ଗାଲୁଆଙ୍କ ବାରବାଟି ଚାଷ…

୧୯୯୮ ମସିହାରେ ପ୍ରିଜାଇଡିଙ୍ଗ ଅଫିସର ଡ୍ୟୁଟି ପଡିଥୁଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ସଂସଦ ନିର୍ବାଚନରେ । ନିର୍ବାଚନ ଜିନିଷ ନେଇ ଯିବାକୁ ଛତ୍ରପୁର ପହଞ୍ଚିବାରେ ଜାଣିଲି ଆମବୁଥ ସୁରକ୍ଷା ଦାୟିତ୍ବରେ ଅଛନ୍ତି ଜଣେ ସବଇନସପେକ୍ଟର ମନରେ ଟିକେ ଭୟ ହେଲା, କ’ଣ ଗଣ୍ଡଗୋଳିଆ ଜାଗା କି, କାରଣ ପ୍ରାୟ ବୁଥ ସାଙ୍ଗରେ ଥାଆନ୍ତି ଜଣେ କନଷ୍ଟେବଳ, ଏଠାରେ ଏସଆଇ । ଯାହାହେଉ ବୁଥର ସମସ୍ତେ ଏକତ୍ର ହୋଇ ପ୍ରାୟ ଅପରାହ୍ନ ୪.୦୦ରେ ଗାଡ଼ି ଛାଡିଲା, ଅନ୍ୟାନ୍ୟ ଦଳକୁ ବାଟରେ ଛାଡି ହିଞ୍ଜିଳିକାଟୁ ପହଞ୍ଚିଲା ବେଳକୁ ସନ୍ଧ୍ୟା ଗଡିଗଲାଣି, ସହର ନିକଟସ୍ଥ ଏକ ନାଳରେ ନିତ୍ୟକର୍ମ ସାରି ସ୍କୁଲ ପାଖ ହୋଟେଲରେ ଜଳଖିଆ ପର୍ବ ସାରି ସ୍କୁଲରେ ସମସ୍ତେ ବସି ଦୁଃଖସୁଖ ହେଲୁ । ଗଞ୍ଜାମ ଜିଲ୍ଲାସାରା ସବୁଆଡେ ଜଳଖିଆ ସ୍ବାଦିଷ୍ଟ ଏବଂ ଶସ୍ତା ମଧ୍ୟ, ସବୁଆଡେ ମିଲ ହୋଟେଲ ମିଳିବାକଷ୍ଟ, ମାତ୍ର ଆମେ ଯୋଉଠି ଜଳଖିଆ ଖାଇଲୁ ସେଠାରେ ମିଲ ମଧ୍ୟ ମିଳେ, ତେଣୁ ଆମରଆଉ ଖୋଜିବା ଆବଶ୍ୟକ ପଡିଲାନି । ଗୋଟେ କଥା ସେଠି ଦେଖିଲୁ, ରାତିରେ ଠିକରେ ଜଣା ପଡ଼ୁନଥିଲା, ସକାଳେ ଖାଇଲାବେଳେ ଦେଖିଲୁ,ସେ ହୋଟେଲ ପାଖରେ ଏବଂ ଅନ୍ୟତ୍ର ବିରାଟ ବିରାଟ ପାହାଡ଼, ତା ପୁଣି ଚଷୁର ମାନେ ଧାନ ଚୋପା, ସେଇ ସବୁ ହୋଟେଲରେ ଚକ୍ଷୁ ଜାଳି ରୋଷେଇ ହୁଏ, ଗଞ୍ଜାମ ଜିଲ୍ଲାରେ ଆହୁରି ଅନେକ ସ୍ଥାନରେ ଏପ୍ରକାର ବ୍ୟବସ୍ଥାଦେଖିବାକୁ ମିଳେ ।ଆଉ ଗୋଟିଏ ବିଚିତ୍ର କଥା ସେଠାରେ ଦେଖିବାକୁ ମିଳିଲା, ନିର୍ବାଚନ ଦିନ ସକାଳ ୭.୦୦ରୁ ଭୋଟଦାନ ଆରମ୍ଭ, ସେଦିନ ଆମେ ସକାଳ ୬.