ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଅଧ୍ୟକ୍ଷତା କରି ଜିଲ୍ଲାରେ ଦୁର୍ଘଟଣା ସହ ମୃତ୍ୟୁକୁ ହ୍ରାସ କରିବା ଦିଗରେ ବିଭିନ୍ନ ମତାମତ ଦେଇଥିଲେ । ଟ୍ରାଫିକ୍ ନିୟମ ଅବମାନନା କରି ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଳାଇବା, ବେଗ ଉପରେ ନିୟନ୍ତ୍ରଣ ନରଖିବା, ଜାତୀୟ ରାଜପଥ କଡରେ ଭାରୀଯାନ ପାର୍କିଂ, ସଂଲଗ୍ନ ଗ୍ରାମକୁ ସର୍ଭିସ୍ ରାସ୍ତା ନିର୍ମାଣ ନ କରାଯିବା ଏବଂ ଜବରଦଖଲ ଭଳି ଆଦି କାରଣରୁ ଦୁର୍ଘଟଣା ସହ ନିରୀହ ଜୀବନ ଗୁଡିକ ହରାଇବାକୁ ପଡୁଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଜୀବନ ସୁରକ୍ଷାକୁ ଅଧିକା ଗୁରୁତ୍ୱ ଦେବା ସହ ଏଦିଗରେ ବ୍ୟାପକ ପପେକ୍ଷପ ନିଆଯାଉଛି । ହେଲେ କିଛି ଅମାନିଆଙ୍କ ପାଇଁ ଦୁର୍ଘଟଣା ଘଟିବା ସହ ନୀରିହ ଜନସାଧାରଣଙ୍କ ଜୀବନ ହାନୀ ଘଟୁଛି ବୋଲି ଆଜି ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ବ୍ରହ୍ମପୁର ଅତିରିକ୍ତ ଏସ୍ପିଙ୍କ ସମେତ କମିଟିର ସଦସ୍ୟମାନେ ମତ ରଖିଛନ୍ତି । ଏଣୁ ଟ୍ରାଫିକ୍ ନିୟମ ବିରୋଧରେ ବେପାରୁଆ ଗାଡି ଚାଳନା ନେଇ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କଡାକଡି ଯାଞ୍ଝଞ୍ଚକରି ଅଧିକା ଜରିମାନା ଆଦାୟ କରାଯାଉ । ଏହାସହ ବେନିୟମ ଭାବେ ଗାଡି ଚାଳନା କରୁଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ପ୍ରସଙ୍ଗରେ ସମସ୍ତ କମିଟି ସଦସ୍ୟାମାନେ ମତ ରଖିଥିଲେ । ଟ୍ରାଫିକ୍ ନିୟମ ଏବଂ ଦୁଇଚକିଆ ଯାନ ଚଳାଚଳ ବେଳେ ହେଲଟ୍ଟ୍ ପିନ୍ଧିବା ଏବଂ ଚାରିଚକିଆ ଯାନା ଚଳାଚଳ ବେଳେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସଚେତନତା କରାଇବା ଏବଂ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ସଚେତନତା କରିବାକୁ ହେବ । ସମସ୍ତ ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟକୁ ଦୁଇଚକିଆ କିମ୍ବା ଚାରି ଚକିଆ ଯାନ ଚଲାଚଳ ବେଳେ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ କୁହାଯିବ । ସେହିପରି ସାଧାରଣ ଜନତା ସେବା ପାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟାଳୟକୁ ଦୁଇଚକିଆ କିମ୍ବା ଚାରିଚକିଆରେ ଆସୁଥିଲେ ସେମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ବାଧ୍ୟ କରାଯିବ । ନଚେତ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ କରାଯିବ ବୋଲି ସଚେତନତା କରିବାକୁ କମିଟିର ସଦସ୍ୟମାନେ କହିଥିଲେ ।ସେହିପରି ଦୁର୍ଘଟଣା ପ୍ରବଣ ଅଞ୍ଝଳ ଗୁଡିକୁ ଏକ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଅନୁଧ୍ୟାନ କରାଯିବ । କେଉଁ କାରଣରୁ ଦୁର୍ଘଟଣା ଅଧିକା ହେଉଛି ତାହାକୁ କିପରି ରୋକି ପାରିବାରେ ସଫଳ ହୋଇ ପାରିବା ସେ ଦିଗରେ ଏହି ସ୍ୱତନ୍ତ୍ର କମିଟି ସରଜମିନ୍ ତଦନ୍ତ କରି ରିପୋର୍ଟ ସଂଗ୍ରହ କରିବେ । ଆସନ୍ତାମାସ ୨୦ ତାରିଖରେ ରମ୍ଭା, ସୁବଳୟା, ଭେଜିପୁଟ ଓ କେଶପୁର ଏହି ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରିବ । ସେହିପରି ହଳଦିଆପଦର ଓଭରବ୍ରିଜ୍ ପାଶ୍ୱର୍ରେ ଥିବା ସର୍ଭିସ, ରାସ୍ତାରେ ଦୁର୍ଘଟଣା ଅଧିକ ହେଉଥିବା ନେଇ ପୁଲିସ, ଜାତୀୟ ରାଜପଥ ବିଭାଗ ଏବଂ ପରିବହନ ବିଭାଗ ମିଳିତ ଭାବେ ଅନୁଧ୍ୟାନ କରିବେ । ବର୍ଷାଜଳ ଜମି ରହି ରାସ୍ତାଘାଟ ନଷ୍ଟ ହେଉଥିବା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ଲାଇନ୍ ସଂଯୋଗ ପଏଣ୍ଟ ଗୁଡିକ ଅଧିକା ଖାଲୁଆ ରହି ପାଣି ନିର୍ଗତ ହୋଇ ରାସ୍ତାରେ ଜମାଟ ବାନ୍ଧୁଥିବା ଅଞ୍ଝଳକୁ ଅନୁଧ୍ୟାନ କରି ସେଗୁଡିକ କିପରି ମରାମତି ହେବ ସେଦିଗରେ ପଦକ୍ଷେପ ନିଆଯିବ । ପରିବହନ ଏବଂ ପୁଲିସ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପାଇଁ ମୋଟାମୋଟି ଭାବେ କହିବାକୁ ଗଲେ ୧୬ ନମ୍ବର ଜାତୀୟ ରାଜପଥ ଓ ୫୯ ରାଜ୍ୟ ଜାତୀୟ ରାଜପଥ ବିଗତ କିଛି ବର୍ଷ ମଧ୍ୟରେ ଏକପ୍ରକାର ମରଣଯନ୍ତା ପାଲଟିଛି । ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଓ ଗଞ୍ଜାମ ଉଭୟ ପୁଲିସ ଜିଲ୍ଲାରେ ଚଳିତ ବର୍ଷ ଜାନୁଆରି ଠାରୁ ଜୁନ୍ ୬ ମାସ ମଧ୍ୟରେ ୩୧୩ ଟି ସଡକ ଦୁର୍ଘଟଣା ଘଟିଛି । ସେଥିରେ ୧୫୯ ଜଣଙ୍କ ମୃତ୍ୟୁ ଘଟିଛି । ଚଳିତ ବର୍ଷ ଜାନୁଆରି ମାସରେ ୧୮ଟି ଦୁର୍ଘଟଣା ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଫେବୃୟାରୀ ମାସରେ ୭୫ଟି ଦୁର୍ଘଟଣାରେ ୩୪ ଜଣଙ୍କ ମୃତ୍ୟୁ, ମାର୍ଚ୍ଚରେ ୬୩ ଦୁର୍ଘଟଣାରେ ୩୬ ମୃତ୍ୟୁ, ଏପ୍ରିଲରେ ୬୧ ଦୁର୍ଘଟଣାରେ ୩୧ ମୃତ୍ୟୁ, ମେ’ରେ ୪୮ ଦୁର୍ଘଟଣାରେ ୨୨ ମୃତ୍ୟୁ ଏବଂ ଜୁନ୍ ମାସରେ ୪୮ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ୬ ମାସରେ ଦୁର୍ଘଟଣାରେ ଜାତୀୟ ରାଜପଥରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ଜାତୀୟ ରାଜପଥରେ ୪୩ ଜଣଙ୍କ, ରାଜ୍ୟ ରାଜପଥରେ ୪୮ ଜଣ ଏବଂ ଅନ୍ୟାନ୍ୟ ପଥରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୧୩ ଜଣ ଗୁରୁତର ଆହତ ହୋଇଥିଲେ । ଗଲା ବର୍ଷର ଏହି ୬ମାସର ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟାକୁ ଅନୁଧ୍ୟାନ କରାଗଲେ ଚଳିତ ବର୍ଷ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କମ୍ ରହିଛି । କିନ୍ତୁ ମାର୍ଚ୍ଚ ଠାରୁ ଜୁନ୍ ମାସରେ ଗଲାବର୍ଷଠୁ ଚଳିତବର୍ଷ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ପ୍ରାରମ୍ଭରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୂରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏମ୍ଭିଆଇ ଶିବରାମ ଚୌଧୂରୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅତିରିକ୍ତ ଏସପି ଶ୍ରୀ ମିଶ୍ର, ଗଞ୍ଜାମ ଅତିରିକ୍ତ ଏସପି, ଜାତୀୟ ରାଜପଥ ବିଭାଗର କର୍ତ୍ତୃପକ୍ଷ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା