ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଘଂନ କରି ଜିଲ୍ଲାର ୬୩୧୩ ପରିବାରଙ୍କୁ ଉଛେଦ ପ୍ରୟାସ ପ୍ରତିବାଦରେ ଆନ୍ଦୋଳନ ଧମକ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ଉଲ୍ଲଂଘନ କରି ଗଞ୍ଜାମର ୬୩୧୩ ପରିବାରଙ୍କ ଅଧିକାରକୁ ଉପେକ୍ଷା କରିବା ପ୍ରତିବାଦରେ ଆଦିବାସୀ-ବନବାସୀଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖକରାଯାଇପାରେ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ର ମୁଖବନ୍ଧରେ ଉଲ୍ଲେଖ ଅଛି ଯେ ବହୁ ବର୍ଷ ଧରି ଆଦିବାସୀ ତଥା ଅନ୍ୟାନ୍ୟପାରମ୍ପରିକ ବନବାସି ଅକ୍ତିଆରରେ ରଖିଥିବା ଜଙ୍ଗଲ ଜମିଙ୍କୁ ସେମାନଙ୍କ ନାମରେ ନାମିତ କରିବା କିନ୍ତୁ ତାଙ୍କର ଅଧିକାରକୁ ସ୍ୱୀକୃତି ନ ଦେଇ ସରକାର ଐତିହାସିକ ଅନ୍ୟାୟ କରିଛନ୍ତି । ଆଇନୀକୁ ଭୁଲିଯାଇ ବର୍ତ୍ତମାନ ସରକାର ସ୍ୱୀକୃତି ଦେବା ବଦଳରେ ଜଙ୍ଗଲ ଜମିରୁ ଆଦିବାସୀ ଓ ପାରମ୍ପରିକ ବନବାସି ମାନଙ୍କର ଜଙ୍ଗଲ ଜମି ଦାବିପତ୍ରକୁ ନାକଚ କରି ଉଚ୍ଛେଦ କରିବା ପାଇଁ ଯୋଜନା କରୁଛନ୍ତି । ଏହି ଚିନ୍ତାଧାରା ଆଦିବାସି ଓ ବନବାସିମାନଙ୍କ ପାଇଁ ଘୋର ଅନ୍ୟାୟ କରାଯାଇଛି । ବିଶେଷସୂତ୍ରରୁ ଜାଣିବାକୁ ମିଳୁଛି ଯେ ରାଜ୍ୟ ସରକାର ପ୍ରଥମେ ତରବରିଆ ଭାବେ ମିଥ୍ୟା ସତ୍ୟପାଠ ଜରିଆରେ ସୁପି୍ରମକୋର୍ଟକୁ ଜଣାଇଲେ ଯେ ଓଡ଼ିଶାର ୧୪୮୮୭୦ ପରିବାରଙ୍କର ଜଙ୍ଗଲ ଜମି ଦାବିପତ୍ର ନାକଚ କରାଯିବ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ହେଉଛି ୬୪୦୨ ପରିବାର । ଏହାର ବିରୋଧରେ ସିଏସଡି ଓଡ଼ିଶା ଗତ ୨୨ ଜୁଲାଇରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରିଥିଲା ଯାହା ଫଳରେ ରାଜ୍ୟ ସରକାର ପୁଣି ତରବରିଆ ଭାବେ ସୁପି୍ରମକୋର୍ଟରେ ମିଥ୍ୟା ସତ୍ୟପାଠ କରି ଜଣାଇଲେ ଯେ ଓଡ଼ିଶାର ୧୩୮୫୧ ପରିବାରଙ୍କର ଦାବିପତ୍ର ନାକଚ କରାଯିବ । ସେଥିମଧ୍ୟରୁ ଗଞ୍ଜାମ ଜିଲାର ଭାଗ ହେଉଛି ପାଖାପାଖି ଅଧା ପରିବାର ବା ୬୩୧୩ ପରିବାର । ଏହି ତଥ୍ୟରୁ ଜଣାଯାଏ ଯେ ଜିଲାର ଏସଡିଏଲସି ଓ ଡିଏଲସିର ଆଦିବାସି ଓ ବନବାସିଙ୍କ ପ୍ରତି କେତେ ଦରକ ଓ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରି କରିବାରେ କେତେ ଆଗ୍ରହ ସରକାରଙ୍କ ଅଛି । ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନର ଧାରା ୪ର ୫ କହେ ଜଙ୍ଗଲ ଅଧିକାର ଦାବି ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏଁ ଆଦିବାସୀ ଓ ପାରମ୍ପରିକ ବନବାସିମାନେ ଭୋଗ ଦଖଲ କରୁଥିବା ଜଙ୍ଗଲ ଜମିରୁ କେହି ଉଚ୍ଛେଦ କିମ୍ବା ବିତାଡ଼ିତ କରିପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି । ପ୍ରକୃତରେ ଯାଞ୍ଚ ନ କରି କିପରି ନାଚକ ତାଲିକା କରିଲେ ସେ କଥା ପ୍ରଶାସନକୁ ଜଣାଅଛି ବୋଲି ଅଭିଯୋଗ ହୋଇଛି । ସେହିପରି ସଂଶୋଧିତ ନିୟମ୨୦୧୨ ଧାରା ୧୨ (କ ର୫) କହୁଛି ଦାବି ସପକ୍ଷରେ କହିବାକୁ ଉପଯୁକ୍ତ ସୁଯୋଗ ଦିଆ ନ ଯାଇ ଦାବିଦାରର ଦାବିକୁ ନାକଚ କରାଯାଇପାରିବନାହିଁ । ଗଞ୍ଜାମ ଜିଲାର ଦାବିଦାରଙ୍କୁ ଦାବି ସପକ୍ଷରେ କହିବାକୁ ସୁଯୋଗ ନ ଦେଇ ୬୩୧୩ ଦାବିଦାରଙ୍କ ଦାବିକୁ ନାକଚ କରିଲ କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସଂଶୋଧିତ ନିୟମ ୨୦୧୨କୁ ଦେଖିଲେ ଜଣାପଡ଼େ ଯେ ନିୟମର ଧାରା ୧୨(କ)ର ୬ କହୁଛି ଉପଖଣ୍ଡ ସ୍ତରୀୟ କମିଟି କିମ୍ବା ଜିଲାସ୍ତରୀୟ କମିଟି ଗ୍ରାମ ସଭାର ସଂକଳ୍ପ ନାମା ତଥା ସୁପାରିଶକୁ ଅସମ୍ପୂର୍ଣ୍ଣ ଅଥବା ଅଧିକ ପରିକ୍ଷଣ କରିବା ଆବଶ୍ୟକ ମନେ କଲେ ଦାବିପତ୍ରକୁ ନାକଚ ଓ ପରିବର୍ତ୍ତନ କରିବା ବଦଳରେ ପୁନଃ ଗ୍ରାମସଭାକୁ ପରୀକ୍ଷଣ ପାଇଁ ପ୍ରେରଣ କରିବେ ବୋଲି ନିର୍ଦେଶ ନାମା ରହିଛି । କିନ୍ତୁ ଗ୍ରାମସଭାକୁ ନ ଫେରାଇ କେଉଁ ଅଧିକାରରେ ୬୩୧୩ ଦାବିପତ୍ରକୁ ନାକଚ କରିଲେ ତାହାର ଜବାବ ଦିଅ ବୋଲି ସେମାନେ ଦାବି କରିଛନ୍ତି । ପୁଣି ସଂଶୋଧନ ନିୟମ ୨୦୧୨ର ଧାରା ୧୨ (କ)ର ୧୦ ର ସି ରେ ଉଲ୍ଲେଖ ଅଛି ଯେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି ବ୍ୟତିତ କେହି ହେଲେ ଦାବିପତ୍ର ଉପରେ ପରିବର୍ତ୍ତନ, ନାକଚ କିମ୍ବା ନିଷ୍ପତ୍ତି ନେଇପାରିବେ ନାହିଁ । ଏଠି ପୁଣି ପ୍ରଶ୍ନ ଉଠୁଛି ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି କିଛି ନ ଜାଣି ଜିଲ୍ଳାର ଏସଡିଏଲସି ଏବଂ ଡିଏଲସି କେମିତି ୬୩୧୩ ପରିବାରଙ୍କର ଦାବିପତ୍ରକୁ ନାକଚ କଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ଆଇନ ଓ ନିୟମକୁ ଅଣଦେଖା କରି ଜିଲା ପ୍ରଶାସନ ନେଇଥିବା ନାକଚ ପ୍ରସ୍ତାବକୁ ସାରା ଜିଲାର ଆଦିବାସୀ ଓ ପାରମ୍ପରିକ ବନବାସିମାନେ ଦୃଢ଼ ନିନ୍ଦା କରିବା ସାଥେ ସାଥେ ଆଗାମୀ ଦିନରେ ନିଜର ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ସେମାନେ ଚେତାବନୀ ଦେଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ୬୩୧୩ ପରିବାରଙ୍କ ଜଙ୍ଗଲ ଅଧିକାର ଦାବିପତ୍ରକୁ ନାକଚ କରାଯାଇଛି । ଏମାନଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକ ୪୪୯, କୁକୁଡ଼ାଖଣ୍ଡି ୫୫୩, ପାତ୍ରପୁର ୭୮୪, ସାନଖେମୁଣ୍ଡି୯୧୦, ଚିକିଟି ୪୪, ଛତ୍ରପୁର ୬୬, ଗଞ୍ଜାମ ୫୪୪, ବେଗୁନିଆପଡ଼ା ୧୧, ଖଲିକୋଟ ୧୯୮, ପୋଲସରା ୧୫୪୪, ଭଞ୍ଜନଗର ୨୬୯,ସୋରଡ଼ା ୭୦, ଜଗନ୍ନାଥପ୍ରସାଦ ୯୦, ବୁଗୁଡ଼ା ୧୫୫, ଧରାକୋଟ ୭୮୦, ଶେରଗଡ଼ ୨୩, ବେଲଗୁଣ୍ଠା ୮, ଆସ୍କା ୧୫ଟି ପରିବାର ଅନ୍ତର୍ଭୁକ୍ତ । ଏ ସମ୍ପର୍କରେ ସ୍ଥାନୀୟ ନବୀନ ଭବନ ଠାରେ ଜିଲାର ଆଦିବାସୀ ମାନଙ୍କ ନେତୃତ୍ୱ ନେଉଥିବା କର୍ମକର୍ତ୍ତାମାନଙ୍କ ଏକ ବୈଠକ ଜଗବନ୍ଧୁ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରବି ରଥ, ଚାଷୀ ନେତା ସୀମାଞ୍ଚଳ ନାହାକ, ଭିଟାମାଟି ସୁରକ୍ଷା ଅଭିଯାନର ବିଜୟ କୁମାର ସ୍ୱାଇଁ, ଗଞ୍ଜାମ ଆଦିବାସୀ ମଞ୍ଚର ଅଭିମନ୍ୟୁ ପାତ୍ର ପ୍ରମୁଖ ଯୋଗଦେଇ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସରକାରଙ୍କବୈମାତୃକ ମନୋଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚରଣ ଶବର (ଖଲିକୋଟ), ନିରଞ୍ଜନ ଶବର ଓ ଲିଙ୍ଗରାଜ ଜାନି(ପୋଲସରା), ବଳଭଦ୍ର ମଲିକ (ବୁଗୁଡ଼ା), ଭରତ ମଲିକ ଓ ତ୍ରିନାଥ ମଳିକ (ଭଞ୍ଜନଗର), ପୂର୍ଣ୍ଣଚନ୍ଦ୍ର ମଲିକ (ଶେରଗଡ଼), ପୂର୍ଣ୍ଣଚନ୍ଦ୍ର ପ୍ରଧାନ(ଜଗନ୍ନାଥପ୍ରସାଦ), ପିତାମ୍ବର ଶବର (ବେଗୁନିଆପଡ଼ା), ଶ୍ରୀଧର ଶବର (ଖଲିକୋଟ), ମୁଜେଶ ଦଳ ବେହେରା ଓ ସନ୍ତୋଷ ଶବର (ଶେରଗଡ଼),ସୁରେନ୍ଦ୍ର ଶବର ଓ ଧୋବା ଶବର (ବେଗୁନିଆପଡ଼ା) ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ରବି ରଥ