ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିମଳ, ଆବର୍ଜନା ସଂଗ୍ରହ, ସ୍ୱଚ୍ଛ ସର୍ବେକ୍ଷଣ, ସ୍ମାର୍ଟ ପାର୍କ ଆଦି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ପୁରସ୍କାର ଉପରେ ଗୁରୁତ୍ବ ଆରୋପ କରି କହିଥିଲେଯେ, ବିଜ୍ଞାପିତ ଅଞ୍ଚଳ ପରିଷଦର ମଇଳା ଉଠାଇବା ଯାନ ଦ୍ୱାରା ଘରଘର ବୁଲି ଆବର୍ଜନା ସଂଗ୍ରହ କରନ୍ତୁ । ବଳକା ଖାଦ୍ୟ, ପନିପରିବା ଚୋପା ଆଦି ଓଦା ଆବର୍ଜନା ପାଇଁ ସବୁଜ ଡଷ୍ଟବିନ୍ ଓ ଶୁଖିଲା ଆବର୍ଜନା ପାଇଁ ନୀଳ ଡଷ୍ଟବିନ୍ ସମସ୍ତେ ଯେପରି ବ୍ୟବହାର କରିବେ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଶୁଖିଲା ବର୍ଯ୍ୟ ବସ୍ତୁ ଓ ଓଦାଳିଆ ବର୍ଯ୍ୟ ବସ୍ତୁ ସଂଗ୍ରହ ଉପରେ ଗୁରୁତ୍ବ ଦେଇଥିଲେ । ହିଞ୍ଜିଳି ପୌରାଞ୍ଚଳ ପରି ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡିକର ସୈନ୍ଦର୍ଯ୍ୟ କରଣ କରିବା ଉଚିତ୍ ବୋଲି କହିଥିଲେ । ଜିଲ୍ଲାପାଳ ପରିମଳ ଉପରେ ଗୁରୁତ୍ବ ଆରୋପ କରି କହିଥିଲେ ଯେ, ସମସ୍ତ ଜନ ସାଧାରଣ ସେମାନଙ୍କ ଘରପାଖ ଅଞ୍ଚଳ, ରାସ୍ତାଘାଟ ପାର୍କ, ଦୋକାନ ବଜାର ଅଞ୍ଚଳ ନାଳ ଓ ନର୍ଦ୍ଦମା, ସାଧାରଣ ସ୍ଥାନ ସଫା ସୁତୁରା ରଖି ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ସହଯୋଗ କରିବା ଉଚିତ୍ ବୋଲି କହିଥିଲେ । ସପ୍ତାହରେ ଥରେ ଶୌଚାଳୟ ସଫାସୁତୁରା କାର୍ଯ୍ୟ ତଦାରଖ କରିବାକୁ କହିଥିଲେ । ପବ୍ଲିକ୍ ସ୍ଥାନରେ ପରିଶ୍ରା କଲେ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ରବିବାର ଦିନ ସ୍ୱଚ୍ଛ ସର୍ବେକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ କରିବା ସହ ନିଜନିଜ ଅଞ୍ଚଳରେ ରାମଲିଙ୍ଗମ୍ ଭଳି ପୁଷ୍କରିଣୀ ଗୁଡିକ ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ ପାର୍କ ନିର୍ମାଣ, ଓପନ୍ ଜିମ୍ କରିବା ପାଇଁ ଜିଲ୍ଲାପାଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଚାରା ରୋପଣ କରି (ଗ୍ରୀନ୍ ଆଣ୍ଡ କ୍ଲିନ୍) ସବୁଜ ଓ ସ୍ୱଚ୍ଛ ବିଜ୍ଞାପିତ ଅଞ୍ଚଳରେ ପରିଣତ କରିବାପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା