ଜୀବନ ବଞ୍ଚାଇଲା ହେଲପିଙ୍ଗ ହ୍ୟାଣ୍ଡ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମାହାମରୀକୁ ନେଇ ଭଞ୍ଜନଗର ଅଞ୍ଚଳରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ପାଇଁ ସକ୍ରିୟ ଥିବା ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ଏକ ମହତ କାଯ୍ୟ ଦେଖିବାକୁ ମିଳିଛି । ତାରସିଂ ଥାନା ଅନ୍ତର୍ଗତ ରୁଢ଼ାପଦର ଗ୍ରାମର ସନ୍ତୋଷ ନାୟକଙ୍କ ଝିଅ ସୁମିତ୍ରା ନାୟକ(୧୧) ରକ୍ତଶିକୁଳି ରୋଗରେ ପୀଡ଼ିତ । ଗତ ଶୁକ୍ରବାର ସୁମିତ୍ରାର ସ୍ୱାସ୍ଥ୍ୟବସ୍ତା ଖରାପ ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ସୁମିତ୍ରାକୁ ୨ ୟୁନିଟ A+ ରକ୍ତ ଆବଶ୍ୟକ ପଡିଥିଲା । ତାଙ୍କ ବାପା ରକ୍ତ ଭଣ୍ଡାରକୁ ଯାଇ ମାତ୍ରା ୧ ୟୁନିଟ A+ ରକ୍ତ ସଂଗ୍ରହ କରିଥିଲେ । ଯେହେତୁ ରକ୍ତ ଭଣ୍ଡାରରେ ରକ୍ତ ଥିଲେ ମଧ୍ୟ A+ ରକ୍ତର ଅଭାବ ରହୁଛି ତାଙ୍କୁ କେବଳ ୧ୟୁନିଟ ରକ୍ତ ହିଁ ମିଳିଥିଲା । ଫଳରେ ସୁମିତ୍ରାଙ୍କ ବାପା ସନ୍ତୋଷ ତାଙ୍କ ଗ୍ରାମରେ ଗ୍ରାମ ବିକାଶରେ କାଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ଜଣାଇଥିଲେ । ଏହି କର୍ମଚାରୀ ଜଣକ ଭଞ୍ଜନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ଶୂଳପାଣି ଶତପଥୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସମାଜସେବୀ ଶ୍ରୀ ଶତପଥୀ ସ୍ଥାନୀୟ ଅଞ୍ଚଳରେ ଥିବା ହେଲପିଙ୍ଗ ହ୍ୟାଣ୍ଡର ସହାୟତା ଲୋଡି ଥିଲେ । ହେଲପିଙ୍ଗ ହ୍ୟାଣ୍ଡ ସଦସ୍ୟ ଲଣ୍ଡେଇସାହିର ଶୁଭମ ଶୁଭାଶିଷ ପ୍ରଧାନ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ସଂଗେ ସଂଗେ ସେ ସାମ୍ବାଦିକ ଭବାନୀ ପାଳଙ୍କ ସହ ଭଞ୍ଜନଗର ମେଡିକାଲକୁ ଯାଇ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ସୁମିତ୍ରାଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଥିବାରୁ ତାଙ୍କ ବାପା ସନ୍ତୋଷ ହେଲପିଙ୍ଗ ହ୍ୟାଣ୍ଡକୁ ସାଧୁବାଦ ଜଣାଇବା ସହ ଆଜି ବି ମଣିଷପଣିଆ ବଞ୍ଚି ରହିଛି ବୋଲି କହିଛନ୍ତି । ଏଥି ସହିତ ସଦା ସର୍ବଦା ଗରିବ ଅସହାୟ, ଦୁଃଖୀ ଓ ନିରାଶ୍ରୟଙ୍କ ମୁହଁରେ ଖୁସି ଦେଇ ଆସୁଥିବା ଭଞ୍ଜନଗର ଅଂଚଳର ଏହି ଚର୍ଚ୍ଚିତ ହେଲପିଙ୍ଗ ହ୍ୟାଣ୍ଡର ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ପ୍ରଶାସନ, ଜନସାଧାରଣ ଓ ବୃଦ୍ଧିଜୀବୀ ମହଲରେ ଧନ୍ୟବାଦ ଜଣାଇବା ସହ ଏହି ଭଳି ମହାନ କାଯ୍ୟକୁ ପ୍ରଶଂସା କରାଯାଇଛି ।


ରିପୋର୍ଟ : ନିଲୁ ବିଷୋୟୀ