ଜିଲ୍ଳାରେ ଖରିଫ ୠତୁ ଧାନ ମଣ୍ଡି ଉଦଘାଟିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ପରିସରରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଉଦଘାଟନ କରାଯାଇଛି । ଏହି ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚାଷୀଙ୍କ ଉଦ୍ଦିଷ୍ଟ ନିମନ୍ତେ ମଣ୍ଡି ଖୋଲା ଯାଇଥିବାରୁ ଜିଲ୍ଳାର ଚାଷୀ ପ୍ରତିନିଧି ରାଜେନ୍ଦ୍ର ନାୟକଙ୍କ କରକମଳରେ ଜିଲ୍ଳାପାଳ ଶ୍ରୀ ବେହେରା ମଣ୍ଡିର ଶୁଭାରମ୍ଭ କରାଇଥିଲେ । ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ରବିନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ପରିଚାଳନା କାର୍ଯ୍ୟକ୍ରମରେ ଡିଆରସିଏସ ପ୍ରମୋଦ କୁମାର ସାହୁ, ଆରଏମସି, ରାୟଗଡ଼ା ସଂପାଦକ ଅନିଲ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରିଥିଲେ । ଚାଷିଙ୍କ ଧାନ କ୍ରୟ ସମୟରେ ଆବଶ୍ୟକ ପଡୁଥିବା ଯନ୍ତ୍ରପାତି ସହ ଆଦ୍ରତା ମେସିନ ଏବଂ ଓଜନ ମେସିନ୍ ଆଦିକୁ ବୁଲି ଦେଖିଥଲେ ଜିଲ୍ଳାପାଳ । ଚାଷୀଙ୍କୁ ଟୋକେନ ପ୍ରଦାନ ପ୍ରକ୍ରିୟା ଚାଲିଥିବା ବେଳେ ସେମାନଙ୍କୁ ମଣ୍ଡିରେ କୈାଣସି ପ୍ରକାର ଅସୁବିଧା ଯେମିତି ନ ହୁଏ ଏବଂ ଜଣେ ଚାଷୀ ସୁବିଧାରେ ନିଜ ଅମଳ ଧାନକୁ ବିକ୍ରି କରି ତୁରନ୍ତ ବିକ୍ରି ଟଙ୍କା ପାଇ ପାରିବେ ସେନେଇ ପ୍ରଶାସନ ସଜାଗ ରହିଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ତେବେ ଡିଏଲପିସି ବୈଠକରେ ନିଷ୍ପତି ପ୍ରକାରେ ନଭେମ୍ବର ୨୭ତାରିଖରେ ମଣ୍ଡିର ଶୁଭାରମ୍ଭ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଟୋକେନ ତାରିଖ ନ ଥିବାରୁ ମଣ୍ଡି ଶୁଭାରମ୍ଭରେ କେହି ହେଲେ ଜଣେ ଚାଷି ନିଜ ଧାନ ବିକ୍ରି କରି ନ ଥିବା ଜଣାପଡିଛି । ପ୍ରକାଶ ଥାଉ କି,ରାୟଗଡ଼ା ଜିଲ୍ଳାରେ ପ୍ରତ୍ୟେକ ବର୍ଷ ଚାଷୀଭାଇମାନେ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଧାନ ଅମଳ କରି ମଣ୍ଡିରେ ବିକ୍ରି କରୁଥିବା ବେଳେ ୧୦ ଦିନ ପୂର୍ବରୁ ମଣ୍ଡି ଆରମ୍ଭ କରାଯାଉଥିବାରୁ ମଣ୍ଡି ଶୁଭାରମ୍ଭର ପ୍ରଥମ ଦିନରେ ଧାନ ସଂଗ୍ରହ ହୋଇପାରୁନାହିଁ । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ସିଏଚ.ମୂରଲି କ୍ରିଷ୍ଣା ରାଓ ଓ ମିଲର୍ସ ଆସୋସିଏସନର ସଭାପତି କାଶି ନାଇଡୁଙ୍କ ସମେତ ଅନ୍ୟ ମିଲର୍ସ ଓ ଚାଷୀ ଏବଂ ରାୟଗଡ଼ା ଲ୍ୟାମ୍ପସ ଓ ଏମପିସିଏସ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।