ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ: ମାତୃ ମୃତ୍ୟୁ ତଦନ୍ତ ନିର୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମାତୃମୃତ୍ୟୁ ଘଟିଥିବା ନେଇ ୩ ଟି ମାମଲାର ସମୀକ୍ଷା କରିଥିଲେ । ସେଥିରୁ ଗୋଟିଏ ମାମଲାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଜନସାଧାରଣଙ୍କ ଉନ୍ନତି କରଣ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ସମୂଚିତ ଦାୟିତ୍ୱ ରହିଥିବାରୁ ସମସ୍ତେ ସମସ୍ତଙ୍କ ଦାୟିତ୍ୱ ସମ୍ପନ୍ନ କରିବା ନିହାତି ଆବଶ୍ୟକ ବୋଲି ଜିଲ୍ଲାପାଳ ଆହ୍ୱାନ କରିଥିଲେ । କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ଉପରେ ପ୍ରଭୃତ ବିସ୍ତାର କରିବାକୁ ମୁଁ ଆନ୍ତରିକ ଭାବେ ନାପସନ୍ଦ କରେ । ମିଳିତ ଭାବରେ କାର୍ଯ୍ୟ କଲେ ପ୍ରଶାସନିକ ବ୍ୟବସ୍ଥା ଦ୍ରୁତ ଭାବରେ ଆଗେଇ ପାରିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା ପ୍ରକାଶ କରିଛନ୍ତି । ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସାଧାରଣଙ୍କ ସହଭାଗିତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ପୁସ୍ତିକା ପ୍ରବର୍ତ୍ତନ କରାଯିବ । ଏହାକୁ ପ୍ରଥମେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ । ଏଥିରେ ବ୍ୟକ୍ତିର ରୋଗ ନିରୂପଣ ଏବଂ ଔଷଧ ସେବନ ଲିପିବଦ୍ଧ ରହିବ । ଭବିଷ୍ୟତରେ କୌଣସି ରୋଗରେ ପୀଡିତ ହେଲେ ଏହି ପୁସ୍ତିକା ରୋଗୀ ସମ୍ବନ୍ଧୀରେ ସମସ୍ତ ତଥ୍ୟ ଜାଣିବା ପାଇଁ ଡାକ୍ତରଙ୍କୁ ସହାୟକ ହେବ ବୋଲି କହିଛନ୍ତି । ଗଞ୍ଜାମ ଜିଲ୍ଲାର ସମସ୍ତ ଡାକ୍ତରଖାନା ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ରୋଗୀ ଓ ତାଙ୍କ ପରିବାରମାନଙ୍କ ପାଇଁ ବୈଠକ ସ୍ଥଳ, ପାନୀୟ ଜଳ, ଶୌଚାଳୟ ଓ ପଙ୍ଖାର ଉପଯୁକ୍ତ ସୁବିଧା ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ରୋଗୀ ଓ ତାଙ୍କ ସହାୟକଙ୍କ ଖାଦ୍ୟପେୟର ସୁବ୍ୟବସ୍ଥା କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡାକ୍ତରଖାନା ପରିସରରେ ହୋଟେଲ କରିବାକୁ ଅନୁମତି ଦିଆଯିବ ବୋଲି ଘୋଷଣା କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଚାହିଁଲେ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ଭାବରେ ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତ ହେବେ । ଡାକ୍ତରଖାନାକୁ ସ୍ଥାନୀୟ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ପୁର୍ତ୍ତ ବିଭାଗ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମୟାନ୍ତରେ ଗସ୍ତ କରି ସୁବିଧା ଅସୁବିଧା ବିଷୟରେ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବେ । ମାତୃ ମୃତ୍ୟୁହାରକୁ ସଂପୂର୍ଣ୍ଣ ନିରାକରଣ ପାଇଁ ଗୁରୁତ୍ୱାରୋପ କରିବା ସହ ଏହିସବୁ ବନ୍ଦୋବସ୍ତ କରାଯିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଶେରଗଡର ରୀନା ଖଣ୍ଡୁଆଳ ନାମକ ଜଣେ ମାତୃଙ୍କର ଶିଶୁ ଜନ୍ମ ପରେ ମୃତ୍ୟୁ ହୋଇଥିବାରୁ ଏହାର ତଦନ୍ତ ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଡାକ୍ତରଖାନାକୁ ଦାନ ସୂତ୍ରରେ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସହିତ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ସିକିଲସେଲ ଆକ୍ରାନ୍ତ ରୋଗୀମାନଙ୍କୁ ଚିହ୍ନଟ କରି ଡାକ୍ତରଖାନାକୁ ଆଣିବା ପାଇଁ ଆଶାକର୍ମୀଙ୍କୁ ପରାମର୍ଶ ଦିଆ ଯାଇଛି । ଡେଙ୍ଗୁ ରୋଗର ସଚେତନାକୁ ଅତ୍ୟଧିକ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ ଅଫିସର କିର୍ତ୍ତୀ ଭାସନ ଭି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ୍ ପଟ୍ଟନାୟକ, ଡାକ୍ତର ଭି.ସରୋଜିନୀ ଦେବୀ, ଡାକ୍ତର ମନୋଜ କୁମାର ପଣ୍ଡା ଓ ଡାକ୍ତର ଅବନୀକାନ୍ତ ପାତ୍ର ଓ ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଅଂଶ ଗ୍ରହଣ କରି ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା