ଜଳେଶ୍ୱର ମହୋତ୍ସବ ସରକାରୀ ନିୟନ୍ତ୍ରଣରେ ସରକାରୀ ସ୍ଥାନରେ ହେଉ : ମନୋରଂଜନ ଦାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ଟାଉନହଲ ପଡିଆଠାରେ ଦୀର୍ଘ ୧୦ବର୍ଷ ଧରି ଜଳେଶ୍ୱର ମହୋତ୍ସବ ଆୟୋଜନ ହୋଇ ଆସୁଥିବା ବେଳେ ଚଳିତବର୍ଷ ଆସନ୍ତା ଜାନୁଆରୀ ୨୮ ତାରିଖ ଠାରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ଅପରାହ୍ନରେ ଜଳେଶ୍ୱର ଡାକବଂଗଳାଠାରେ ଜଳେଶ୍ୱର ବିକାଶ ପରିଷଦର ସଂପାଦକ ମନୋରଂଜନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ମହୋତ୍ସବ ଆୟୋଜନ ନେଇ ବିଭନ୍ନ ପ୍ରସଙ୍ଗ ଉତ୍ଥାପନ କରାଯାଇଛି । ଜଳେଶ୍ୱର ବିଜ୍ଞାପିତ ଅଂଚଳ ପରିଷଦ ତତ୍କାଳୀନ ପୌରାଧକ୍ଷ୍ୟ ସୁନିଲ ପରିଡାଙ୍କ ପୌରହିତ୍ୱରେ ଗତ ୫-୧-୦୮ ତାରିଖରେ ହୋଇଥିବା ପରିଷଦର ୨୬ତମ ବୈଠକରେ ଜଳେଶ୍ୱର ମହୋତ୍ସବ ପୌରପରିଷଦ ଦ୍ୱାରା ପରିଚାଳିତ ହେବା ପାଇଁ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମାତ୍ର ୨୦୦୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଦେବୀ ପ୍ରସନ୍ନ ଚନ୍ଦ ବିଧାୟକରୂପେ ନିର୍ବାଚିତ ହେବା ପରେ ସେ ତାହାକୁ କୌଶଳ କ୍ରମେ ନୂଆବଜାରରୁ ବଡବଜାରସ୍ଥିତ ଟାଉନହଲ ପଡିଆ ନିକଟରେ ଥିବା ଘରୋଇ ଜାଗାକୁ ସ୍ଥାନାନ୍ତରିତ କରିଥିଲେ । ତେଣୁ ଏହି ମହୋତ୍ସବ ଆୟୋଜନ ସଂପୂର୍ଣ୍ଣ ବେଆଇନ୍ ଓ ଘରୋଇ ଯାଗାରେ ହେଉଥିବାରୁ ତୁରନ୍ତ ଏହି ମହୋତ୍ସବ ଆୟୋଜନ ପାଇଁ ପ୍ରଶାସନ ଅନୁମତି ନ ଦେବାକୁ ସେ ଦାବି କରିଥିଲେ । ଇତି ମଧ୍ୟରେ ଶ୍ରୀ ଦାସ ଜଳେଶ୍ୱର ମହୋତ୍ସବ ଆୟୋଜନ ପାଇଁ ଶାନ୍ତିଆ ଷ୍ଟାଡିୟମ କିମ୍ବା ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଅନୁମତି ପାଇଁ ଉପଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବି କମଳ ଚକ୍ରବର୍ତ୍ତୀ, ଆଇନ୍ଜିବୀ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ସଂପର୍କରେ ଜଳେଶ୍ୱର ମହୋତ୍ସବ କମିଟିର ସଭାପତି ଇଂ ରାମଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏହି ମହୋତ୍ସବ ଦୀର୍ଘ ୧୦ବର୍ଷ ଧରି ଟାଉନ୍ହଲ ସ୍ଥିତ ଘରୋଇ ଜାଗାରେ ୨୦୦୯ ମସିହାଠାରୁ ଆୟୋଜନ ହୋଇ ଆସୁଥିବା ବେଳେ ଏହି ମହୋତ୍ସବ ଆୟୋଜନକୁ ନେଇ ଜଳେଶ୍ୱର ବାସୀ କୌଣସି ଆପତ୍ତି ଉଠାଇ ନ ଥିବା ବେଳେ ଏବେ କତିପୟ ବ୍ୟକ୍ତି ନିଜର ସ୍ୱାର୍ଥସାଧନ ପାଇଁ ଏଭଳି ଚକ୍ରାନ୍ତ କରିବା କେତେଦୂର ଯୁକ୍ତିଯୁକ୍ତବୋଲି ସେ ପ୍ରଶ୍ନ କରିଥିଲେ । ତାଙ୍କ କମିଟିରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଆବାହକ ହୋଇଥିବା ବେଳେ ଜଳେଶ୍ୱରର ପୌରପରିଷଦର ପୂର୍ବତନ ନଗରପାଳ ଓ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନେ ଆବାହକ ରୂପେ କାର୍ଯ୍ୟ କରୁଥିବାରୁ ଏହା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଛି ବୋଲି ଇଂ ସାହୁ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା