ଛତ୍ରପୁରରେ କଂଗ୍ରେସର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅତିଥି ରଶ୍ମି ରଞ୍ଜନ ପଟ୍ଟନାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ମା ଉଜ୍ଜ୍ଵଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଛତ୍ରପୁର ବ୍ଲକ କଂଗ୍ରେସ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ତ୍ରିଲୋଚନ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ୨୦୧୯ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ସମ୍ପର୍କରେ କର୍ମୀମାନଙ୍କ ସହ ଆଲୋଚନା କରାଯାଇଥିଲା । ବନ୍ଧୁ ମିଳନରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଂପାଦକ ରାଜେନ୍ଦ୍ର ଜେନା ଯୋଗଦେଇ ଦଳର ସଙ୍ଗଠନକୁ ସୁଦୃଢ କରିବା ପାଇଁ ଦଳ ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  ଓ ଏଥିପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଥିଲେ । ୧୮ ବର୍ଷ ବିଜେଡି ଶାସନ କାଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ବିଜେପି ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଜେନା ଅଭିଯୋଗ  କରିଥିଲେ । ଦଳକୁ ସୁଦୃଢ କରିବାକୁ କଂଗ୍ରେସ ନେତାମାନେ ଏକତ୍ରିତ୍ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ କୁମାର ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ କଂଗ୍ରେସଦଳ ଯେଉଁ ଠିଁ  ବୈଠକ କରୁଛି ସେଠାକୁ ଅନେକ କର୍ମୀ  ପୋଲିସ ଭୟରେ ଆସିବାକୁ ଡରୁଛନ୍ତି । ପୂର୍ବତନ ବିଧାୟକ ରମେଶ ଜେନା ଜେଲରୁ ମୁକୁଳିବା ସମୟରେ ହଜାର ହଜାର କଂଗ୍ରେସ କର୍ମୀ ତାଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଛି କର୍ମୀଙ୍କୁ ଜିଲ୍ଲାର ବିଭିନ୍ନ ଥାନାରେ ଅଟକ ରଖାଯାଇଥିଲା। ଆଗକୁ ଏହିଭଳି ପୋଲିସ କଲେ ଦଳ ପକ୍ଷରୁ ଦୃଢ ବିରୋଧ କରିବା ସହ ପ୍ରତ୍ୟେକ ଥାନାରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ । ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟି ଏସବୁ ବିଷୟ କହିବା ସହ ତାର ଉପଯୁକ୍ତ ପ୍ରତିକାର କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଏବଂ ରାହୁଲ ଗାନ୍ଧୀ ଯାହା ସନ୍ଦେଶ ଦେଇଛନ୍ତି  ସେ ସମ୍ପର୍କରେ ରଶ୍ମୀ ରଞ୍ଜନ ପଟ୍ଟନାୟକ କଂଗ୍ରେସ କର୍ମୀମାନଙ୍କୁ କହିଥିଲେ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର  ୩ଟି ଜୋନର  ସଭାପତି ସୁଦାମ ପୁରୋହିତ, ଜି. ଏରିୟା, ଦେବରାଜ ପାତ୍ର, ଗୋପାଳପୁର କଂଗ୍ରେସ ନେତା ଧରମାରାଜୁ ରେଡି, ଜିଲ୍ଲା କାର୍ଯ୍ୟକାରୀ ସଂପାଦକ ସାକା ସୁଜିତ, ଶମ୍ଭୁନାଥ ପାଣିଗ୍ରାହୀ, ବିଜୟ ସାହୁ, ପ୍ରଦେଶ କଂଗ୍ରେସ କମିଟି ସଂପାଦକ ମନୋଜ ଜେନା, ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର, ବାଳିଆ ବେହେରା, ଏମ.ହାଡୁ ରେଡ୍ଡୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ବନ୍ଧୁ ମିଳନରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା