ଗୋପୀକିଷନ ଭଟ୍ଟର ହସ୍‌ପିଟାଲରେ ଡାକ୍ତର ନିଯୁକ୍ତି ନ ହେଲେ ୨୩ରେ ଆନ୍ଦୋଳନ ଚେତାବନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଜଳେଶ୍ୱର ଠାରେ ଏକମାତ୍ର ରେଫେରାଲ ହସ୍‌ପିଟାଲ ଭାବେ ପରିଚିତ ଗୋପୀକିଷନ ଭଟ୍ଟର ଉପରେ ପ୍ରାୟ ୨ଲକ୍ଷ ଲୋକ ନିର୍ଭର କରନ୍ତି । ଖାଲି ଓଡିଶା ନୁହେଁ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଜିଲାର ବହୁ ଅଂଚଳ ଏହା ଉପରେ ନିର୍ଭର କରନ୍ତି । ଏହା ଓଡିଶା ଓ ପଶ୍ଚିମବଂଗ ସୀମାନ୍ତ ଜାତୀୟ ରାଜପଥ ୬୦ର ଅନତୀ ଦୂରେ ରହିଥିବାରୁ ବହୁ ସମୟରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନେ ଆସିଥାନ୍ତି । ପ୍ରତ୍ୟେହ ୫ଶହରୁ ଉର୍ଦ୍ଧ ଆଉଟ୍‌ଡୋର ରୋଗୀ ଏଠାକୁ ଆସୁଥିବା ବେଳେ ଡାକ୍ତର ନ ଥିବାରୁ ରୋଗୀମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡିଥାଏ । ଜରୁରୀ ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହୋଇ ପ୍ରାଇଭେଟ୍ ନସିଂହୋମକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ୪ଜଣ ସ୍ପେଶାଲିଷ୍ଟ ଡାକ୍ତର ଓ ୨ଜଣ ଏମ୍‌ବିବିଏସ୍ ଡାକ୍ତର ଓ ଜଣେ ନିସ୍ତେଜକ ଡାକ୍ତର ରହିବାକୁ ଥିବା ବେଳେ ମାତ୍ର ୨ଜଣ ଏମ୍‌ବିବିଏସ୍ ଡାକ୍ତର, ଜଣେ ଶିଶୁ ବିଶେଷଜ୍ଞ ରହିଛନ୍ତି । ପ୍ରସୂତୀ ବିଭାଗର ଡାକ୍ତର ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ରହୁଥିବାରୁ ରୋଗୀ ଚିକିତ୍ସା କରିବା ସମ୍ଭବ ହୋଇ ପାରୁନାହିଁ । କୋଭିଦ୍‌-୧୯ ଆଳରେ ଏଠାରେ ଥିବା ମେଡିସିନ୍ ବିଶେଷଜ୍ଞ ରତ୍ନାକର ଦାସଙ୍କୁ ଅନ୍ୟତ୍ର ବଦଳିକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଅତିଶୀଘ୍ର ଏଠାରେ ମେଡିସିନ୍‌, ଶଲ୍ୟ, ପ୍ରସୂତୀ ବିଭାଗର ଡାକ୍ତର ନିଯୁକ୍ତି ଦାବିରେ ଜଳେଶ୍ୱର ବିଜେପି ପକ୍ଷରୁ ସିଡିଏମ୍‌ଓ, ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୨୩ ତାରିଖ ମଧ୍ୟରେ ଡାକ୍ତର ନିଯୁକ୍ତି ନ ହେଲେ ବିକ୍ଷୋଭ କରାଯିବା ସହିତ ଆନ୍ଦୋଳନ କରାଯିବ ବୋଲି ବିଜେପିର ଟାଉନ୍ ସଭାପତି ଫାଲଗୁନୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ରବିନ୍ଦ୍ର କୁମାର ପାତ୍ର, ତନ୍‌ମୟ କୁମାର ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ଦେ, ରାଧାକୃଷ୍ଣ ଦାସ, ମନୋଜ ଶାସମଲ, ଅକ୍ଷୟ ପାଣିଗ୍ରାହୀ, ରାଜେଶ କୁମାର ସାହୁ, ରଂଜିତ କୁମାର ସିଂ, ରୂପକ କୁମାର ଦାସ, ବ୍ରଜକିଶୋର ଗିରି, ସୁଶାନ୍ତ ପ୍ରଧାନ, ପ୍ରତାପ ସେନାପତି ପ୍ରମୁଖ ବହୁ କର୍ମୀ ଚେତାବନୀ ଦେଇଛନ୍ତି ।