ଛଦ୍ମବେଶୀ କୃତଘ୍ନ…

ଦୁନିଆର ବଡ଼ଦାଣ୍ଡରେ ନିୟତିର ନନ୍ଦିଘୋଷ ରଥ ଗଡ଼ିଲା ଭଳି ମଣିଷ ଜୀବନର ସମୟ ସଂସାର ଦାଣ୍ଡରେ ଗଡି ଗଡ଼ି ଚାଲେ । ହତଭାଗ୍ୟ, ମଂଦଭାଗ୍ୟ, ନିଷ୍ଠୁରବେଳା, ଶନିଦଶା ଭଳି ହତଚକିତ ଶବ୍ଦ ମଣିଷର ଜୀବନ ପୃଷ୍ଠାରେ ସଂଯୋଜିତ ହୋଇଥାଏ । ଅନ୍ୟ ଏକ ଦିଗରେ ପ୍ରସନ୍ନବଦନା, ଲକ୍ଷ୍ମୀସୁତ, ଉତ୍ତମ ବେଳାକାଳରେ ଜନ୍ମ, ସଦାବିଜୟୀ, ସୁଲକ୍ଷଣା, ସୌଭାଗ୍ୟବନ୍ତ, ମାଟି ଧରିଲେ ସୁନା ଇତ୍ୟାଦି ନାମରେ ନାମିତ ହୋଇଥାଏ ଅନେକ ଲୋକଙ୍କର ଭାଗ୍ୟ । କିନ୍ତୁ ଭାଗ୍ୟହାତେ ଡୋରି ବନ୍ଧା ହୋଇଥାଏ, ଏଇକଥା ଜେଜେବାପା ଅମଳର ଲୋକମାନେ ଅବଧାନଙ୍କ ପୁରାଣ ତୁଣ୍ଡରୁ ଶୁଣି ସର୍ବଦା ଉପଦେଶ ଦେଇଥାନ୍ତି ଉକ୍ତ କ୍ଷୁଦ ଗଳ୍ପଟିର ଲଗ୍ନରେ ଚାରୋଟି ସମବୟସ୍କ ପୁରୁଷ ସାଙ୍ଗଙ୍କର କଥା କଲମରେ ରୂପ ଦେଲାବେଳେ ସୃଷ୍ଟି ହୋଇଛି, “ଛଦ୍ମବେଶୀ କୃତଘନ” କ୍ଷୁଦ୍ରଗଳ୍ପଟି ଋତୁଚକ୍ରର ଆବର୍ତ୍ତନରେ ପଦାର୍ପଣ କରିଥାଏ–ବର୍ଷା, ବୈଶାଖ ଓ ବସନ୍ତ । ବୈଶାଖର ଝାଞ୍ଜିଖରା, ଉଷ୍ମ ରୌଦ୍ରତାପର ପ୍ରଖରତାରେ ମରୁମରୀଚିକାର ଜଗତକୁ ଲୋକେ ଦେଖିଥାନ୍ତି । ଆଷାଢ଼ର ଘଡଘଡ଼ି ଶବ୍ଦର ବଜ୍ରନିର୍ଘୋଶ ବାଣୀ ପୁଣି ବିକଟାଳ ଶବ୍ଦକୁ ମେଘରାଜା ଧରିତ୍ରୀକୁ ଶବ୍ଦସମ୍ଭାର ପ୍ରଦାନ କରିଥିବା ବେଳେ ବିଜୁଳିର ଚମକତାର ଆକର୍ଷଣ ସାଙ୍ଗକୁ ଅନର୍ଗଳ ବାରିପାତକୁ ମାଟି ମା” ସହ୍ୟ କରିବା ସ୍ଥଳେ ବସନ୍ତର ମାଦକତାର ସତେଜ ରୂପକୁ ଏ ବିଶ୍ୱ ଦେଖିଛି । ଏହା ହେଉଛି ପ୍ରକୃତିରାଣୀର ଗହନ କଥା । ସେହିଭଳି ପ୍ରକୃତିର ସରସତାକୁ ଭେଦନକରି ମାନବର କୃତ୍ରିମତାକୁ ଅବଗାହନ କରି ଆସିଥିବା ଚାରିତ୍ରମାନଙ୍କ ସମ୍ପର୍କରେ କେଇପଦ କଥା । ନିରଳସ ପ୍ରକୃତିର ସୁଲଭତାକୁ ବେଖାତିର କରି ବିଷ ବଳୟ ଭିତରେ ଛନ୍ଦି ହୋଇଥିବା କେଇ ମୁହୂର୍ତ୍ତ ଜୀବନର ଉଦାହରଣ ମୋର ଏଇ ପୃଷ୍ଠାରେ ସ୍ଥାନିତ ହୋଇଛି । ଉଗ୍ରଆଧୁନିକତାର ଦ୍ୱାରଦେଶରେ ଆମ ଦେଶ ଓ ବିଶ୍ୱ । କାଳର କରାଳ ଗତି କେତେ ଇତିହାସକୁ ଗିଳି ହଜମ କରିସାରିଲାଣି । କାଶ୍ମୀରଠାରୁ କନ୍ୟାକୁମାରୀ ଭିତରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ସମସ୍ତେ ମଣିଷ ହେଲେ ମଧ୍ୟ କିଏ ଉଚ୍ଚ ପାର୍ବତ୍ୟାଞ୍ଚଳ, ମାଳଭୂମି, ସମତଳ ଅଞ୍ଚଳ ତ କିଏ ଉପକୂଳବର୍ତ୍ତୀ ପୁଣି କିଏ ମରୁ ଅଞ୍ଚଳରେ । ପରିବେଶର ଭିନ୍ନତା ଦୃଷ୍ଟିରୁ ଖାଦ୍ୟ, ପାନୀୟ, ବେଶ, ପୋଷାକ, ସଂସ୍କାର, ସଂସ୍କୃତି, ବର୍ଣ୍ଣ, ବୈଭବର ବିଭିନ୍ନତା ଦୃଶ୍ୟ ହୋଇଥିଲେ ମଧ୍ୟ ସମସ୍ତେ ଗୋଟିଏ ମାନବ ଜାତି । ଏଇଠି ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ, ଏକବିଂଶ ଶତାବ୍ଦୀରେ ମଣିଷ ଆଧୁନିକତାର ଚରମସୀମାରେ ଉପନୀତ। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଉଦ୍ଭଟ ସମସ୍ତଙ୍କ ପାଖରେ ପହଞ୍ଚିସାରିଛି । ମଣିଷ ଆଜି କୃତ୍ରିମବସ୍ତୁର ବନ୍ଧୁ ପାଲଟିଯାଇଛି । ସାଥି ଚୟନରେ କୃତ୍ରିମ,ନିର୍ଜୀବ ଏବଂ ଜଡ଼ବସ୍ତୁର ଉପାଦାନକୁ ପ୍ରାଧାନ୍ୟ ଦେଇଥିଲା ବେଳେ, ମାନବ ପ୍ରେମ ଆଜି ଚୁଲିଚାଳକୁ ଚାଲିଯାଇଛି । ଆଜି ଲଢେଇ ଚାଲିଛି, ଦେବ ଓ ଦାନବର,ପ୍ରାକୃତିକ ଓ କୃତ୍ରିମ ବସ୍ତୁର, ନ୍ୟାୟ ଓ ଅନ୍ୟାୟର । ସବୁଥାଇ ନଥିଲା ଭଳି ଅନୁଭବ ହୁଏ, ଅନେକ ଯେମିତି———? ଯେମିତି ଭାଇ ଥାଇ ଭ୍ରାତୃହରା,ବାପା ମା’ଥାଇ ପିତୃମାତୃହରା, ବନ୍ଧୁ ଥାଇ ବନ୍ଧୁହରା । ଏଇ ମାନସିକତାର ପ୍ରଗତି, ଏଇ ମାନସିକତାର ଲଢ଼େଇରେ ଆଜିର ମାନବ ଗତିଶୀଳ । ପ୍ରଶଂସାରେ ଶତମୁଖ ହୋଇପଡେ ନିର୍ଜୀବକୁ । ଜୀବନ ଜୀବନ୍ତ ନହୋଇ ଯନ୍ତ୍ରଣାମୟ ହେଉପଛେ ଅପ୍ରାକୃତିକ ସ୍ନେହକୁ ଆପଣି ନେଇ ମଣିଷ ତାସର ଘର ବନାଇବାରେ ବ୍ୟସ୍ତ । ଗଦାଗଦା କଂକ୍ରିଟ ଘର, ଗଦାଗଦା କଳକାରଖାନା, ନାରଖାର ଆଜି ସବୁଜ-ବନାନୀଭରା କ୍ଷେତବାଡ଼ି । ଏହି ମନ୍ଦ ଆଭିଜାତ୍ୟର ପରିବେଶ ଭିତରେ ଗଢ଼ା ଚାରୋଟି ବନ୍ଧୁଙ୍କ ଜୀବନଶୈଳୀ । କଲମ ବର୍ତ୍ତମାନ ଆଙ୍କିଚାଲୁଛି ଚାରୋଟି ବନ୍ଧୁଙ୍କ ଅବୟବକୁ । ବାଲ୍ୟକାଳରୁ ଗୋଟିଏ ଜନ୍ମମାଟିର ଏନ୍ତୁଡ଼ିଘର ହୋଇଥିଲା । କାଳକ୍ରମେ ସେମାନେ ଶିଶୁ ଜୀବନରୁ ବିଦ୍ୟାଳୟ ଜୀବନ ଓ ପରବର୍ତ୍ତୀ ଅବସ୍ଥାରେ କିଛି ରୋଜଗାରର ମାନସିକତାକୁ ନେଇ ଏକତ୍ର ହୋଇ ଏକ ବ୍ୟବସାୟିକ ସଂସ୍ଥା କରିବାକୁ ମନସ୍ଥ କରି ଏହାର ଶୁଭାରମ୍ଭ କରିଥିଲେ। ସରଳ,ବୋଧଗମ୍ୟ ମନେ ହେଉଥିବା ଚାରିଜଣ ସାଂଗଙ୍କ ଜୀବନ ଆନନ୍ଦମୟ ହୋଇଉଠିଲା । ବୟସରେ ଅଳ୍ପ କିଛି ଫରକ ଥିଲା ସମସ୍ତଙ୍କ ମଧ୍ୟରେ । କିନ୍ତୁ ସବୁଠାରୁ ସରଳ ଓ ନିଷ୍କପଟ ମନେହେଉଥିବା ପିଲାଟି ଉଚ୍ଚ ଶିକ୍ଷିତ ଓ ଚାଲାକ ଚତୁର ମଧ୍ୟ ଥିଲା । କିନ୍ତୁ ସଚ୍ଚୋଟ- ପଣିଆ ତା’ ଅଙ୍ଗରେ ସଙ୍ଗ ହୋଇଯାଇଥିଲା । ବୁଝିଯାଇଥିଲା ମାନବର ପ୍ରକୃତ ପଣିଆକୁ । ଅଧ୍ୟୟନଲବ୍ଧ ପ୍ରତିଟି ଶିକ୍ଷାକୁ ବାସ୍ତବ ଜୀବନରେ ପ୍ରେରିତ କରିଥିଲା । ଅହରହ ପରିଶ୍ରମ ତାକୁ ଗଢିତୋଳିଥିଲା ଏକ ଉଚ୍ଚ ଶିକ୍ଷିତ, ବିଦ୍ୱାନ, ପରୋପକାରୀ ବନ୍ଧୁ ଭାବରେ । ସ୍ୱଚ୍ଛ, ଶୁଦ୍ଧ, ନିର୍ମଳ ଥିଲା ତାର ମନ, ପ୍ରାଣ ସବୁକିଛି । କାହାର ଅନିଷ୍ଟରେ ନିଜର ମଙ୍ଗଳ ଚିନ୍ତା କେବେବି ସ୍ୱପ୍ନ ଦେଖିନି ସେ ବନ୍ଧୁତା ଯେମିତି ନୈସର୍ଗିକ ଦାନ ଥିଲା ଚାରି ବନ୍ଧୁଙ୍କ ପାଇଁ । ଏକାଠି ସାଥି ହୋଇ ଚାଲିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ ସଭିଏଁ ଯେ କୌଣସି ପରିସ୍ଥିତିରେ ସମସ୍ତେ ସମସ୍ତଙ୍କ ସହଯୋଗ କରିବାର ପ୍ରତିଜ୍ଞା ଥିଲା ଚାରି ବନ୍ଧୁଙ୍କର । ତାଙ୍କର ଏହି ମିଳନକୁ ଅନେକେ ଟାହିଟାପରା ମଧ୍ୟ କରନ୍ତି । ପଡ଼ୋଶୀମାନଙ୍କ ଶବ୍ଦଗୁଞ୍ଜନ ଓ ନାଶିକାକୁଂଚନ କୌଣସି ପ୍ରକାର ହୀନ – ପ୍ରଭାବ ପକାଇନଥିଲା ଏଇ ବନ୍ଧୁଙ୍କ ଉପରେ । ବରଂ ଶକ୍ତ, ଦୃଢ଼ ଆଉ ମଜବୁତ କରିଥିଲା ତାଙ୍କ ସମ୍ପର୍କର ସୀମାକୁ । ଧୀରସ୍ଥିର, ନ୍ୟାୟବନ୍ତ ଓ ଉଚ୍ଚଶିକ୍ଷିତ ସହୃଦୟ ବନ୍ଧୁର ଅଦମ୍ୟ ଉଦ୍ୟମ ଫଳରେ ସେମାନଙ୍କର ବାଣିଜ୍ୟର କ୍ରମୋନ୍ନତି ହୋଇଥିଲା ଏବଂ ବାଟ ଖୋଲିଯାଇଥିଲା ସହରାଭିମୂଖୀ ହେବା ପାଇଁ । ସହରର ଉପଯୁକ୍ତ କର୍ମଭୂମିରେ ସେମାନେ ଏକତ୍ର ରହି ଅନେକ ସ୍ୱପ୍ନ ଦେଖୁଥିବା ସମୟରେ ପ୍ରଗତିର ସ୍ତର ଆକାଶଛୁଆଁ ହୋଇପାରିଲା ଗାଡ଼ି, ପ୍ରଚୁର ପରିମାଣର ଅର୍ଥ ପ୍ରଭୃତିର ମାଲିକ ହେବା ପରେ ପରିବାରର ଭରସା ଆସିଯାଇଥିଲା ଏମାନଙ୍କ ଉପରେ ।  ଉଦ୍ୟମି ଯୁବକର ଅଦମ୍ୟ ଚେଷ୍ଟାରେ ଏକ ନିଶ୍ଚିତ ପରିବର୍ତ୍ତନର ସୁଯୋଗକୁ ଅପେକ୍ଷା କରିଥିଲେ ପରିବାରବର୍ଗ । ସମସ୍ତଙ୍କ ମୁଖରେ ପ୍ରଶଂସାର ସୁଅ ଓ ଭରସାର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡୁଥିଲା । ସବୁ ସମ୍ଭାବନାର ସଂକେତର ସୁଯୋଗକୁ ହାତେଇବା ପାଇଁ ଅନ୍ୟ ଏକ ବନ୍ଧୁ ଖୋଜି- ବୁଲୁଥିଲା । ଯେଉଁଠି ଜୀବନକୁ ବାଜିମାତ କରି, ଦୀର୍ଘ ୩ବର୍ଷକୁ ଏକାକାର କରି ତିଆରି କରିଥିବା ସବୁଜ ସୁନ୍ଦର ସ୍ୱପ୍ନକୁ ଭାଙ୍ଗିବା ପାଇଁ ସୁଯୋଗ ଉଣ୍ଡିଥିଲେ ଗୋଟିଏ ବନ୍ଧୁର ପରିବାରବର୍ଗ । ସେଥିରେ ସଫଳ ହୋଇଥିଲା ତାଙ୍କ ମଂଦ ଚିନ୍ତାର ମନ୍ଦ ଉଦ୍ଦେଶ୍ୟ । ସକଳ ଚେଷ୍ଟାକରି ଗଢିଥିବା ସମ୍ପଦର ବିନ୍ଧାଣୀର ବନ୍ଧୁକୁ ଉହ୍ୟ କରି ସମସ୍ତ ଧନରାଶିକୁ ଏକାକୀ ହାତେଇବାରେ ସଫଳ ହୋଇଥିଲା କୁଚକ୍ରୀ ଚିନ୍ତାଧାରାର କୃତଘନ ବନ୍ଧୁ । ସଜାଡ଼ି ନେଇଯାଇଥିଲା ଅନ୍ୟ ୨ଜଣ ସାଙ୍ଗଙ୍କୁ । ହତବାକ, ହତଚକିତ ହୋଇ ନିରବୀ ଯାଇଥିଲା, ସେହି ଉଦ୍ୟମି ସାହସର ଯୋଦ୍ଧା । ଅଶ୍ରୁଧାର ନିର୍ଗତ ହେଉଥିଲା ନେତ୍ରଯୁଗଳରୁ । ଗଢିଥିବା ସ୍ବପ୍ନର ଭବିଷ୍ୟତକୁ ଏବଂ କଷ୍ଟାର୍ଜିତ ସମସ୍ତ ଧନରାଶିକୁ ହରାଇସାରିବା ପରେ ସେ ଏକାକୀ ହୋଇଯାଇଥିଲା ସତ, କିନ୍ତୁ ସେ ନିଷ୍ଠୁର ପରିହାସକୁ ଏବଂ ଛଳନା ଯୁକ୍ତ ବନ୍ଧୁଙ୍କର ଉନ୍ନତିରେ ଅନ୍ତରାୟ ସୃଷ୍ଟି କରିବାକୁ ଚାହୁଁନଥିଲା । ହତାଶ ମନରେ ସେ ଭଗବାନଙ୍କୁ ଏତିକି ମିନତୀ କରୁଥିଲା, ସେମାନଙ୍କର ଜୀବନପଥରେ ସେମାନେ ହାରି ନ ଯାଆନ୍ତୁ ଏବଂ ପ୍ରଭୁ ସେ କୃତଘ୍ନ ବନ୍ଧୁଙ୍କୁ ସହାୟ ହୁଅନ୍ତୁ । ଆଖିଲୁହ ଛଅତୁରେ ପଡ଼ିଲା ବେଳକୁ ନିସ୍ତବ୍ଧ ମଧ୍ୟରାତ୍ରିର ସମୟ ହୋଇଥିଲା । କାଉ, କୋଇଲି, କି ଝିଙ୍କାରୀର ଶବ୍ଦ କିଛି ବି ଶୁଣାଯାଉ ନ ଥିଲା । ଚାରିଆଡେ ଖାଲି ଅନ୍ଧକାରର ଅଦୃଶ୍ୟ ସିଂ ସିଂ ଶବ୍ଦ । ସତେଯେମିତି ଅନ୍ଧକାରରୁ ସମ୍ପୂର୍ଣ୍ଣ ଶବ୍ଦ ବାରି ହୋଇପଡୁଥିଲା, ତୁମେ ସତରେ “ଛଦ୍ମବେଶୀ କୃତଘ୍ନ” ବନ୍ଧୁ………..

ସରସ୍ୱତୀ ନାୟକ, ପୁରୀ