ଚିଟ୍‌ଫଣ୍ଡ ଲିଙ୍କରେ ସାମିଲ ନେତାଙ୍କ ସ୍ଥାନରେ ପ୍ୟାଚ୍‌ ପକାଇବ କି ବିଜେଡି ?…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଚିଟଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଦଳ ଏବେ ଗଳାବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏହି ମାମଲାରେ ଗିରଫ ହୋଇଥିବା କିଛି ନେତାଙ୍କୁ ବିଜେଡି ଟିକେଟ୍‌ ମିଳିନପାରେ। ତେବେ ଯେଉଁ ସ୍ଥାନରେ ସେଭଳି ନେତାଙ୍କ ପ୍ରଭାବ ଏବେ ବି ରହିଛି, ସେଠାରେ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକେଟ୍‌ ଦେଇ ଦଳ ପ୍ୟାଚ୍‌ ପକାଇବ ବୋଲି କୁହାଯାଉଛି।ଖାସ୍ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଯେଭଳି ବିଦ୍ରୋହ ଦେଖାଦେଲା, ତାହା ଯେମିତି ପରବର୍ତ୍ତୀ ପର୍ଯ୍ୟାୟରେ ନହୁଏ ସେଥିପାଇଁ ନବୀନ ନିବାସରେ ଚାଲିଛି କସରତ। ସେଥିପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରୁନି ଦଳ।ବିଧାୟକ ପ୍ରଭାତ ତ୍ରିପାଠୀ,  ପ୍ରଭାତ ବିଶ୍ୱାଳ ଏବଂ ସାଂସଦ ରାମଚନ୍ଦ୍ର ହାଁସଦା ପ୍ରମୁଖ ଚିଟ୍‌ଫଣ୍ଡ ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନ ଆସିଛନ୍ତି। ଏବେ ଏହି ତିନି ନେତାଙ୍କ ଭାଗ୍ୟ କ’ଣ ହେବ ? ଏମାନଙ୍କୁ ମିଳିବ କି ବିଜେଡି ଟିକଟ ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏମାନଙ୍କୁ ଟିକେଟ୍ ନଦେଇ ଏକ ବିକଳ୍ପ ରାସ୍ତା ଦଳ ବାହାର କରିଥିବା ଚର୍ଚ୍ଚା ହେଉଛି। ବାଙ୍କୀରେ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କ ପୁଅ ଦେବୀରଞ୍ଜନଙ୍କୁ ପ୍ରାର୍ଥୀ କରିବାକୁ ନିଜେ ପ୍ରଭାତ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଅବଗତ କଲେଣି। ଯାହାର ଏକ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ୍ ହେଉଛି। ଠିକ୍ ସେହିଭଳି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ୍ ବିଶ୍ୱାଳଙ୍କୁ ଦଳ ଟିକଟ୍ ଦେବା ସମ୍ଭାବନା ରହିଛି। ସେପଟେ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଉପରୁ ଏବେ ବି ଦଳର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇନଥିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେପଟେ ଚିଟ୍‌ଫଣ୍ଡ ମାମଲାରେ ଜେରା ହୋଇଥିବା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଦଳ ଆଉ ପ୍ରାର୍ଥୀ ନକରି ତାଙ୍କ ପତ୍ନୀଙ୍କୁ ଚିକେଟ୍ ଦେଇପାରେ।