ଚାଷୀ ଆତ୍ମହତ୍ୟାକୁ ନେଇ ସିପିଆଇ(ଏମ୍‌)ର ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ଜଳେଶ୍ୱର ଅଂଚଳରେ ଜଣେ ଚାଷୀଙ୍କ ନିଜର ଖରିଫ ଧାନ ଚାଷର କ୍ଷତିର ସାମ୍ନା କରିନପାରି ଆତ୍ମହତ୍ୟା କରିଥିବାରୁ କୃଷି ବିଭାଗର ଅବହେଳା ଓ ସ୍ଥାନୀୟ ପ୍ରଶାସନର ଉଦାସୀନତାକୁ ଦାୟୀ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୃତ ଚାଷୀର ଋଣ ଛାଡ କରିବା, ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ହେବା ଓ ତାର ବେକାର ପୁଅକୁ ଚାକିରୀ ଦେବା ଦାବି କରିଛନ୍ତି ଅନ୍ୟଥା ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମର ଲକ୍ଷ୍ମିନାରାୟଣ ଜେନା ଓରଫ ମଡିଆ ଚଳିତବର୍ଷ ସମବାୟ ବ୍ୟାଙ୍କରୁ ୩୦ ହଜାର ଟଙ୍କା, ପଂଜାବ ନେସନାଲ ବ୍ୟାଙ୍କରୁ ୨୫ ହଜାର ଟଙ୍କା ସହିତ ମୋଟ ୨ଲକ୍ଷ ଟଙ୍କାର ଋଣ କରି ନିଜର ଦେଢ ଏକର ଓ ଅଢେଇଏକର ଜମି ଭାଗଚାଷ କରିଥିଲେ । ବର୍ଷା ଓ ବନ୍ୟା ଫଳରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଚକଡା ପୋକ ଯୋଗୁଁ ଋଣ ପରିଶୋଧ ନେଇ ଲକ୍ଷ୍ମୀନାରାୟଣ ଚିନ୍ତାଗ୍ରସ୍ତ ଥିଲା । ଗତ ୧୫ ତାରିଖରେ ତାର ମୃତ୍ୟୁ ଘଟିଥିବା ବେଳେ ୧୭ତାରିଖରେ ସିପିଆଇଏମ୍‌ର ଏକ ପ୍ରତିନିଧି ଦଳ ତାଙ୍କ ଘରେ ପହଞ୍ଚି ତାଙ୍କ ପରିବାରର ଦୁର୍ଦ୍ଦଶା ଓ ଏପରି କରୁଣ ଦୃଶ୍ୟକୁ ହୃଦୟଙ୍ଗମ କରିଥିଲେ । ଅମଳ ହେବାକୁ ଥିବା ଧାନଚାଷର ୭୦ଭାଗ ନଷ୍ଟ ହୋଇଥିବାରୁ ଋଣ ପରିଶୋଧ ନେଇ ଅନନ୍ୟପାୟ ହୋଇ ସେ ଆତ୍ମହତ୍ୟା କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ମୃତ୍ୟର କିଛିଦିନ ପୂର୍ବରୁ ଚକଡାପୋକ ପ୍ରତିକାର ଲାଗି ସେ ବାରମ୍ବାର କୃଷି କର୍ମଚାରୀଙ୍କ ପରାମର୍ଶ ଲାଗି କାର୍ଯ୍ୟାଳୟକୁ ଯାଇଥିବା ବେଳେ ୮ଶହ ଟଙ୍କାରେ ମିଳିବାକୁ ଥିବା କୀଟମରା ଔଷଧକୁ ୧୫୦୦ ଟଙ୍କାରେ କିଣି ଠକାମୀର ଶୀକାର ହୋଇଥିଲା । କେବଳ ଲକ୍ଷ୍ମିନାରାୟଣ ନୁହନ୍ତି, ୨୦୧୨ ମସିହାରୁ ଦେଶରେ ୪ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟ କରିଥିବାର ସେମାନେ କହିଛନ୍ତି । ଓଡିଶାରେ ମଧ୍ୟ ଚାଷୀ ତାର ନ୍ୟାର୍ଯ୍ୟ ଅଧିକାର ପାଉନଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲିପ କୁମାର ଗିରି, ଦୀପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ଜୀବନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସିପିଆଇ(ଏମ୍‌ର) ବରିଷ୍ଠ ନେତା ନିକୁଞ୍ଜ ବସନ୍ତ ରାୟଙ୍କ ମୃତ୍ୟୁରେ ୨ ମିନିଟ୍‌ନିରବ ପ୍ରାର୍ଥନା କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା