ଛତ୍ରପୁର ଯୁବକମାନେ ଶ୍ରୀକ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସେବା କରିଛନ୍ତି

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁରର ଯୁବକମାନଙ୍କ ଦ୍ୱାରା ଶ୍ରୀ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଇଛି I ମା’ ତାରାତାରିଣୀଙ୍କ ଚଇତି ଯାତ୍ରାରେ ଛତ୍ରପୁରର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଭକ୍ତମାନଙ୍କୁ ଉତ୍ତମ ସେବା ପ୍ରଦାନ କରି ପ୍ରଶଂସା ସାଉଁଠିଥିବା ଛତ୍ରପୁରର ସେବା ଦଳ ଗତବର୍ଷ ଭଳି ଏବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିଭିନ୍ନ ସେବାକାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ। ଏହି ଦଳ ଭୁବନେଶ୍ୱରସ୍ଥିତ ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଓ ଲୋକନାଥ ରୋଡ଼, ପୁରୀସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ରଥଯାତ୍ରାରେ ଜଳ ଯୋଗାଣଠୁ ଆରମ୍ଭ କରି ଷ୍ଟ୍ରେଚରରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ତଥା ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ । ବିଭିନ୍ନ ସେବା କାର୍ଯ୍ୟ ମଧ୍ୟରେ ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଓ ସସ୍ମିତା ପାହାଡ଼ସିଂହଙ୍କ ନେତୃତ୍ୱରେ ମହିଳା ମଣ୍ଡଳଙ୍କ ଦ୍ୱାରା ଭୋର ୪ଟାରୁ ବଡ଼ଦାଣ୍ଡ ଓ ରଥ ସମ୍ମୁଖ ପରିଷ୍କାର କରିବା ଓ ସନ୍ଧ୍ୟାରେ ରଥ ଗଲା ପରେ ବଡ଼ଦାଣ୍ଡ ପରିଷ୍କାର କରିବା ଉଲ୍ଲେଖନୀୟ ଥିଲା । ସେହିପରି ଆଇଆରଇରେ କାର୍ଯ୍ୟରତ ଟୁଟୁ ନାୟକ ସମୀର ପ୍ରଧାନଙ୍କ ସହାୟତାରେ କନ୍ଧମାଳର ଏକ ୧୦ବର୍ଷର ବାଳକ ଯିଏକି ଭିଡ଼ ଭିତରେ ହଜି ଯାଇଥିଲା ତାକୁ ଖୋଜି ତା ପରିବାର ପାଖରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ସାଗରିକା ସାମନ୍ତରାୟ ବିକାଶ ମହାରଣାଙ୍କ ସହାୟତାରେ ଏକ ଗୁରୁତର ଭାବେ କ୍ଷତାକ୍ତ ହେଇଥିବା ମୁର୍ଷିଦାବାଦ, ପଶ୍ଚିମବଙ୍ଗର ଭକ୍ତଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରି ତାଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ଷ୍ଟ୍ରେଚରରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଭଳି ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଏହି ଯୁବକମାନେ। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ବେହେରା, ବିଜୟ ଜେନା, ସୁଧାଂଶୁ ବେହେରା, ଜଗଜିତ ମହାପାତ୍ର, ଡ଼ି ଶ୍ୟାମ ରାଓ, ଅନିନ୍ଦ୍ୟ ନନ୍ଦ, ସଞ୍ଜୟ ଦାସ, ମାଧବ ସାସମଲ, ଆଦିତ୍ୟ ଦାସ ପ୍ରମୁଖଙ୍କ ଅବଦାନ ସ୍ମରଣୀୟ ରହିଥିଲା।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା