ଜଳେଶ୍ୱର ପୌରାଞ୍ଚଳରେ ୪୨ ଅଙ୍ଗନୱାଡି କେନ୍ଦ୍ର : ୩୯ଟିରେ ନାହିଁ ସ୍ଥାୟୀ ଗୃହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ତୃଣମୂଳ ସ୍ତରରୁ କୋମଳମତି ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଶିକ୍ଷାଦାନ ଦେବାର ବ୍ୟବସ୍ଥା ଲାଗି କେନ୍ଦ୍ର ସରକାର କରିଛନ୍ତି ବିଭିନ୍ନ ଯୋଜନା । ସେଥିମଧ୍ୟରୁ ଅଙ୍ଗନୱାଡି କେନ୍ଦ୍ର ଅନ୍ୟତମ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇବା ଏହି କେନ୍ଦ୍ର ଗୁଡିକର ପ୍ରଧାନ କାର୍ଯ୍ୟ । କିନ୍ତୁ ରାଜ୍ୟର ପ୍ରବେଶ ଦ୍ୱାର ଜଳେଶ୍ୱର ମ୍ୟୁନିସିପାଲଟିରେ ୪୨ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିରୁ ୩୯ଟିର ସ୍ଥାୟୀ ଗୃହ ନଥିବା ଜଣାଯାଇଛି । ଫଳରେ କେଉଁଠି କାହା ପିଣ୍ଡାରେ ତ ଅନ୍ୟ କେଉଁଠି ଅସ୍ୱାସ୍ଥ୍ୟକର ଚାଳିତଳେ ଶିକ୍ଷା ଲାଭ ସହିତ ପୃଷ୍ଟିକର ଖାଦ୍ୟ ରନ୍ଧା ଚାଲି ଆସୁଛି । ତେଣୁ କେତେବେଳେ ବିପଦ ଘଟିବା ସମ୍ଭାବନା ରହିଛି । ଜଳେଶ୍ୱର ମ୍ୟୁନିସିପାଲଟିର ୫ନଂ ୱାର୍ଡ ପଥରପୁରର ସାହୁ ସାହି ଅଙ୍ଗନୱାଡି କେନ୍ଦ୍ର ଦେଖିଲେ ସମଗ୍ର ପୌରପରିଷଦ କଥା ଜଣାପଡିବ । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ସାହୁ ସାହିର ଅଙ୍ଗନୱାଡି କେନ୍ଦ୍ରଟି ଏବେ ଅସ୍ଥାୟୀ ଭାବେ ବେଲପଦା ଆଦିବାସୀ ସାହିରେ ଚାଲିଛି । ସେଠାରେ ପିଲାଙ୍କ ଲାଗି ରାନ୍ଧିବାର ବ୍ୟବସ୍ଥା ନ ଥିବାରୁ ଅଙ୍ଗନୱାଡି କର୍ମୀ ଜଣକ ନିଜଘରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାଦାନ ହେଉଥିବା ସ୍ଥାନକୁ ଆଣି ବାଣ୍ଟି ଦିଅନ୍ତି । ଜଣକ ବାରଣ୍ଡାରେ ୨୭ଜଣ ଛାତ୍ରଛାତ୍ରୀ ପାଠ ପଢି ଆସୁଛନ୍ତି । ଏହି ୨୭ଜଣଙ୍କ ମଧ୍ୟରୁ ୨୨ଜଣ ଆଦିବାସୀ ହୋଇଥିବା ବେଳେ ଅନ୍ୟ ୫ଜଣ ସାଧାରଣବର୍ଗର ବୋଲି ଜଣାପଡିଛି । ଏହାର ସ୍ଥାୟୀ ଘର ନଥିବାରୁ ୨୦୧୯-୨୦ ଆର୍ଥୀକ ବର୍ଷରେ ୭ଲକ୍ଷ ଟଙ୍କା ମୂଲ୍ୟର ଏକ ଗୃହଲାଗି ଅଟକଳ ହୋଇଥିଲା । କିନ୍ତୁ ସ୍ଥାୟୀଗୃହ ନିର୍ମାଣ ଲାଗି ଉପଯୁକ୍ତ ସ୍ଥାନ ନ ମିଳିବାରୁ ଅଦ୍ୟାବଧି ନିର୍ମାଣ ହୋଇ ପାରିନାହିଁ । ବରଂ ଅଙ୍ଗନୱାଡି କର୍ମୀ ସୀତାରାଣୀ ସାହୁ ଓ ସହାୟିକ ପ୍ରତିଲତା ସାହୁଙ୍କ ପ୍ରଚେଷ୍ଟାରେ ଏକ ନଡାଛପର ଘର ନିର୍ମାଣ ହୋଇଥିଲା । ତାହା ବିପଦ ସଂକୁଳ ହେବାରୁ ଏବେ ଜଣଙ୍କ ବାରଣ୍ଡାରେ ଚାଲୁଛି । କେବଳ ଏହି ଗୋଟିଏ ନୁହେଁ ପୌରାଞ୍ଚଳର ୩୯ଟି କେନ୍ଦ୍ରର ସ୍ଥାୟୀଗୃହ ନଥିବାରୁ ସବୁ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି । ପଂଚୁଘଣ୍ଟା, ଶାନ୍ତିଆର ପଶ୍ଚିମସାହି, ମହୁତ୍ ନଗର ଆଦିବାସୀ ସାହି ଓ ନନ୍ଦିକା ଭଞ୍ଜ ସାହିରେ ସ୍ଥାୟୀଗୃହ ଥିବା ବେଳେ ପୌରଞ୍ଚଳର ଏକମାତ୍ର ମିନି ଅଙ୍ଗନୱାଡିରେ ଗୃହ ନଥିବାର ଜଣାଯାଇଛି । ଏ ସଂପର୍କରେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ୨୪ଟି ଅଙ୍ଗନୱାଡି ଗୃହ ନିର୍ମାଣ ଲାଗି ବ୍ୟବସ୍ଥା ହୋଇଛି । ଖୁବ୍‌ଶୀଘ୍ର ଏହି ୨୪ଟି ସ୍ଥାନରେ ସ୍ଥୟୀଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଅନ୍ୟଗୁଡିକ ଲାଗି ଗୃହ ନିର୍ମାଣ ଲାଗି ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଛି ।