିଲଦାର ନଚେତ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ କହିଥିଲେ । ସଂଘର ଅଭିଯୋଗ କ୍ରମେ ସମସ୍ତ ନିୟମ ଥିବା ସତ୍ୱେ ପୁଲିସର ଚଢଉ କରୁଥିବା ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଗଞ୍ଜାମ ଓ ବ୍ରହ୍ମପୁର ଏସପିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ସେହିପରି ସରକାରୀ ନିୟମ ମଧ୍ୟରେ ସଂଘ ପରିବହନ କରିବା ନିମନ୍ତେ ଲିଜ୍‌ଧାରୀଙ୍କ ଜରିଆରେ ସଚେତନତା କରାଯିବ । ମାସର ୨ ଥର ଲିଜ୍‌ଧାରୀଙ୍କୁ ଏଦିଗରେ ତହସିଲଦାରମାନେ ବୈଠକ ଡାକି ଆଲୋଚନା କରିବେ । ଲିଜ୍‌ଧାରୀଙ୍କ ସହ ସଂଘର ସଦସ୍ୟମାନେ ଉତ୍ତମ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ ସୁରୁଖୁରରେ ପରିଚାଳନା କରିବାକୁ ହେବ । ୨୦୨୧ ମାର୍ଚ୍ଚ ମାସ ଠାରୁ ଯେଉଁ ସଇରାତ ଗୁଡିକ କାର୍ଯ୍ୟକ୍ଷମ ହେବ ସେଥିରେ ଲିଜ୍‌ଧାରୀଙ୍କ ଠିକଣା ସହ ଫୋନ୍ ନମ୍ବର ଏବଂ କେତେ ମାତ୍ରାରେ ସଇରାତ ଖନନ ହେବ କେତେ ବର୍ଷ ଏବଂ କେତେ ଟଙ୍କାରେ ଲିଜ୍ ନେଇଥିବା ସମସ୍ତ ବିଷୟ ରହି ସାଇନ୍‌ବୋର୍ଡ ରହିବ । ଏଣୁ ସଂଘର ସଦସ୍ୟମାନେ ସଦାବେଳେ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହି ସରକାର ତଥା ଜିଲ୍ଲା ପ୍ରଶାସନର ନିୟମ ଆଧାରରେ ଲଘୁ ଖଣିଜ ଦ୍ରବ୍ୟ ପରିବହନ କରିବାକୁ ହେବ । ଏହାପରେ ଯଦି କୌଣସି ଅସୁବିଧା ହେଲେ ସଂଘର ସଦସ୍ୟମାନେ ପ୍ରଶାସନ ଠାରେ ସେମାନଙ୍କ ସମସ୍ୟାକୁ ଜଣାଇପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ବୈଠକରେ ଯୋଗଦେଇଥିବା ସମସ୍ତ ସଂଘର ସଦସ୍ୟମାନେ ଉପଜିଲ୍ଲାପାଳଙ୍କ କଥାରେ ସନ୍ତୋଷଜନକ ହୋଇ ପ୍ରଶଂସା କରିବା ସହ ଆଜିଠୁ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମା’ତରାତାରିଣୀ ମନ୍ଦିର ଚାଲିଥିବା ମା’ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ପ୍ରଥମେ ବାଲି ଓ ମରମ ପରିବହନ କରି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ବ୍ରହ୍ମପୁର ଟ୍ରକ୍ ଓ ଟିପ୍ପର ସଂଘର ସଭାପତି ସନ୍ତୋଷ ସ୍ୱାଇଁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ଛତ୍ରପୁର ମା’ଉଜ୍ଜ୍ୱଳେଶ୍ୱରୀ ଟିପର ଓ ଟ୍ରାକ୍ଟର ସଂଘର ସଭାପତି କେ.ଚନ୍ଦ୍ରଶେଖର ରେଡ୍ଡୀ, ମା’କାମାକ୍ଷୀ ଟ୍ରକ୍ ସଂଘର ସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଖଲ୍ଲିକୋଟ ଟ୍ରକ୍ ଓ ଟିପର ସଂଘର ସଭାପତି ଚନ୍ଦ୍ରମଣୀ ରାଉତ, କରାପଲ୍ଲୀ ଟ୍ରକ୍ ଓ ଟିପର ସଂଘର ସଭାପତି ସୂର୍ଯ୍ୟନାରାୟଣ ସାହୁଙ୍କ ସମେତ ଅନ୍ୟାନ୍ୟ ସଂଘର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା