ଜଳେଶ୍ୱର ପାଇଁ ନିଯୁକ୍ତ ଡାକ୍ତର ଏସ.ସି.ବି.ରେ କାର୍ଯ୍ୟ କରିବେ, ଜଳେଶ୍ୱରବାସୀଙ୍କ ପାଇଁ ଏହା ଉପହାସ : କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଜୁଲାଇ ୧ ତାରିଖରେ ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଦ୍ୟ ପିଜି ପାସ କରିଥିବା ଡାକ୍ତର ମାନଙ୍କର ପୋଷ୍ଟିଙ୍ଗ ନେଇ ଏକ ନିର୍ଦେଶନାମା ପ୍ରକାଶ ପାଇଛି । ଏଥିରେ ୧୬ ନମ୍ବର ସିରିଏଲରେ ଜଳେଶ୍ୱରର ଜି.କେ.ଭଟ୍ଟର ହସ୍ପିଟାଲର ଜେନେରାଲ ସର୍ଜରୀ ବିଭାଗ ପାଇଁ ଡ଼ଃ ପ୍ରଶାନ୍ତ ଚିନାରାଙ୍କୁ ପୋଷ୍ଟିଙ୍ଗ କରାଯାଇଛି । ମାତ୍ର ନିର୍ଦ୍ଦେଶନାମାରେ, ସେ କଟକ ସ୍ଥିତ ଏସ.ସି.ବି ମେଡିକାଲରେ ସେ କାର୍ଯ୍ୟ କରିବେ ବୋଲି ଦର୍ଶା ଯାଇଛି । ଏହା ଜଳେଶ୍ୱର ବାସୀଙ୍କ ପାଇଁ ଉପହାସ ଏବଂ କଟା ଘାଆରେ ଚୂନ ଦେଲା ଭଳି କଥା ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି । ଜଳେଶ୍ୱରରେ ଅଧିକାଂଶ ପି.ଏଚ.ସି.ରେ ଓ ହାତୀଗଡ଼ ସି.ଏଚ.ସି. ତଥା ଜି.କେ. ଭଟ୍ଟର ହସ୍ପିଟାଲରେ ବହୁ ଦିନ ଧରି ଡାକ୍ତର ପଦବୀ ଖାଲି ପଡିଛି । ଏଥିପାଇଁ ଜଳେଶ୍ୱର ବାସୀ ଅନେକ ଥର ସରକାରଙ୍କ ପାଖରେ ଦାବୀ କରିବା ସହିତ ବହୁବାର ଆନ୍ଦୋଳନ ମଧ୍ୟ କରିଛନ୍ତି । ଡାକ୍ତର ନ ଥିବାରୁ ଜଳେଶ୍ୱରରେ ସ୍ୱାସ୍ଥ୍ୟ ସେବା ଖୁବ ଦୟନୀୟ । ସେହି ସମୟରେ ଏଠାରେ ଡାକ୍ତର ପୋଷ୍ଟିଙ୍ଗ କରି ତାଙ୍କୁ କଟକକୁ ନେଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଜଳେଶ୍ୱର ପ୍ରତି ସରକାରଙ୍କ  ଏଭଳି ବୈମାତୃକ ମନୋଭାବକୁ ଆଦୌ ବରଦାସ୍ତ କରା ଯିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଖୁବ ଶୀଘ୍ର ଜଳେଶ୍ୱରର ଦୟନୀୟ ସ୍ୱାସ୍ଥ୍ୟ ସେବାକୁ ନେଇ ନାଗରିକ ସମାଜ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।