ଜନ୍ମଦିନରେ ମହାପ୍ରଭୁ ଜଗନ୍ନାଥ ଦର୍ଶନ: ଆଶୀର୍ବାଦ ଭିକ୍ଷ୍ୟା କଲେ ଭି.କେ ପାଣ୍ଡିଆନ …

ପୁରୀ(ସମୃଦ୍ଧ ଓଡିଶା)ଆଜି ଜନ୍ମଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷ୍ୟା କଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଦର୍ଶନ କରିସାରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ବଡ ଆଖଡା ପାର୍ଶ୍ବବର୍ତ୍ତି ସ୍ଥାନରେ ଜାରି ରହିଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିବା ବେଳେ ବାହାର ମାର୍ଗ ଦେଖିଥିଲେ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ସେ ଆଲୋଚନା କରିଥିଲେ । ସ୍ନାନଯାତ୍ରା ପୂର୍ବରୁ ବାକିଥିବା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫେରିବା ବାଟରେ ମହାପ୍ରଭୁଙ୍କ ରଥ ନିର୍ମାଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ୫ଟି ସଚିବଙ୍କର ଆଜି ଜନ୍ମଦିନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୫ଟି ସଚିବଙ୍କୁ ଶ୍ରୀଜିଉଙ୍କ ଲାଗି ଖଣ୍ଡୁଆ ସମେତ ମହାପ୍ରଭୁଙ୍କ ନାକଚଣା ପ୍ରଦାନ କରିଥିଲେ । ସାଧାରଣ ଲୋକ ଓ ସେବାୟତ ୫ଟି ସଚିବଙ୍କ ସହିତ ସେଲଫି ନେଇଥିବା ବେଳେ ଶୁଭେଚ୍ଛା ଜଣାଇଥିଲେ।

ବ୍ରହ୍ମପୁର: ୫ଟି ସଚିବ ଭି.କେ.ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଗସ୍ତରେ ଆସି ହିଞ୍ଜିଳିରେ ଅନୁଷ୍ଠିତ ତିନିଦିନିଆ ଶ୍ରୀଲକ୍ଷ୍ମୀନୃସିଂହ ଯାତ୍ରାର ଶେଷ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନୀଲ କ୍ରିଷ୍ଣା ମଧ୍ୟ ଯାତ୍ରାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ । ରାତି ପ୍ରାୟ ୯ଟା ୩୦ରେ ସେ ହିଞ୍ଜିଳି ରାଜବାଟୀସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚି ଥିଲେ।ସେଠାରେ କେଉଟ ବାଡ଼ ଓ ରଙ୍ଗଣୀ ବାଡ଼ ଯାତ୍ରା କମିଟି କର୍ମକର୍ତ୍ତା ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ। ପାଣ୍ଡିଆନ ଓ ଅନ୍ୟମାନେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଦୀର୍ଘ ୮୨ ବର୍ଷ ଧରି ହୋଇ ଆସୁଥିବା ଯାତ୍ରା ସମ୍ପର୍କରେ ୫ଟି ସଚିବଙ୍କୁ ଅବଗତ କରାଯାଇଥିଲା। ମନ୍ଦିର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉନ୍ନତି ନିମନ୍ତେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯାତ୍ରା କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ।