ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଜନତାଙ୍କ ନେତା ଓ ସବୁଠାରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ …

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମୋତ୍ସବ ଆଜି ପୂର୍ବାହ୍ନରେ ସତ୍ୟନଗର ହୋଟେଲ୍ ରୟାଲ ସୁଟ୍ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ପଟୋଚିତ୍ରରେ ମାଲ୍ୟାର୍ପଣ ପରେ ସ୍ୱାଗତ ଭାଷଣ ଦେଇ କମିଟିର ସାଧାରଣ ସଂପାଦକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଜନଗଣଙ୍କର ନେତା । ସାଧାରଣ ଜନତାର ହୃଦୟର କଥାକୁ ସେ ବୁଝି ପାରୁଥିଲେ । ଯେଉଁଥିପାଇଁ ସେ ଥିଲେ ଜନନେତା । କମିଟିର କୋଷାଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ଜାନକୀ ବାବୁଙ୍କର ୧୪ ବର୍ଷର ଶାସନକୁ ସୁବର୍ଣ୍ଣଯୁଗ ବୋଲି ବାଖ୍ୟା କରି କହିଲେ ଯେ କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ କରିବାରେ ସ୍ୱର୍ଗତ ପଟ୍ଟନାୟକ ଥିଲେ ଅନନ୍ୟ ବ୍ୟକ୍ତିତ୍ୱ । ଗୋବର୍ଦ୍ଧନ ମଠ ପୁରୀର ମୁଖପାତ୍ର ମନୋଜ ରଥ କହିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିରରେ ହୁଣ୍ଡି ପ୍ରତିଷ୍ଠା କରିବା ସହ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରି ସେ ଯେଉଁ ଐତିହାସିକ କାର୍ଯ୍ୟ କରିଥିଲେ, ଓଡିଆ ଜାତି କେବେ ତାକୁ ଭୁଲି ପାରିବ ନାହିଁ । ଆଦିତ୍ୟ ବାହିନୀର ସାଧାରଣ ସଂପାଦକ ମାତୃପ୍ରସାଦ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡିଶାରେ ଆଜି ଭାଷା ପାଇଁ ଓଡିଆ ଲୋକ ମୁଣ୍ଡ ବାଡଉଛନ୍ତି । କିନ୍ତୁ ଓଡିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବାରେ ସେ ଥିଲେ ଅଗ୍ରଗଣ୍ୟ ନେତା । ମହାବୋଧି ସୋସାଇଟିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ସ୍ୱର୍ଗତଃ ପଟ୍ଟନାୟକ ଥିଲେ ଭଗବାନ ତଥାଗତ ବୁଦ୍ଧଙ୍କର ଜଣେ ପ୍ରକୃତ ଅନୁଗାମୀ । ତାଙ୍କର ରଚିତ ପୁସ୍ତକ ‘ଗୌତମ ବୁଦ୍ଧ’ ପ୍ରତ୍ୟେକ ବୌଦ୍ଧଧର୍ମୀଙ୍କ ପାଖରେ ତାଙ୍କୁ ବଂଚାଇ ରଖିଛି । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସଂପାଦକ ଶ୍ରୀ ରସିକ୍ ଚାନ୍ଦ ପଟ୍ଟନାୟକ ଓ ମୁଖପାତ୍ର ଶ୍ରୀ ରଜନୀକାନ୍ତ ମହାନ୍ତି ପରିଚାଳନାକ କରିଥିଲେ । ଶେଷରେ ରାଜ୍ୟସ୍ତରୀୟ ଗାଡିଚାଳକ ସଂଘର ସଂପାଦକ ସୁମନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ ଡ. ମନୋଜ ପାଲ, କଂଗ୍ରେସ ନେତା ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ସୁଶାନ୍ତ କୁମାର ପଣ୍ଡା ଓ ବହୁ ଛାତ୍ର, ଯୁବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।