ଜୀବନ ବ୍ୟତିକ୍ରମ

“ଶାସ୍ତ୍ରରେ ଅଛି ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା” ଅର୍ଥାତ୍ ପୁତ୍ର ସନ୍ତାନ ନିମନ୍ତେ ବିବାହ ଅନୁଷ୍ଠାନ ହୁଏ, ମାତ୍ର ଆମ ଆଖିକୁ ସିନା ଅନ୍ଧପୁଟୁଳି ମାଡିବସିଛି,ନଚେତ୍ ପୁତ୍ର କନ୍ୟା ମଧ୍ୟରେ ସେମିତି କିଛି ପାର୍ଥକ୍ୟନାହିଁ କି ନଥିଲା ମଧ୍ୟ କେବେହେଲେ।ସେତିକି ନୁହେଁ ଆଜିକାର ସଂସାରରେ କନ୍ୟା ବେଶୀ ନିଜର ହୋଇପାରୁଛି ପିତା ମାତାଙ୍କର।ପୁଣି ଏ ପୁରୁଷ ପ୍ରଧାନ ସମାଜର ମୁଖିଆମାନେ ଲେଖିଦେଇ ଯାଇଛନ୍ତି,ପୁତ୍ ନାମକ ନର୍କରୁ ରକ୍ଷାକରିବ ପୁତ୍ର । ସତ କହିବାକୁ ଗଲେ ସେମିତି କିଛି ନର୍କନାହିଁ କି କୋଉ ପୁତ୍ରମାନେ ପିତାମାତାଙ୍କୁ ସେହି ନର୍କରୁ ରକ୍ଷା କରିବାର ନଜିର ନାହିଁ ଆଜିପର୍ଯ୍ୟନ୍ତ।ଏତିକି ଥାଉ ନହେଲେ ଆମ ପୁରାଣ ଶାସ୍ତ୍ରକାର ମାନେ ବାଡେଇବାକୁ ବାହାରିବେ !ସିଏ ଯାହା ହେଉ ଏଇ ଅଗଷ୍ଟ ପ୍ରଥମ ସପ୍ତାହରେ ଏଇ ପ୍ରସଙ୍ଗରେ ଏକ ଶକ୍ତ ଉଦାହରଣ ଦେଖାଇଛନ୍ତି,ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର କୁକୁଟେଶ୍ଵର ମନ୍ଦିର ନିକଟରେ ଭଡ଼ାରେ ରହୁଥିବା ପ୍ରାୟ ୭୦ଵର୍ଷିୟ ଅର୍ଜୁନ ବେହେରା । ଅର୍ଜୁନ ବେହେରା,ଛୋଟିଆ ଚାକିରୀଟିଏ କରିଥିବା ଜଣେ ସରକାରୀ କର୍ମଚାରୀ, ସେଥିରେ ପୁଣି ନିଜକୁ ଓ ପତ୍ନୀଙ୍କୁ ମିଶାଇ ୮ ପ୍ରାଣୀ କୁଟୁମ୍ବର ସଂସାର।ଆଜିକାର ନହେଲେ ମଧ୍ୟ ଏ ମହର୍ଗ ଯୁଗରେ ୬ଟି ସନ୍ତାନ(୩ଟି ପୁଅ ଓ ୩ଟି ଝିଅ)ଙ୍କୁ ସମ୍ଭାଳିବା,ବଢାଇ କୁଢାଇ ମଣିଷ କରିବା କିଛି କମ୍ କଥା ନୁହେଁ। ସେମାନଙ୍କ ଖାଇବା ପିଇବା, ପାଠପଢ଼ା, ଭଲମନ୍ଦ, ବେଶପୋଷାକ, ଦେହ ମୁଣ୍ଡ, କୁଣିଆ ମଇତ୍ର ସହିତ ଅନ୍ୟାନ୍ୟ ଅନେକ କଥା ଅଛି ସଂସାରରେ ସେଇ ସ୍ବଳ୍ପ ଦରମାରେ ଭୁବନେଶ୍ୱରଭଳି ଜାଗାରେ ଅର୍ଜୁନ ଓ ପତ୍ନୀ ପଦ୍ମାବତୀ ପିଲାମାନଙ୍କୁ ବହୁ କଷ୍ଟରେ ମଣିଷ କଲେ,ତାଙ୍କ ସମ୍ବଳକୁ ଚାହିଁ ପାଠପଢାଇଲେ,ମଣିଷ କରି ସେମାନଙ୍କୁ ନିଜ ଗୋଡ଼ରେ ଠିଆ କରାଇଦେଲେ,କୌଣସି କଥାରେ ଅଣହେଳା କରିନଥିଲେ ପିଲାମାନଙ୍କର ।ଟିକେ ଚିନ୍ତା କରନ୍ତୁ ଆଜିକା ଦୁନିଆରେ ଛ ଛ ଟା ପିଲାଙ୍କୁ ମଣିଷ କରିବା କେତେ କଷ୍ଟ ! ପୁରାଣ ଯୁଗରେ ସିନା କୌରବଙ୍କର ଶହେ,ପାଣ୍ଡବଙ୍କର ୫,ଏବର କଳିଯୁଗରେ ମଧ୍ୟ ଦିନ ଥିଲା କାହାର ୧୦/୧୨/୧୮ ପିଲାଙ୍କୁ ନେଇ ସଂସାର ଚଳାଉ ଥିଲେ, ହେଲେ ଆଜିକାଲି ତ ଗୋଟେ ନ ହେଲେ ଅଧରେ କାମ ଚଳାଇ ଦେଉଛନ୍ତି । ଛ ଛଟା ପିଲାଙ୍କର ବହି, ଖାତା, ୟୁନିଫର୍ମ, ରୋଗ ବୈରାଗ, ଭଲମନ୍ଦ ସବୁ ଛୋଟ ଚାକିରୀର ଅଳ୍ପ ଦରମାରେ ଚଳାଇବା ଏତେ ସହଜ ନୁହେଁ । ତଥାପି ଅର୍ଜୁନ ଓ ପଦ୍ମାବତୀ ଛୋଟ ଚାକିରୀର ଛୋଟ ପଣତରେ ସମସ୍ତଙ୍କୁ ଭଲରେ ପାଳିପୋଷି ମଣିଷ କରିଥିଲେ,ଡେଣା ଲାଗିବାପରେ ପକ୍ଷୀଉଡି ଶିଖିଲା ଓ ଧୀରେ ତା’ର ନିଜ ବସା ବାନ୍ଧିବାକୁ ଲାଗିଲା ।ଝିଅମାନେ ବାହାଘର ପରେ ଯେ ଯାହାର ସଂସାରରେ ବ୍ୟସ୍ତ ରହିଲେ,ପୁଅମାନେ ମଧ୍ୟ ଵାହାସାହା ହୋଇ ଯେ ଯାହାର ସଂସାରପାଇଁ ଅଲଗା ଅଲଗା ବସା ତିଆରି କଲେ ।ନିଜ ନିଜ ସଂସାରରେ ବ୍ୟସ୍ତ ରହି ପୁଅ ଝିଅମାନେ ବାପା ମା’ଙ୍କୁ ଭୁଲିଗଲେ,ଜନ୍ମକଲା ବାପା ମା’ ଯେ କେମିତି ଅଛନ୍ତି ସେ କଥା ପାଶୋରି ଦେଲେ ।ଝିଅ ସିନା ପରଘରି ହୋଇଗଲା,ପୁଅମାନେ ମଧ୍ୟ ନିଜ ଦାୟିତ୍ୱ/କର୍ତ୍ତବ୍ୟ ସବୁ ଭୁଲିଗଲେ,ଦିନେ ବାପା ମା’ଙ୍କ କଥା ମନେ ପକାଇଲେ ନାହିଁ । ମନେ ପକାଇଲେ ନାହିଁ,ସିଏ ହେଲେ ଚଳିବ,ବାପା ମା’ଙ୍କୁ ଜବରଦସ୍ତ ଅଲଗାକରି ଦେଲେ ତିନିପୁଅ, ଭାଗକରି ବାପା ମା’ଙ୍କୁ ପାଖରେ ରଖିବାକୁ ପ୍ରସ୍ତାବ ଦେଲେ, ତା’ପୁଣି ସ୍ବେଛାରେ ନୁହେଁ,ସେଇ ସ୍ବଳ୍ପ ପେନସନ୍ ଗଣ୍ଡାକ ଲୋଭରେ ।ସମସ୍ତଙ୍କ ଆଖିରେ ଲହଲହ ହେଲା ସେଇ ସ୍ବଳ୍ପ ପେନସନ୍ ଗଣ୍ଡାକ।ଯେତେ କମ୍ ହେଲେ ମଧ୍ୟ ଉପୁରୀ ପଇସାନାଁ, ଲୋଭ କେମିତି ଛାଡ଼ି ଦେବେ ? ଇଏ କହିଲା ମୁଁ ନେବି,ସିଏ କହିଲା ମୁଁ ନେବି,ମଝିରେ ବୁଢ଼ାବୁଢ଼ୀ ଭକୁଆ । ଏମିତି ହେଲା ସେଇ ପେନସନ୍ ନ ଦେବାରୁ ବୁଢ଼ାବୁଢ଼ୀଙ୍କୁ ବିଭିନ୍ନ ନିର୍ଯ୍ୟାତନା ସହିବାକୁ ପଡିଲା,ଇଆଡ଼େ ପେନସନ୍ ଗଣ୍ଡାକ ଦେଇ ଦେଇଥିଲେ ସେମାନେ ଚଳିଥାନ୍ତେ କିପରି ପରିସ୍ଥିତି ଏପରି ହେଲା,ପିଲାମାନେ ତ ପଚାରିଲେନି ବାପା ମା’ କେମିତି ଚଳୁଛନ୍ତି ବୋଲି ଓଲଟା ମାଡଗାଳି ଖାଇଲେ ପିଲାମାନଙ୍କଠୁ ପେନସନ୍ ଟଙ୍କା ନଦେବାରୁ !୨୦୧୮ରୁ ଏକଥା ଚଳି ଆସିଲା, ବେଳକୁ ବେଳ ଅବସ୍ଥା ଅସମ୍ଭାଳ ହେଲା,ଦିନେ ପଦ୍ମାବତୀ ସ୍ବାମୀଙ୍କୁ କହିଲେ ଏମିତି ପିଲାଙ୍କର ମୁହଁ ଚାହିଁବାନି କି,ତାଙ୍କଠୁ ଜଳସ୍ପର୍ଶ ମଧ୍ୟ କରିବା କଥାନୁହେଁ।କୋର୍ଟରେ ଗୋଟିଏ ଲେଖାଇଦିଅ ସେମାନେ ଆମ ମୁହଁରେ ନିଆଁ ଦେବେ ନାହିଁ କି ଆମର ମଲାକର୍ମରେ ଯୋଗ ଦେବେ ନାହିଁ । ପରିସ୍ଥିତି ଦୁର୍ବିସହ ହୋଇପଡିବାରୁ ୨୦୨୦ ନଭେମ୍ବର ୨୦ରେ ଅର୍ଜୁନ ବେହେରା ଭୁବନେଶ୍ୱର ନୋଟାରୀରେ ଏପରି ଗୋଟିଏ ଆଫିଡିଭିଟ କରାଇ ଦେଲେ ଅର୍ଜୁନ ଓ ପତ୍ନୀ ପଦ୍ମାବତୀ ଭୁବନେଶ୍ୱର ଏୟାରଫିଲ୍ଡ ଅଞ୍ଚଳର କୁକୁଟେଶ୍ଵର ମନ୍ଦିର ନିକଟରେ ଏକ ଭଡାଘରେ ରହୁଥିଲେ,ଗତ ଅଗଷ୍ଟ ୨ ତାରିଖରେ ପଦ୍ମାବତୀଙ୍କର ଦେହାବସାନ ହୋଇଗଲା ।୩ତାରିଖରେ ଅର୍ଜୁନ ପତ୍ନୀଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଥିଲେ ଶବଦାହ ସକାଶେ ।କୌଣସିପ୍ରକାର ଖବର ପାଇ ତାଙ୍କ ପିଲାମାନେ ସ୍ଵର୍ଗଦ୍ଵାରରେ ପହଞ୍ଚିଲେ,ମାତ୍ର ପିତା ଅର୍ଜୁନ କରିଥିବା ଆଫିଡିଭିଟଟି ଦେଖିବାପରେ ନିରାଶ ହୋଇ ଫେରି ଆସିଲେ,ଅନ୍ତ୍ୟେଷ୍ଟି କ୍ରୀୟାରେ ମଧ୍ୟ ଯୋଗ ଦେଇ ପାରିଲେ ନାହିଁ।ଉଲ୍ଲେଖଯୋଗ୍ୟ ପଦ୍ମାବତୀଙ୍କ ମରଶରୀରେ ଆମ ସନାତନ ହିନ୍ଦୁ ଧର୍ମାନୁଯାୟୀ ତାଙ୍କର ଭଣଜା ଅଗ୍ନି ସଂଯୋଗ କରିଥିଲେ ବା ତାଙ୍କ ମୁହଁରେ ନିଆଁ ଦେଇଥିଲେ । ଟିକେ ଗଭୀରେଇ ଚିନ୍ତାକଲେ ସେତିକି ନ ବାଧିଲେ ଏମିତି କାର୍ଯ୍ୟ କୋଉ ବାପାମା’ କରିବେ ବା କରିପାରିବେ ଭଲା !ସେମାନେ ପରା ଜନ୍ମ ଦେଇଛନ୍ତି,ମା’ ଯିଏ ଅନ୍ତଫାଡି ଜନ୍ମ ଦେଇଥାଏ ତା’ ତୁଣ୍ଡରୁ ଏଭଳିକଥା ବାହାରିଲା କାହିଁକି,ସେତିକି ବାଧିବାରୁ ସିନା !ଯୋଉ ବାପା ମା’ ତୁମକୁ ଏଡେଟିଏରୁ ଏଡୁଟିଏ କଲେ,ତମର ଲକ୍ଷେ ଅଳି ଅର୍ଦ୍ଦଳି ସମ୍ଭାଳି ତମକୁ ସଂସାରରେ ମଣିଷ କଲେ,ହାତଧରି ଚାଲି ଶିଖାଇଲେ,କଥା କହିବା ଶିଖାଇଲେ,ରାତି ରାତି ଅନିଦ୍ରା ରହି ତମର ଦେହ ମୁଣ୍ଡର ନଜର ରଖିଲେ,ସେଇ ବାପା ମା’ଙ୍କୁ ତମେ ପର କରିଦେଲ !କେତେଟା ଦୁର୍ଲଭ ମଣିଷ ଜନ୍ମ ପାଇଲେ ତାଙ୍କ ଋଣ ସୁଝିପାରିବ !ସଂସାରରେ ପଇସା ଦେଲେ ସବୁକିଛି ମିଳିବ କେବଳ ବାପା ମା’ଙ୍କୁ ଛାଡି,ଆଉ ମୁଣ୍ଡ ବାଡେଇଲେ ମଧ୍ୟ ମା’ଭଳି ଜିନିଷ ମିଳିବେ କି ସେଇ ଅଧମ ସନ୍ତାନମାନଙ୍କୁ।ଗୁରୁ ପିଲାଙ୍କୁ ପଢ଼ାନ୍ତି,ପିତା ମାତା ହେଲେ ପ୍ରଥମ ଓ ଜୀବନ୍ତ ଭଗବାନ,କୋଉ ମନ୍ଦିର/ଦେଵସ୍ଥାନ ନଗଲେଚଳିବ,ଯଦି ପିତାମାତାଙ୍କର ଠିକରେ ଦେଖା ଚାହାଁ କରୁଥିବ,ସେମାନଙ୍କଠି ଲୟ ରଖିଥିବ !ଏମିତି ଅନେକ ଘଟଣା ଆଜିକାର ଦୁନିଆରେ ଦେଖାଗଲାଣି,ସେଥିରୁ ଗୋଟିଏ ମନେପଡୁଛି, ହସ୍ପିଟାଲରେ ରୋଗଶଯ୍ୟାରେ ପଡ଼ିଥିବା ମା’ଙ୍କୁ ଦେଖିବାକୁ ଆସିପାରିଲେ ନାହିଁ ଜୀବିତ ଥିବା ବୟସ୍କ ୩ ସନ୍ତାନ ମଧ୍ୟରୁ ଜଣେ ହେଲେ,ମାତ୍ର ଶ୍ମଶାନଘାଟକୁ ଆସିଥିଲେ, କାରଣ ହସ୍ପିଟାଲରେ ଦେଖାଶୁଣା କରିବାକୁ ପଡ଼ି ଥାନ୍ତା,ଟଙ୍କାପଇସା ଖର୍ଚ୍ଚହୋଇଥାନ୍ତା ।କଥାରେ ଅଛି,”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।” ବର୍ତ୍ତମାନର ଆମେ ଯୋଉ ଚାଣ୍ଡାଳିଆ(ସମସ୍ତେ ନୁହଁନ୍ତି)ପିଢି ଆମ ଜନ୍ମକଲା ବାପା ମା’ଙ୍କୁ ତ ପଚାରୁନେ,ତା’ ସହିତ ଆମ ସମସ୍ତଙ୍କୁ ଧାରଣ କରିଥିବା ବାପା ମା’,ବାୟୁ,ପାଣି,ମାଟି ସବୁକୁ ଧ୍ୱଂସ କରିବାକୁ ବସିଛେ ଆମ ଅଵିଵେକୀ,ଅଵିମୃଶ୍ୟକାରୀତା ହେତୁରୁ ! ମାତ୍ର ଆମ ଦେଶରେ ସେହି ମହାନ ପରିବାର ତନ୍ତ୍ର ଧୀରେ ଧୀରେ ଭୁଷୁଡି ପଡିବାଭଳି ପ୍ରତୀୟମାନ ହେଉଛି,ଆମେ ସେଇ ବ୍ରିଟିଶମାନେ ବା ପାଶ୍ଚାତ୍ୟବାଲା ଯାହା କରୁଥିଲେ ସେଇଆ କରିବାକୁ ଆଗ୍ରହ ହେଉଛେ,ମାତ୍ର ସେମାନେ ଓଲଟି ଆମସଭ୍ୟତା, ସଂସ୍କୃତିକୁ ଆପଣେଇନେବାକୁଆଗ୍ରହୀ।ଆମରwesternisation ବା ପାଶ୍ଚାତ୍ୟକରଣ ହେଲା ବେଳେ ସେମାନେ eastrnisation ବା ପ୍ରାଚ୍ୟମୁଖା ହେଉଛନ୍ତି।ବେଳ ଥାଉ ଥାଉ ଆମେ ସାବଧାନ ହୋଇଯିବା ଉଚିତ୍,ଆମର ମହାନ ଭାରତୀୟ ସନାତନ ହିନ୍ଦୁ ସଭ୍ୟତା/ସଂସ୍କୃତି,ପରମ୍ପରା,ଚଳଣି,ଆମ ପରିବାରବାଦ,ଆମ ବାପା ମା’, ପୂଜା ପଦ୍ଧତି, ପର୍ବ ପର୍ବାଣୀ ସବୁକୁ ପୁଣି ଭଲପାଇବା,ଫେରାଇଆଣିବା,ସେଇ ହେବ ଆମ ପାଇଁ ସର୍ବୋତ୍କୃଷ୍ଟ ।ସ୍ବଧର୍ମେ ନିଧନମ୍ ଶ୍ରେୟଃ ପରଧର୍ମୋ ଭୟାଵହ ।ଏସବୁ ବାରମ୍ବାର ସର୍ବତ୍ର ଦେଖିବାପରେ ମନେପଡୁଛି,”କିସ ପୁଣି ଦେଖା ନଯାଏ ବଞ୍ଚି ଥିଲେ ଏ ଜୀବରେ !”
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