ଜଣେ ଦୁର୍ଦ୍ଦଷ ଆଦିବାସୀ ଵୀରାଙ୍ଗନା:ଝଲକାରା ବାଈ

୧୮୫୮ ମସିହା ଏପ୍ରିଲ୍ ମାସ ପ୍ରଥମ ସପ୍ତାହର ପ୍ରଥମ ଭାଗ, ପରାଧୀନ ଭାରତରେ ସିପାହୀବିଦ୍ରୋହ ସରି ସରି ଆସୁଥାଏ,ବ୍ରିଟିଶ ଜେନେରାଲ ହ୍ୟୁଗ୍ ରୋଜ ଝାନସୀରାଣୀ ଲକ୍ଷ୍ମୀବାଈଙ୍କୁ ଗିରଫ କରି ନେଇଗଲେ ତାଙ୍କ ଶିବିରକୁ, ସବୁଆଡେ ହାହାକାର ପଡ଼ିଗଲା । ବ୍ରିଟିଶ ଶିବିରରେ ଆନନ୍ଦର ଲହରୀ, ଝାନସୀରାଣୀ ଲକ୍ଷ୍ମୀବାଈଙ୍କ ଭଳି ଦୁର୍ଦ୍ଦଷ ସଂଗ୍ରାମୀଙ୍କୁ ଗିରଫ କରାଯାଇ ପାରିଛି ବୋଲି, ଲକ୍ଷ୍ମୀବାଈଙ୍କୁ ଜେରା କରିବାକୁ ପ୍ରସ୍ତୁତି ଚାଲିଥାଏ, ଏ ସମୟରେ ଦୁଲାଜୀଠାକୁର ନାମକ ଜଣେ ଇଂରେଜ ବିଶ୍ବାସୀ ଲକ୍ଷ୍ମୀ ବାଈଙ୍କର ଜଣେ କୃତଘ୍ନ ସୈନିକ) ବ୍ୟକ୍ତି ଖବର ଦେଲେ ଯାହାକୁ ଧରାଯାଇଛି, ସିଏ ଝାନସୀରାଣୀ ଲକ୍ଷ୍ମୀବାଈ ନୁହଁନ୍ତି, ତାଙ୍କ ଚେହେରା ସହ ସାମଞ୍ଜସ୍ୟଥିବା ତାଙ୍କର ଜଣେ ଦୁର୍ଦ୍ଦଷ ମହିଳା ସୈନିକ ।ଏଥିରେ ଉତକ୍ଷିପ୍ତ ବ୍ରିଟିଶ ବାହିନୀ ଜାଣିଲେ ତାଙ୍କ ସହିତ ଧୋକା ହୋଇଛି,ଲକ୍ଷ୍ମୀବାଈଙ୍କ ସହିତ ଏତେ ସାମଞ୍ଜସ୍ୟଥିବା ମହିଳା ଯୋଦ୍ଧାଙ୍କୁ ଛାଡିଦେଲେ ବହୁତ ବିପଜ୍ଜନକ ହୋଇ ପାରେ,ତେଣୁ ସେମାନେ ତାଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ନେଲେ ଓ ୫ ଏପ୍ରିଲ ୧୮୫୮ରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ପ୍ରାୟ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଦେଖାଯାଉଥିବା ଏ ଵୀରା ରମଣୀ କିଏ ଜାଣନ୍ତି, ସିଏ ହେଉଛନ୍ତି ଉତ୍ତରପ୍ରଦେଶ ଝାନସୀ ନିକଟସ୍ଥ ଭୋଜିଲା ଗ୍ରାମର ସଦୋବା ସିଂ (କୋଲି ମୁଲଚାନ୍ଦ)ଓ ଯମୁନା ବାଈଙ୍କ କୋଳମଣ୍ଡନ କରିଥିବା ଝଲକାରା ବାଈ(୨୨ ନଭେମ୍ବର ୧୮୩୦) ।ତତ୍କାଳୀନ ସାମାଜିକ ପରମ୍ପରାନୁଯାୟୀ ଏକଦଳିତ,ନିମ୍ନ(କୋଲି)ଜାତିରେ ଜନ୍ମ ହୋଇ ଥିବାରୁ ଝଲକାରା ବାଈଙ୍କୁ ପାଠପଢ଼ାରେ କଟକଣା ଥିଲା,ପିଲାଦିନୁ ମାତୃ ବିୟୋଗ ପରେ ଏକାକୀ ପିତା ତାଙ୍କୁ ଅଶ୍ଵାରୋହଣ,ଅ ସିଚାଳନା, ମଲ୍ଲଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧଵିଦ୍ୟାରେ ପାରଙ୍ଗମ କରାଇଥିଲେ,ସେଥିରେ ଝଲକାରା ଖୁବ୍ ଦକ୍ଷତା ଅର୍ଜନ କରିପାରିଥିଲେ । କଥା ଅଛି,ଥରେ ଝଲକାରାଙ୍କୁ ଏକ ବାଘ ଆକ୍ରମଣ କରିବାରୁ ତାକୁ ସିଏ ଏକ କୁରାଢ଼ୀ ସାହାଯ୍ୟ ରେ ମାରି ଦେଇଥିଲେ ଏବଂ କିଶୋରୀଵେଳେ ଏକଦା ବଣରେ ଗାଈ ଚରାଇବା ବେଳେ ଏକ ଚିତାବାଘ ଆକ୍ରମଣ କରିବାରୁ ତାକୁ ସେଇ ଗାଈଚରା ବାଡ଼ିରେ ପିଟି ପିଟି ମାରିଦେଇ ଥିଲେ,ପୁଣି ଥରେ ଗାଁକୁ ଆସିଥିବା ଏକ ଡକାୟତ ଦଳକୁ ତରୁଣୀ ଝଲକାରା ଏକାକୀ ତଡି ଦେଇ ଥିଲେ, ଏସବୁ ଅସାଧାରଣ ବୀରତ୍ୱର ପରିଚୟ। ସବୁଠୁ ବଡ଼ କଥା ହେଲା ଝାନସୀରାଣୀ ଲକ୍ଷ୍ମୀବାଈଙ୍କ ଚେହେରା ସହିତ ଝଲକାରାଙ୍କର ଅପୂର୍ବ ସାମଞ୍ଜସ୍ୟ ଥିଲା । ଥରେ ଲକ୍ଷ୍ମୀଵାଈ ଝଲକାରାକୁ ଦେଖି ଓ ତାଙ୍କ ବୀରତ୍ୱର ପରିଚୟ ପାଇ ତାକୁ ତାଙ୍କ ସୈନ୍ୟବାହିନୀରେ ଯୋଗଦେବାକୁ ସୁଯୋଗ ଦେଇଥିଲେ, ଝଲକାରା ମଧ୍ୟ ଖୁବଶୀଘ୍ର ସୈନ୍ୟବାହିନୀରେ ପଦୋନ୍ନତି ପାଇ ଦୁର୍ଗା (ମହିଳା) ବାହିନୀର ମୁଖ୍ୟ ଏବଂ ଲକ୍ଷ୍ମୀବାଈଙ୍କର ଜଣେ ପ୍ରମୁଖ ସାମରିକପରାମର୍ଶଦାତା ହୋଇପାରିଥିଲେ।ଇତିମଧ୍ୟରେ ଝଲକାରା ଝାନସୀ ସୈନ୍ୟ ବାହିନୀର ଜଣେ ସୈନିକ,ପୁରନ ସିଂକୁ ବିବାହ କରିସାରି ଥିଲେ ।ପୁରନ ସିଂ ହିଁ ଲକ୍ଷ୍ମୀବାଈଙ୍କ ସହିତ ଝଲକାରାଙ୍କର ସାକ୍ଷାତକାର କରାଇଦେଇଥିଲେ,ତା’ପରେ ଇତିହାସ ସୃଷ୍ଟି ହୋଇଥିଲା । ଏବେ କିଛି ପୂର୍ବାପର ପ୍ରସଙ୍ଗ ନ ଜଣାଇଲେ ଆପଣମାନେ ସଂଶୟରେ ରହିଯିବେ। ଯେତେବେଳେ ସିପାହୀ ବିଦ୍ରୋହ ପରିପ୍ରେକ୍ଷୀରେ ଲକ୍ଷ୍ମୀବାଈ ଓ ବ୍ରିଟିଶ ମଧ୍ୟରେ ଯୁଦ୍ଧରେ ଝାନସୀ ଦୁର୍ଗର ପରାଜୟ ନିଶ୍ଚିତ ହୋଇଗଲା,ସେତେବେଳେ ଝଲକାରା ନିଜକୁ ଲକ୍ଷ୍ମୀବାଈଙ୍କ ବେଶରେ ସଜାଇ ଅଶ୍ଵପୃଷ୍ଠରେ ଯୁଦ୍ଧ କରୁ କରୁ ବ୍ରିଟିଶ ଶିବିରରେ ଯାଇ ନିଜକୁ ଝାନସୀରାଣୀ ଲକ୍ଷ୍ମୀବାଈ ଭାବରେ ଆତ୍ମସମର୍ପଣ କରି ଥିଲେ, ମହତ୍ ଉଦ୍ଦେଶ୍ୟ ଥିଲା ନିଜ ନାବାଳକ ପୁତ୍ରକୁ ନେଇ ଲକ୍ଷ୍ମୀବାଈ ନିରାପଦରେ ଖସିଯାଇପାରିବେ। ପ୍ରକୃତରେ ଲକ୍ଷ୍ମୀବାଈ ଙ୍କର ଜଣେ କୃତଘ୍ନ ସୈନିକ, ଦୁଲାଜୀ ଠାକୁର ଚଞ୍ଚକତାପୂର୍ଵକ ତାଙ୍କ ଦୁର୍ଗର ଏକ ଦ୍ଵାର ଖୋଲିଦେଲେ ବ୍ରିଟିଶଙ୍କ ନିମନ୍ତେ। ବ୍ରିଟିଶ ଶିବିରରେ ଲକ୍ଷ୍ମୀବାଈ ଆତ୍ମସମର୍ପଣ କରିଥିବାରୁ ଆନନ୍ଦର ଲହରୀ ଖେଳିଯାଇଥିଲା,ସମସ୍ତେ ଆତ୍ମବିଭୋର,ଏଇ ସୁଯୋଗରେ ଝଲକାରାଙ୍କ ପରାମର୍ଶକ୍ରମେ ରାଣୀ ଲକ୍ଷ୍ମୀବାଈ ନିଜ ପୁତ୍ର ସହିତ ଅଶ୍ଵାରୋହଣ କରି ଗ୍ୱାଲିୟର୍ ଦୁର୍ଗରେ ପହଞ୍ଚିଲେ ତତ୍କାଳୀନ ସିନ୍ଧିଆ ରାଜ ପରିବାରର ସହାୟତା ନିମନ୍ତେ ଇଂରେଜଙ୍କ ବିରୁଦ୍ଧରେ,ମାତ୍ର ସିନ୍ଧିଆ ବରଂ ଇଂରେଜଙ୍କ ସହାୟତା କଲେ, ସେକଥା ପରେ । ଝଲକାରା ବାଈଙ୍କ ଅପୂର୍ବ ବୀରତ୍ୱ ଓ ଦେଶମାତୃକା ସକାଶେ ଓ ଝାନସୀରାଣୀ ଲକ୍ଷ୍ମୀବାଈଙ୍କ ଉଦ୍ଦେଶ୍ୟରେ ଅଭୂତପୂର୍ବ ଆତ୍ମୋତ୍ସର୍ଗ / ବଳିଦାନର ପ୍ରସଙ୍ଗ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବା କଥା । ମାତ୍ର ଆମ ଇତିହାସକାରମାନେ କ’ଣ ପାଇଁ ଏମିତି ଅନେକ ଅଦ୍ୱିତୀୟ ପ୍ରତିଭାଙ୍କୁ ଅନ୍ଧକାରରେ ରଖିଦେଇଛନ୍ତି ତାହା ଅଦ୍ୟାବଧି ଅଜଣା କିନ୍ତୁ ଯାହାହେଉ ଝଲକାରା ତାଙ୍କ ପ୍ରାପ୍ତ ସମ୍ମାନ ବିଳମ୍ବରେ ହେଲେ ମଧ୍ୟ ପାଇବା ଏକାନ୍ତ ସ୍ବାଗତ ଯୋଗ୍ୟ, ମଧ୍ୟପ୍ରଦେଶ ଵୁନ୍ଦେଲଖଣ୍ଡର ଆଦିବାସୀ ସମୁଦାୟ ଓ ଉତ୍ତରଭାରତର କିଛି ଜନଜାତି ଝଲକାରା ସେମାନଙ୍କ ସମ୍ପ୍ରଦାୟର ଜଣେ ଦୁର୍ଦ୍ଦଷ ବୀରାରମଣୀ,ଏତେ ବିଖ୍ୟାତ ହୋଇ ପାରି ଥିବାରୁ ତାଙ୍କୁ ନେଇ ଗର୍ଵ ଓ ଗୌରଵ ଅନୁଭଵ କରିବା ସହିତ ତାଙ୍କ ଜୟନ୍ତୀ ପାଳନ କରୁଛନ୍ତି ପ୍ରତିବର୍ଷ ୨୨ ନଭେମ୍ବରରେ । ପୁଣି ଅନେକ କୋଲି ସମ୍ପ୍ରଦାୟ ୫ ଏପ୍ରିଲରେ ଝଲକାରା ବାଈ ଶହୀଦ ହୋଇଥିବା ଦିନ”ଶହୀଦ ଦିବସ”ଭାଵେ ପାଳନ କରୁଛନ୍ତି, ଏସବୁ ପ୍ରାୟ ୧୯୯୦ରୁ ଆରମ୍ଭ ହୋଇଛି।ଵୁନ୍ଦେଲଖଣ୍ଡବାସୀ ତାଙ୍କ ନାମକୁବ୍ୟବହାର କରି ସ୍ଵତନ୍ତ୍ର ରାଜ୍ୟ ଦାବୀକୁ ତୀବ୍ରତର କରୁଛନ୍ତି।ଗ୍ୱାଲିୟରରେ ଝଲକାରା ବାଈଙ୍କର ଏକ ଯୁଦ୍ଧମୁଦ୍ରାରେ ଅଶ୍ଵାରୋହଣ ପ୍ରତିମୂର୍ତ୍ତି ଶୋଭା ପାଉଛି, ଭୋପାଳରେ, ଗୁରୁ ତେଗ୍ ବାହାଦୁର କମ୍ପେକ୍ଲସରେ,୨୦୧୭ ନଭେମ୍ବର ୧୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଝଲକାରା ବାଈଙ୍କ ଏକ ପୂର୍ଣ୍ଣାବୟବ ଯୋଦ୍ଧା ପ୍ରତିମୂର୍ତ୍ତି ଉଦଘାଟନ କରିଛନ୍ତି । ୨୦୦୧ରେ କେନ୍ଦ୍ର ସରକାର ଝଲକାରା ବାଈଙ୍କ ସମ୍ମାନାର୍ଥେ ଏକ ୪ ଟଙ୍କିଆ ଡାକଟିକଟ ଜାରୀ କରିଛନ୍ତି ।ନିକଟରେ ଝାନସୀ ଦୁର୍ଗ ମଧ୍ୟରେ ପଞ୍ଚ ମହଲ ନାମକ ଏକ ପାଞ୍ଚତାଲା ବିଶିଷ୍ଟ ମ୍ୟୁଜିୟମ୍ ପ୍ରତିଷ୍ଠା କରିଛି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଝଲକାରା ବାଈଙ୍କ ଉଦ୍ଦେଶ୍ୟରେ । ବୁନ୍ଦେଲୀ ଭାଷାର ଉପନ୍ୟାସ “ମାଟି” ଓ ବି.ଏଲ.ଵର୍ମାଙ୍କର ଉପନ୍ୟାସ “ଝାନସୀକି ରାଣୀ”ରେ ଝଲକାରା ବାଈ ଚରିତ୍ରର ସ୍ବତନ୍ତ୍ର ଉପସ୍ଥାପନା ରହିଛି ।୨୦୧୯ର ହିନ୍ଦୀ ଚଳଚ୍ଚିତ୍ର”ମଣିକର୍ଣ୍ଣିକା”ରେ ନାୟିକା କଙ୍ଗନା ରଣାୱତ ହୋଇଥିବା ବେଳେ ଝଲକାରା ବାଈଙ୍କ ଚରିତ୍ରକୁ ରୂପାୟିତ କରିଛନ୍ତି ମରାଠି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଇତିହାସ ଝଲକାରାଙ୍କୁ ଯଥୋଚିତ ପରିଚୟ ନଦେଲା ନାହିଁ, ସେ ଉତ୍ତର ଭାରତର ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ତାଙ୍କ ଅପୂର୍ଵ ବୀରତ୍ୱ,ଅପରିମିତ ସାହସ, ଅଭୂତପୂର୍ବ ଦେଶପ୍ରେମ ନିମନ୍ତେ ଘରେ ଘରେ ଏକ ଶ୍ରଦ୍ଧାନାମ ।ଭାରତ ସରକାରଙ୍କ ପ୍ରକାଶନ ବିଭାଗ ଝଲକାରାଙ୍କର ଏକ ପୂର୍ଣ୍ଣାଙ୍ଗ ଆତ୍ମଜୀବନୀ ରଚନା ଓ ପ୍ରକାଶନ ସକାଶେ ଗବେଷଣାରତ । ଝଲକାରାଙ୍କୁ ଫ୍ରାନ୍ସର”ଜୋଆନ ଅଫ୍ ଆର୍କ”ସହିତ ତୁଳନା କରାଯାଏ।ଶେଷ ସମୟରେ ବ୍ରିଟିଶ ଶିବିରରେ ଥାଇ ମଧ୍ୟ ତାଙ୍କ ବୀରତ୍ୱରେ ମୁଗ୍ଧହୋଇ ଜେନେରାଲ ରୋଜ କହିଥିଲେ”ସାବାସ ରମଣୀ,ଯୋଉ ଦେଶର ରାଣୀଙ୍କର ସାମାନ୍ୟ ସୈନିକ ଏତେ ବାହାଦୁର ସେ ରାଣୀ କେମିତି ହୋଇଥିବେ !ଭାରତର ୧% ରମଣୀ ଯଦି ଝଲକାରାଙ୍କର ଭଳି ହୋଇ ପାରିବେ ତାହେଲେ ବ୍ରିଟିଶ ସବୁ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ ।”ଏହାହିଁ ଝଲକାରାଙ୍କ ନିମନ୍ତେ ଶ୍ରେଷ୍ଠ ସମ୍ମାନ ।
ଲେଖକ : ଜୟନ୍ତ ପଟ୍ଟନାୟକ ମୋ-୯୦୯୦୧ ୯୦୦୬୯