ଜିଲାପାଳଙ୍କ ଅଚାନକ ଜଳେଶ୍ୱର ବ୍ଲକ ଗସ୍ତ : ବୁଲି ଦେଖିଲେ ୨ ପ୍ରକଳ୍ପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଠାରେ ବସୁନ୍ଧରା ଯୋଜନାରେ ପ୍ରଥମ ଏକ ବସ୍ତି ବାସିନ୍ଦା ପ୍ରତିଷ୍ଠା କରି ଭୂମୀହିନ ଓ ଗୃହ ହୀନ ବ୍ୟକ୍ତିଙ୍କୁ ଥଇଥାନ କରାଯିବାକୁ ପଦକ୍ଷେପ ନିଆଯାଇଥିବାରୁ ଆଜି ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମର ତୋଟାପଦା ବୁଲି ଦେଖିଛନ୍ତି । ଏକକାଳୀନ ରାଜପୁର ଓ ମହମ୍ମଦନଗର ପାଟଣାର ୬୨ଟି ପରିବାରଙ୍କୁ ଥଇଥାନ କରିବାର ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଚାଲିଥିବାରୁ ଏବଂ ଆଜି କେତେକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବାରୁ ଏପରି ସ୍ଥାନକୁ ଯାଇ ସେ ଭିତ୍ତିଭୂମି ବୁଲି ଦେଖିଥିଲେ । ସେହିପରି ଜଳେଶ୍ୱରର ୩୫ଟି ପଞ୍ଚାୟତ ଓ ମ୍ୟୁନିସିପାଲଟିକୁ ଅନ୍ୟ ବ୍ଲକରେ ଥିବା ଛତୁଆ କେନ୍ଦ୍ରରୁ ଛତୁଆ ଆସୁଥିବାରୁ କେତେକ ସମୟରେ ବିଭ୍ରାଟ ସୃଷ୍ଟି ହେଉଛି । ତେଣୁ ଜଳେଶ୍ୱର ବ୍ଲକ ଅଞ୍ଚଳରେ ସୁବର୍ଣ୍ଣା ଛତୁଆ କେନ୍ଦ୍ରକୁ ଯାଇ ପରିଦର୍ଶନ କରିଥିଲେ । ଆଜି ଛୁଟିଦିନ ଥିଲେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଓ ସିଡିପିଓ କାର୍ଯ୍ୟାଳୟରେ ସେ ସବୁର ସମୀକ୍ଷା କରିଥିଲେ । ତାଙ୍କ ସହିତ ବିଡିଓ ନିତ୍ୟାନନ୍ଦ ସାହୁ, ସିଡିପିଓ ଦିପ୍ତୀମୟୀ ପୋଥାଳ, ସହକାରୀ ଇଞ୍ଚିନିୟର ମନୋଜ କୁମାର ମୁଣ୍ଡ, ଜେଇ ସୁନନ୍ଦା ବେହେରା, ମହିଳା ସୁପରଭାଇଜର ସ୍ନେହଲତା ଦାସ ଓ ସୁସ୍ମିତା ଦାସ ଉପସ୍ଥିତ ଥିଲେ । ଜିଲାପାଳ ମହମ୍ମଦନଗର ପାଟଣାର ବଡମୁହଁ ଓ ଗଡସାହି ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହିତ ପକ୍କା ଗୃହ, ବିଦ୍ୟୁତିକରଣ, ପାଇଖାନା ଓ ପିଇବା ପାଣି ସଂପର୍କରେ ବୁଲି ଦେଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା