ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଠାରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ସକାଶେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରେ ରହିଥିବା କ୍ରୀଡ଼ାବିତ ମାନଙ୍କୁ ଭିଡିଓ କନଫରେନସିଂ ଜରିଆରେ ଉତ୍ସାହିତ କରାଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସେମାନେ ଜିଲ୍ଲାର ସୁନାମ ଅର୍ଜନ କରନ୍ତୁ ବୋଲି କହିଥିଲେ । ଭୁବନେଶ୍ୱର ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ-୨୦୨୦ ପୁରସ୍କୃତ ହୋଇଥିବା ଭାରଉତ୍ତୋଳନରେ ଗଞ୍ଜାମ ଜିଲ୍ଲାର କୁଲଦୀପ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ, ମୁନା ନାୟକ ରୌପ୍ୟ ପଦକ ଓ ବନିତା ଘଡେଇ ବ୍ରୋଞ୍ଜ ପଦକ ପାଇଥିଲେ । ସେହିପରି ଗୌହାଟୀ ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ-୨୦୨୦ ଭାରଉତ୍ତୋଳନରେ ମନୋଜ ସାହୁ ରୌପ୍ୟ ପଦକ ପାଇଥିଲେ । ସେମାନଙ୍କୁ ଆଜିର ଦିନରେ ଉତ୍ସାହିତ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସ୍ଵର୍ଣ୍ଣ ପଦକ ନିମନ୍ତେ ୪୦ ହଜାର ଟଙ୍କା, ରୌପ୍ୟ ପଦକ ନିମନ୍ତେ ୨୭ ହଜାର ଟଙ୍କା ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ୧୭ ହଜାର ଟଙ୍କାର ଅର୍ଥରାଶି ସେମାନଙ୍କ ଜମା ଖାତାକୁ ପଠା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଓଡିଶା ଭାରଉତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ପ୍ରଦୀପ କୁମାର ସାହୁ, ଭାରଉତ୍ତୋଳନ କ୍ରୀଡ଼ାବିତ ତଥା ଡି.ଏସ.ପି କେ. ରବି କୁମାର, ସୁନ୍ଦର ସ୍ୱାସ୍ଥ୍ୟରେ ଏସିଆନ ଚମ୍ପିଆନ ପୋଲିସ କର୍ମଚାରୀ ବଲ୍ଲାଲ ଖାଁ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାୟରାୟଣ ବେହେରା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା