ଚାଷୀଙ୍କୁ ସାର ଯୋଗାଇବା ଓ କଳା ବଜାର ରୋକିବା ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ କିପରି ସାର ଯୋଗାଇ ଦିଆଯିବ ଏବଂ କଳା ବଜାରୀକୁ ରୋକା ଯାଇ ପାରିବ ସେଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏ.ଆର୍.ସି.ଏସ୍., ଏସ୍.ଏ.ଆର୍.ସି.ଏସ୍., ଆଇ.ସି.ଏସ୍., ଏମ୍.ଆଇ. ଓ ଆଇ.ଏସ୍ ମାନଙ୍କ ସହିତ ଚାଷୀମାନଙ୍କର ପଞ୍ଜାକରଣ ଏବଂ ସାରର ସୁଷମ ବଣ୍ଟନ ନେଇ ଆଲୋଚନା କରିଥିଲେ । ବିଗତ ବର୍ଷ ୧ ଲକ୍ଷ ୩୪ ହଜାର ୪୬୨ ଚାଷୀ ପଞ୍ଜିକରଣ କରିଥିବା ସ୍ଥଳେ ଚଳିତ ବର୍ଷ ଏ ଯାବତ୍ ୬୬ ହଜାର ୭୬୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଯାହାକି ଶତକଡା ୪୮.୮୭ ପ୍ରତିଶତ । କରୋନା ପ୍ରଭାବ ଯୋଗୁଁ ଚାଷୀଙ୍କ ପଞ୍ଜିକରଣ କମ୍ ହେଇଥିବା ଜଣାଯାଏ । ଜିଲ୍ଲାର ଅନେକ ବ୍ଲକ୍ ରେ ଶତକଡା ୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ମାସ ୩୧ ତାରିଖ ସୁଦ୍ଧା ଚାଷୀମାନଙ୍କୁ ପଞ୍ଜିକରଣ କରିବା ସକାଶେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସମସ୍ତ ଚାଷୀ ଯେପରି ପଞ୍ଜିକରଣ ହେବେ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିମନ୍ତେ ଆବଶ୍ୟକ ହେଉଥିବା ସାର ଉପଲବ୍ଧ କରିବା ସକାଶେ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିବାକୁ କୃଷି ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ । ସାରର କଳାବଜାରୀ ରୋକିବା ନିମନ୍ତେ ଚଢାଉ କରିବା ସକାଶେ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଏବଂ କୃଷି ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ସାରର ସୁଷମ ବଣ୍ଟନ ଯେପରି ହୋଇପାରିବ ସେଥିସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାପାଇଁ ଜିଲ୍ଲାପାଳ କହିଥିଲେ । ସାଧାରଣ ସୁଷମ ବଣ୍ଟନ ପ୍ରକ୍ରିୟା ସମୟରେ ହିତାଧିକାରୀମାନଙ୍କ ଦ୍ୱାରା ଯେପରି ସାମାଜିକ ଦୂରତ୍ବ ବଜାୟ ରହିବ ଓ ମାସ୍କ ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ଯୋଗାଣ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ୱ ରଞ୍ଜନ ଦାଶ, କୃଷି ବିଭାଗୀୟ ଉପନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଯୋଗାଣ ଅଧିକାରୀ ପୁଷାମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା