ଜଳେଶ୍ୱର ବିଜେପିରେ ଗୋଷ୍ଠିକନ୍ଦଳ ଦୂର ହେଉ : ବରିଷ୍ଠନେତା ଅରୁଣବେଜ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳ ବାଜିମାତ୍ ମାରିଥିଲା । ନିର୍ବାଚନ ସମୟରେ ବିଜେପିର ଲହର ଦୃଢ ଥିବାବେଳେ ଜଳେଶ୍ୱର ବିଜେପିରେ ଗୋଷ୍ଠିକନ୍ଦଳ ଯୋଗୁଁ ନିରାଶ ହେବାକୁ ପଡିଥିଲା । ଏହାକୁ ଦୂର କରିବାଲାଗି ଆଜି ରବିବାର ଜଳେଶ୍ୱର କାଳୀମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଜିଲା ଉପସଭାପତି ଅରୁଣ ବେଜଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଯାଇଛି । ଗତ ମ୍ୟୁନିସିପାଲଟି, ପଂଚାୟତ ଓ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିନଥିବାରୁ କର୍ମୀ ଓ ନେତାମାନେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ବେଜ ଆହ୍ୱାନ ଦେଇଥିଲେ । ଏପରିକି ନେତାମାନେ କର୍ମୀ ଓ ସଂଗଠକ ମାନଙ୍କ ନିକଟରେ ବିଶ୍ୱାସଭାଜନ ହେବା ଉଚିତ୍ ବୋଲି କହିଥିଲେ । ସେ ଦଳକୁ ମା ଭଳି ଭଲ ପାଉଥିବାରୁ ଦଳର ଆଭ୍ୟନ୍ତରୀଣ କଥା ବାହାରେ ପ୍ରକାଶ ନ କରି ରାଜ୍ୟ ନେତୃତ୍ୱକୁ ସମ୍ମାନ ଦେବା ଓ ବରିଷ୍ଠ ନେତୃମଣ୍ଡଳୀଙ୍କୁ ସମାଲୋଚନା ନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମଣ୍ଡଳ ସଭାପତି ପରେଶ ଚନ୍ଦ୍ର ଘୋଷ, ପ୍ରଦୀପ ମହାନ୍ତି, ସୁଶିଲ ପ୍ରଧାନ, ଲକ୍ଷ୍ମିନାରାୟଣ ପ୍ରଧାନ, ଗଦାଧର ସିଂ ଓ ଗଣେଶ ମାଈତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା