ଛତ୍ରପୁର ହସ୍ପିଟାଲ ପରିଦର୍ଶନ କଲେ ରାଜ୍ୟ ମେଡିକାଲ ଟିମ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ମେଡିକାଲ ଟିମର ୨ ଜଣିଆ ପ୍ରତିନିଧି ଦଳ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରିଛନ୍ତି । ମା ହେବା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥାଏ । ଏହି ମହାର୍ଘ୍ୟ ମୁହୁର୍ତ୍ତରେ ମା ମାନଙ୍କୁ ଏକ ସମ୍ମାନଜନକ ମାତୃତ୍ୱର ଅନୁଭବ ଦେବା ସହ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ “ଲକ୍ଷ” ନାମକ ଏକ ଯୋଜନା ସରକାର ପ୍ରଣୟନ କରିଛନ୍ତି । ଏହି ପ୍ରତିନିଧି ଦଳ ମାତୃତ୍ୱ ସେବାର ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିବା ସହ ମା ଓ ନବଜାତକ ନିମନ୍ତେ ଥିବା ବିଭିନ୍ନ ଆନୁସଙ୍ଗିକ ସୁବିଧା ଯଥା ପ୍ରସୂତୀ କକ୍ଷ, ଅପରେସନ କକ୍ଷ ଓ ଔଷଧ ଆଦି ବିଭିନ୍ନ ମାପଦଣ୍ଡ ଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟ ଉପରେ ଆଧାରିତ କରି “ଲକ୍ଷ” ପ୍ରମାଣପତ୍ର ପାଇଁ ମାର୍କ ପ୍ରଦାନ କରିବା ସହ ଦିଲ୍ଲୀକୁ ତଥ୍ୟ ପଠାଇଥାନ୍ତି । ରାଜ୍ୟ ସ୍ତରୀୟ ଏହି ପ୍ରତିନିଧି ଦଳରେ ଡା. ବିଜୟ ସ୍ୱାଇଁ ଓ ଡା. ମନୋରଞ୍ଜନ ମହାପାତ୍ର ରହିଥିବା ବେଳେ ଜିଲ୍ଲାର ଶକ୍ତି ଦିଗାଲ ଓ ସଞ୍ଜୟ ପରିଡା ସାମିଲ ଥିଲେ । ଛତ୍ରପୁର ହସପିଟାଲ ସୁପରିଟେଣ୍ଡେଣ୍ତ ଡା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଡା. ମନୋଜ ବାରିକ, ଡା. ଅଲେଖ ପ୍ରଧାନ, ଡା. ନିକୁଞ୍ଜ ବିହାରୀ ଦାଶ, ଡା. ସୁଦର୍ଶନ ସାହୁ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା