ଗୁରୁ ଦିବସ ଅବସରରେ ଭଞ୍ଜନଗର ଅଂଚଳର ଜଣେ ଆଦର୍ଶ ଗୁରୁଙ୍କ କାହାଣୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଶିକ୍ଷକ ଶ୍ରୀ କାଳିଚରଣ ନାଇକ ଜଣେ ଆଦର୍ଶ ଶିକ୍ଷକ କହିଲେ ଅତ୍ୟୁକ୍ତି ହେବ ନାହିିଁ ।ସାଧାସିଧା ବ୍ୟକ୍ତିତ୍ୱ । ମିଷ୍ଟଭାଷୀ ପରୋପକାରୀ ସର୍ବୋପରି ଛାତ୍ର ବତ୍ସଳ ଶିକ୍ଷକ । ପାଠ ପଢା ଯେମିତି ସରଳ, ସାବଲୀଳ ପ୍ରତିଟି କାର୍ଯ୍ୟରେ ସେମିତି ଉତ୍ସାହ । ସଂପ୍ରତି ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ରତ ଏହି ଶିକ୍ଷକ ଜଣଙ୍କ ପୂର୍ବରୁ ଡୁମାକୁମ୍ପା, ନାରାୟଣପାଟଣା, ନୂଆଁପଲ୍ଲୀ, ଗୁରାବାଡି ପ୍ରଭୃତି ଗାଁରେ ସଫଳ ଶିକ୍ଷାଦାନ କରି ଆଜି ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ସାଉଁଟି ଚାଲିଛନ୍ତି ଭଲପାଇବା । ଏକ ଚାଳ ଛପର ଘରେ ରହୁଥିବା ଓ ସାଇକେଲ ଚଳାଇ ଆଜି ବି ବିଦ୍ୟାଳୟ ରେ ପହଞ୍ଚୁଥିବା ଏହି ଶିକ୍ଷକ ଜଣଙ୍କ ଯେପରି ମେଳାପି ସେପରି ସମାଜସେବୀ ମଧ୍ୟ । ବିଦ୍ୟା ଅଧ୍ୟୟନ ପାଇଁ ସର୍ବଦା ତାଙ୍କଠାରେ ଦେଖିବାକୁ ମିଳେ ଉତ୍ସୁକତା । ପାଠ ପଢା ପିରିୟଡ ଆରମ୍ଭ ହୋଇଗଲେ ପିଲାମାନଙ୍କ ପାଇଁ ଭୁଲିଯାଆନ୍ତି ଭୋକ ଶୋଷ ତାଙ୍କ ପଢା ଶୈଳୀରେ ଥାଏ ଭିନ୍ନ ଏକ ମାଦକତା । ବିଦ୍ୟାଳୟକୁ ସଫା କରିବା ହେଉ କିମ୍ବା ସବୁଜିମା କରିବା ସବୁଥିରେ ଏଇ ଶିକ୍ଷକ ଜଣଙ୍କ ଅଣ୍ଟା ଭିଡି ଓହ୍ଲାଇପଡନ୍ତି ଛାତ୍ରଓ ଛାତ୍ରୀ ଙ୍କ ଗହଣକୁ । ନିଜେ କୋଡି କୋଦାଳ ଧରି ସୃଷ୍ଟି କରନ୍ତି ସୁନ୍ଦର ବଗିଚା । ବିଜ୍ଞାନ ମେଳା ହେଉ କିମ୍ବା କୌଣସି ଉତ୍ସବ ପାଳନ ସବୁଥିରେ ଆଗଭର । ଏପରିକି ଗରୀବଙ୍କୁ ସହାୟତା, ଅନ୍ଧବିଶ୍ବାସ କୁସଂସ୍କାର ଦୂର ପାଇଁ ସେ ଗ୍ରହଣ କରିଥାନ୍ତି ନାନା ପଦକ୍ଷେପ ଯାହା ତାଙ୍କୁ ଭିଡ ଭିତରୁ ସହଜେ ବାରିନେବାରେ ସହାୟତା କରେ । କୋଭିଡ ଯୁଦ୍ଧରେ ଅଗ୍ରଦୂତ ସାଜି ସେ କୋଭିଡ କ୍ବାରେନଣ୍ଟାଇନ ସେଣ୍ଟର ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ସହ ସୃଷ୍ଟି କରିଛନ୍ତି ବ୍ୟାପକ ସଚେତନତା । ଏହି ଶିକ୍ଷକ ଜଣଙ୍କର ଏତାଦୃଶ ବହୁ ପ୍ରତିଭାରେ ମୁଗ୍ଧହୋଇ ଡୁମାକୁମ୍ପା ସରପଞ୍ଚ ଶ୍ରୀମତୀ କୁଞ୍ଜଲତା ପ୍ରଧାନ ତାଙ୍କୁ ଗତ ଶିଶୁ ଦିବସରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଶିଶୁଦିବସ ପାଳନ ଅବସରରେ ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ କରିଛନ୍ତି । ଏହି ଭଳି ଜଣେ ବରେଣ୍ୟ ଶିକ୍ଷକଙ୍କୁ ଆଜିର ଏହି ପବିତ୍ର ଗୁରୁଦିବସରେ ଶତ ଶତ ନମନ ।

ରିପୋର୍ଟ : ନିଲୁ ବିଷୋୟୀ