ଜାଡରେ ଥରୁଛି ଜଳେଶ୍ୱର : ଲୋକେ ଅସ୍ତବ୍ୟସ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲାର ଜଳେଶ୍ୱର ସହର ଓ ଏହାର ଆଖପାଖ ଅଂଚଳରେ ଏବେ ଶୀତ ଲହରୀ ପ୍ରବାହିତ ହେବା ଫଳରେ ଜନଜୀବନ ଅନ୍ତବ୍ୟସ୍ତ ହୋଇ ପଡିଛି । ଲୋକମାନେ ଘରୁ ସକାଳ ୮ଟା ପର୍ଯ୍ୟନ୍ତ ପଦାକୁ ବାହାରିବା ସମର୍ଥ ହୋଇ ପାରୁନାହାନ୍ତି । ପ୍ରାତଃ ଭ୍ରମଣ ଏକ ପ୍ରକାର ଠପ୍ ହୋଇ ଯାଇଛି । ଘନ କୁହୁଡି ସହିତ ଉତ୍ତର ପଟୁ କାଲୁଆ ପବନ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି । ଦିନ ୧୦ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିଥିବା ବେଳେ ପରବର୍ତ୍ତୀ ସମୟରେ ସୂର୍ଯ୍ୟକିରଣରେ ସମାନ୍ୟ ଆସ୍ୱସ୍ତ ଅନୁଭବ ହେଉଛି । ସରକାରୀ ଅଫିସ୍ ଓ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟରେ ଦିନ ୧୨ଟା ପରେ ଗହଳୀ ପରିଲକ୍ଷିତ ହେଉଛି । ପୁଣି ଦିନ ୪ଟାରୁ ଥଣ୍ଡା ଅନୁଭୂତ ହେବାରୁ ରାସ୍ତାଘାଟ ଧିରେ ଧିରେ ଶୂନଶାନ୍ ହେବାକୁ ଲାଗୁଛି । ସକାଳ ଓ ସଂଧ୍ୟାରେ ଠାଁ ଠାଁରେ ଲୋକମାନେ ଏକାଠି ହୋଇ ନିଆଁଜାଳି ଶୀତ ଆସରର ମଜା ନେଉଥିବା ଦେଖିବାକୁ ମିଳୁଛି । ଖରିଫ ଧାନଚାଷ ପାଇଁ କୃଷକମାନେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅଧିକ ଥଣ୍ଡା ଯୋଗୁଁ ଆଗେଇ ପାରୁନାହାନ୍ତି । ତେଣୁ ଖରିଫ ଧାନଚାଷ ଡେରିରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଏବେ ଅଧିକ ଥଣ୍ଡା କାରଣରୁ ବୃଦ୍ଧ/ବୃଦ୍ଧା, ଶିଶୁ, ରୋଗୀ ଓ ଗୃହହୀନ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମାଂଚଳ ଠାରୁ ସହର ପର୍ଯ୍ୟନ୍ତ ଚା ଖଟିରେ ଆସର ଜମିବା ସହିତ ଭାଇଚାର ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି । ଜଳେଶ୍ୱରର କେତେକ ସ୍ୱେଚ୍ଛାସେବି ସଂଗଠନ ଓ ବଦାନ୍ୟ ବ୍ୟକ୍ତି ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରୁଥିବା ଜଣାଯାଇଛି । ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ପକ୍ଷରୁ ଏହି ଥଣ୍ଡାର ଲହରି ୨୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବା କାରଣରୁ ଲୋକମାନେ ଅଧିକ ଥଣ୍ଡାରେ ବାହାରେ ବୁଲାବୁଲି କରିବାକୁ ବାରଣ କରାଯାଇଛି । ଥଣ୍ଡାରେ କୋରାନା ବ୍ୟାପିବାର ଭୟ ଥିବା ସଂପର୍କରେ ସୂଚନା ଦିଆଯାଇଛି ।