ଜଳେଶ୍ୱର – ପଶ୍ଚିମବାଡ ରାସ୍ତାର ଅବସ୍ଥା ଅବର୍ଣ୍ଣନୀୟ : ନନ୍ଦିକା ବାଇପାସ୍ ନିକଟରେ ଫସିିଲା ଡମ୍ପର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ପଶ୍ଚିମବାର୍ଡ ମାତ୍ର ୧୫ କିମି. ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ପ୍ରଥମ ୫କିମି ରାସ୍ତା ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଛମୌଜଠାରୁ ରାସ୍ତା ନିର୍ମାଣ ବନ୍ଦ ରହିଛି । ଫଳରେ ସେ ରାସ୍ତାର ଦୂରାବସ୍ଥା ବଢିବଢି ଚାଲିଛି । ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣାମାନ ଘଟିଚାଲିଛି । ରାସ୍ତା ନିର୍ମାଣ ଲାଗି ସେ ଅଂଚଳବାସୀ ବାରମ୍ବାର ଦାବି କରିଆସୁଥିବା ବେଳେ ରାସ୍ତା କାର୍ଯ୍ୟ ଶେଷ ହେଉନଥିବାରୁ କେତେକ ସମୟରେ ଉତ୍ତେଜନା ସୃଷ୍ଟି ହେଉଛି । ପ୍ରାୟ ୧୦କିମି. ରାସ୍ତାର ଦୂରବସ୍ଥା ଅତ୍ୟନ୍ତ ଶୋଚନୀୟ ବୋଲି ସେ ଅଂଚଳର କେତେକ ନିର୍ବାଚିତ ପ୍ରତିନିଧି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଏକ ଡମ୍ପର ୬୦ନଂ ଜାତୀୟ ରାଜପଥ ନନ୍ଦିକା ବାଇପାସ୍ଠାରେ ଓହ୍ଲାଇ ପଶ୍ଚିବାର୍ଡ ଅଭିମୁଖେ ଗଲାବେଳେ ତାର ପଛ ଚକଗୁଡିକ ପୋତି ଯାଇଥିଲା । ଓଡି୦୧କେ୨୧୭୪ ଡମ୍ପରଟି ଦୀର୍ଘ ସମୟଧରି ସେଠାରେ ଫସି ରହିବା ଫଳରେ ଦୀର୍ଘସମୟଧରି ରାସ୍ତା ଅବରୋଧ ହୋଇଥିଲା । ଫଳରେ ଯାନବାହାନ ବାଧାପ୍ରାପ୍ତ ହୋଇଥିଲା । ଏ ସଂପର୍କରେ ଇଂ ପ୍ରଦୀପ୍ତ କିଶୋର ଚାନ୍ଦ, ରଜନୀକାନ୍ତ ଧଳ, ଆଦିତ୍ୟ ନାରାୟଣ ପାତ୍ରଙ୍କ ସହିତ ବହୁ ଗ୍ରାମବାସୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା