ଜୈବ ବିବିଧତା ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜୈବ ବିବିଧତା ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ସୂଚନା ଯୋଗ୍ୟ ଯେ, କରୋନା ମହାମାରୀର ଯନ୍ତ୍ରଣା ମଧ୍ୟରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ପ୍ରକୃତିର ଅବକ୍ଷୟ ହିଁ ଏହି ମହାମାରୀ ପାଇଁ ମୁଖ୍ୟ କାରଣ ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି I ବୃକ୍ଷର ଅଭାବ ଯୋଗୁଁ ଦିନକୁ ଦିନ ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜୈବ ବିବିଧତା ଦିବସ ଅବସରରେ ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା I ଏଥିରେ ଛତ୍ରପୁର, ଖଲ୍ଲିକୋଟ ଏବଂ ଗଞ୍ଜାମ ବ୍ଳକ୍ ର ସମସ୍ତ ସିଆରସିସି ଅଂଶ ଗ୍ରହଣ କରିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜ୍ ସମ୍ବଳ ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଜୈବ ବିବିଧତାର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ସହ ସିଆରସିସି ମାନେ ଏହାର ଦାୟିତ୍ୱ ନେବା ପାଇଁ ବିଇଓ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ I ଏହି ଅବସରରେ ସିଆରସିସି ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ଗୁଡ଼ିକରେ ଇକୋ କ୍ଳବ୍ ଗଠନ ଏବଂ ବିଦ୍ୟାଳୟ ଶିକ୍ଷାରେ ଏହାକୁ ସାମିଲ୍, ବିଦ୍ୟାଳୟରେ ଅଧିକରୁ ଅଧିକ ବୃକ୍ଷରୋପଣ, ବିଦ୍ୟାଳୟରେ ଇକୋ କ୍ଳବ୍ ସମ୍ପର୍କିତ ବିଭିନ୍ନ ଦିବସ ପାଳନ, ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁ୍ଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଏବଂ ସମ୍ମାନ ପ୍ରଦାନ ଭଳି ପ୍ରମୁଖ ବିଷୟରେ ଆଲୋଚନା କରିଥିଲା I କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସିଆରସିସି ମାନଙ୍କ ଭୂମିକାକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ, ସହ ଶୈକ୍ଷିକ ଏବଂ ପରିବେଶକୁ ସଜାଡ଼ିବା ଦିଗରେ ଇକୋ କ୍ଲବ୍ ଗଠନକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏହାର ସୁପରିଚାଳନା, ଇକୋ କ୍ଲବ୍ ପାଇଁ ଆସୁଥିବା ବିଭିନ୍ନ ପାଣ୍ଠିର ସୁବିନିଯୋଗ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜନ ସାଧାରଣଙ୍କ ସହଭାଗୀତାରେ ଇକୋ କ୍ଲବ୍ ର ପ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ପରିବେଶ ସୁରକ୍ଷା ସମ୍ଵନ୍ଧୀୟ ଅନ୍ୟାନ୍ୟ ବିଭାଗ ସହିତ ବିଦ୍ୟାଳୟ ଇକୋ କ୍ଳବ୍ ର ସମନ୍ୱୟ ରକ୍ଷା କରି ପାରିଲେ ବିଦ୍ୟାଳୟରେ ସୁସ୍ଥ ବାତାବରଣ ସୃଷ୍ଟି ଦିଗରେ ଇକୋ କ୍ଲବ୍ ଗୁଡିକ ନିଶ୍ଚିତ ସଫଳ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା  I ପରିଶେଷରେ ଉପସ୍ଥିତ ସିଆରସିସି ଏବଂ ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଏବଂ ଜନ ସାଧାରଣଙ୍କୁ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ବେଶ ସହାୟକ ହୋଇ ପାରିବ ବୋଲି ପ୍ରକାଶ କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ବିଇଓ ଶ୍ରୀ ଶତପଥୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I