୦୦ ବେଳକୁଜଳଖିଆ ନିମନ୍ତେ ହୋଟେଲରେ ପହଞ୍ଚିବା ବେଳକୁ, ଅନେକ ପୂର୍ବରୁ ମାନେ ପ୍ରାତଃ ପାଞ୍ଚଟା ବେଳକୁ ଅନେକ ଲୋକ ଭାତ ଖାଇସାରି ଚାଲିଗଲେଣି । ଏକଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ଲାଗିଲା ବୁଝିଲା ବେଳକୁ ନିକଟସ୍ଥ ଗୋରୁ ହାଟକୁ ସେମାନେ ବେପାର ପାଇଁ ଗଲେ, ମଝିରେ ତାଙ୍କୁ ଆଉ ଵେଳହେଵନି ଖାଇବା ସକାଶେ । ଆଜି ପର୍ଯ୍ୟନ୍ତ ଆପଣ କେବେ ପ୍ରାତଃ ପାଞ୍ଚଟାରୁ କିଏ ମିଲ୍ ଖାଇବାର ଜାଣିଛନ୍ତି କି ? ପୁନଶ୍ଚ ସେଇ ନିର୍ବାଚନ ଡ୍ୟୁଟି ପ୍ରସଙ୍ଗ । ହୋଟେଲ ତ ସୁବିଧା ଥାଏ, ଜଳଖିଆଭାତ ଯାଇ ଖାଇଦେଇ ଆସୁଥାଉ, ସ୍କୁଲ ପାଖରେ ହୋଟେଲଟା । ନିର୍ବାଚନ ପୂର୍ବଦିନ ତାକୁ ଆମେ କହିଦେଲୁ, ନିର୍ବାଚନ ଦିନ ଆମେ ଆସିପାରିବୁ ନାହିଁ, ଆମ ପାଇଁ ଦ୍ୱିପ୍ରହର ଖାଇବା ପଠାଇ ଦେବ ସ୍କୁଲକୁ । ପୂର୍ବରୁ କହିଛି, ଭୋଟ ଦିନ ଆମେ ସକାଳ ୬.୦୦ବେଳୁ ଜଳଖିଆ ଖାଇ ୭.୦୦ସୁଦ୍ଧା ଭୋଟ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ବସିଗଲୁ । ପୂର୍ବଦିନ ଦିନ ଥାଉ ଥାଉ ଆମେ ନିର୍ବାଚନ ସମ୍ପର୍କୀୟ ସବୁ କାଗଜପତ୍ର କାମ ସାରିଦେଇଥିଲୁ,କାରଣ ସେ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିଲା, ଏବଂ ଆମ ସବୁ ଅଭିଜ୍ଞ ଥିଲୁ ନିର୍ବାଚନ କାମରେ । ଭୋଟଦିନ ସକାଳୁ ପାଲା ଆରମ୍ଭ ହୋଇଗଲା, ସ୍ଥାନୀୟ ଶାସକ ଦଳ କିଛି କର୍ମୀ ସବୁପ୍ରକାର ଜଳଖିଆ, ଚା, ଥଣ୍ଡାପାନୀୟ, ପାନ, ସିଗାରେଟ, ସାଦା ମସଲା ଏମିତି ସବୁକିଛି ଧରି ହାଜର, ଆମେ ଯେତେ ମନାକଲେ ଶୁଣିବାର ନାହିଁ, ବାରମ୍ବାର କହିଲେ ସାର ଆମେ ଜାଣି ପାରିଲୁନି ଆପଣମାନେ ଆମ ଜାଗାକୁ ଆସି ବାହାରେ ଖାଇଲେ, ହଇରାଣ ହେଲେ, କ’ଣ କରିବା ଭୁଲତ ହୋଇଯାଇଛି, ଆପଣମାନେ ଏସବୁର ସଦବ୍ୟଵହାର ନକଲେ ଆମ ମନ ବହୁତ ଦୁଃଖ ହେବ, ଆମ ଉପରବାଲା ଆମକୁ ବହୁତ ଗାଳିଦେବେ, ତେଣୁ ଆପଣମାନେ ଯିଏ ଯାହା ଖାଇବା କଥା ଖାଆନ୍ତୁ, କୋୖଣସି ପ୍ରକାର ଦ୍ଵିଧାବିନା । ଅଗତ୍ୟା ଆମେ କିଛିକିଛି ସେଵନ କଲୁ ପୁଣି ସେମାନେ କହିଲେ ଆମେ ଦ୍ବିପ୍ରହରକୁ ସମସ୍ତଙ୍କ ନିମନ୍ତେ ମିଲ ଆଣିଦେବୁ, ଆପଣମାନେ କୁଆଡେ ଯିବା ଦରକାର ନାହିଁ। ଆମେ କହିଲୁ, ନାହିଁ ଆମେ ସେହୋଟେଲରେ କହିଦେଇଛୁସିଏ ଏଠାକୁ ସମସ୍ତଙ୍କ ପାଇଁ ମିଲ ପଠାଇଦେଵ,ତମର କଷ୍ଟ କରିବା ଦରକାର ନାହିଁ । ମାତ୍ର ସେମାନେ ଶୁଣିବାକୁ ନାରାଜ, ନାଇଁ ସାର୍ ଆପଣତ ଆମ ଉପରେ ରାଗିଛନ୍ତି, ଆମେ ସେ ହୋଟେଲକୁ ମନା କରିଦେବୁ, ଆପଣ ସମସ୍ତଙ୍କ ପାଇଁ ଆମେ ମିଲ ଆଣିଆସିବୁ । ମଝିରେ ମଝିରେ ଥଣ୍ଡା ପାନୀୟ, ଚା, ପାନ, ସିଗାରେଟ ଏସବୁ ସୁଅ ଛୁଟୁଥାଏ, ମାଗଣା ପାଇଲେ ଖାଇବାକୁ ଲୋକଙ୍କର ଅଭାବ ନଥାଏ । ଆମେ ସବୁ ମଧ୍ୟ ତାଙ୍କ କଥା ରକ୍ଷା କରି କିଛି କିଛି ସେବନ କରୁଥାଉ, ସ୍ଥାନୀୟ ପୁଣି ଶାସକଦଳ, ଭୟ କାହାର ନାହିଁ । ମାତ୍ର ଆମ ଭିତରେ ଗୋଟେ ଗୋଠ ଖଣ୍ଡିଆ ଥିଲା, ଜଳଖିଆ ଖାଇଥିଲେ ବି ସେମାନେ ଆଣିଥିବା ଜଳଖିଆ ଖାଇଥିଲା, ଥଣ୍ଡାପାନୀୟ, ପାନ ଇତ୍ୟାଦିର ସଦବ୍ୟଵହାର କରିଥିଲା, ମାତ୍ର କ’ଣ ହେଲା କେଜାଣି ସେମାନେ ଆଣିଥିବା ମିଲ ଖାଇବାକୁ ମନାକଲା, କହିଲା ସେମାନେ ଦେବେ, ଆମେ ଖାଇବାଟା ଠିକ୍ ନୁହେଁ, ଅଵଶ୍ୟ ଜଳଖିଆ, ଥଣ୍ଡାପାନୀୟ ବେଳେ ସେକଥା ଭୁଲି ଯାଇଥିଲା । ଦଳର ମୁଖ୍ୟ, ପ୍ରିଜାଇଡିଙ୍ଗ ଅଫିସର ଭାଵେ ତାକୁ ବହୁତ ଵୁଝାଇଲି, କିନ୍ତୁ ସେ ଶୁଣିବାକୁ ନାରାଜ । ଏଇ ଯୋଉ ଦଳ ଆମ ପାଇଁ ସେଦିନ ଏତେସବୁ ଆଣିଥିଲେ, ତାଙ୍କର ଯେ ମହତ୍ ଉଦ୍ଦେଶ୍ୟ ଥିଲା, ଏକଥା ମୁଁ ଅନୁମାନ କରୁଥିଲି, ତାଙ୍କର ଉଦ୍ଦେଶ୍ୟ ଥିଲା, ଜଣେ ଜଣେ କିପରି ଏକାଧିକ ଭୋଟଦେବେ ଏବଂ ସର୍ବାଧିକ ଭୋଟଦାନ କରାଇ ରେକର୍ଡ କରିବେ । ଏସବୁ ଶାସକଦଳର ଏକପ୍ରକାର ଚାଲ୍ ଥିଲା କାମ ହାସଲ କରିବା ନିମନ୍ତେ । ଉଲ୍ଲେଖଯୋଗ୍ୟ ସେଠାରେ ପ୍ରାୟ ସମସ୍ତେ ଗୋଟିଏ ଦଳ(ଶାସକ)ର ଥିଲେ,ଏଜେଣ୍ଟ ସଵୁଦଳର ଥିଲେ ମଧ୍ୟ ଭୋଟ ପ୍ରାୟ ଏକପାଖିଆ ହେଉଥିଲା, ଶାସକଦଳ ସପକ୍ଷରେ । ପ୍ରିଜାଇଡିଙ୍ଗ ଅଫିସର ହିସାବରେ ମୁଁ ଜାଣୁଥିଲି କେହି କେହି ଏକାଧିକ ଭୋଟ ଦେଉଛନ୍ତି, ପୁଣି କେତେକ ବାରମ୍ବାର ଆସୁଛନ୍ତି ଭୋଟ ଦେବାକୁ, ମୁଁ କେତେ ଥର ପ୍ରତିରୋଧ କରିଛି ମଧ୍ୟ, ମାତ୍ର ଯେତେବେଳେ ଦେଖିଲି ଏଜେଣ୍ଟମାନେ ମଧ୍ୟ କିଛି କହୁନାହାନ୍ତି, ପୁଣି ଦୁଆର ମୁହଁରେ ସୁରକ୍ଷା ଦାୟିତ୍ବରେ ଥିବା ଏସଆଇ ବସିଛନ୍ତି, ସିଏ ବି ତ ସବୁ ଦେଖୁଛନ୍ତି, ତେଣୁମୁଁ କାହିଁକି ପାଣି ଭିତରେ ରହି କୁମ୍ଭୀର ସାଙ୍ଗେ କଳି କରିବି ? ଅଗତ୍ୟା ମୁଁ ମଧ୍ୟ ଚୁପରହିବାକୁ ଶ୍ରେୟସ୍କର ମଣିଲି । ମାତ୍ର ଆମର ଏ ଗୋଠ ଖଣ୍ଡିଆ(ଦ୍ଵିତୀୟ ପୋଲିଂ ଅଫିସର) ବାରମ୍ବାର ଏକଥା ଉଠାଇଲା, ମତେ ଥରକୁଥର କହୁଥାଏ, ସାର ଆପଣ ତ କିଛି କହୁନାହାନ୍ତି, କେତେ ଲୋକ ବାରମ୍ବାର ଭୋଟ ଦେଉଛନ୍ତି, କେତେ ଲୋକ ଏକାଧିକ ଭୋଟ ଦେଉଛନ୍ତି । ମୁଁ ତାଙ୍କୁ ଵୁଝାଇଲି, ସବୁ ଦଳର ଏଜେଣ୍ଟ ଅଛନ୍ତି, ସେମାନେତ ସ୍ଥାନୀୟ, ସେମାନେ କ’ଣ ଦେଖୁନାହାନ୍ତି ସେମାନେ ଯେତେବେଳେ କିଛି କହୁନାହାନ୍ତି, ଦୁଆର ମୁହଁରେ ବସିଥିବା ସବଇନ୍ସପେକ୍ଟର ଯେତେବେଳେ କିଛି କହୁନାହାନ୍ତି, ଆମେ କହିବାକୁ କିଏ, ତମର ବୋଧେ ଭଲରେ ଫେରିବାକୁ ଇଛା ନାହିଁ, ପରୋକ୍ଷରେ ଏମିତି ଡରାଇଲି ମଧ୍ୟ, ତଥାପି ସିଏ କୋଉ ଚୁପ୍ ରହିବା ଲୋକ ! ସର୍ପରେ ଜାତ କଲୁ ମୋତେ, ………………। ବାରମ୍ବାର ମତେ କହିଲା, ଆପଣ ଲେଖି କରି ଦିଅନ୍ତୁ, ଶେଷକୁ ମୁଁ କହିଲି, ମୁଁ ଲେଖିକରି ଦେବି ନାହିଁ । ଲେଖିକରି ଦେବାରେ ଅନେକ ଅସୁବିଧା, ନିର୍ବାଚନ ମାମଲା ଫଇସଲା ନହେବା ପର୍ଯ୍ୟନ୍ତ, ଚାକିରୀରେ ସ୍ଥାୟୀତ୍ବ ନଥିବ, ଉପରିସ୍ଥ ଅଫିସରଙ୍କ ଚକ୍ଷୁଶୁଳ ହେବ, ପୁଣି ସ୍ଥାନୀୟ (ସମ୍ପୃକ୍ତ ନିର୍ବାଚନ ସ୍ଥାନ)ଲୋକଙ୍କର ବିରୋଧର ସାମନା କରିବ, ଉତ୍ତମ ମଧ୍ୟମ ମିଳିପାରେ ମଧ୍ୟ, ଲେଖିକରି ଦେବା ସମୟରେ । ଶାସକଦଳ ତାଙ୍କ ଚେଷ୍ଟାରେ ରହିଲେ, ଭୋଟ ପ୍ରତିଶତ ବଢାଇ ରେକର୍ଡ କରିଵା ଉଦ୍ଦେଶ୍ୟରେ । ସନ୍ଧ୍ୟା ୪.୪୫ ସମୟକୁ ଭିତରେ ଯେତିକି ଲୋକ ଥିଲେ ରଖି ମୁଖ୍ୟଦରଜା ବନ୍ଦ କରି ଦିଆଗଲା । ଭିତରେ ଆମଦଳକୁ ଛାଡି ପ୍ରାୟ ୧୫ଜଣ ଥିଲେ, ଯୁବନେତାମାନଙ୍କ ସହିତ । ଗୋଟିଏ ବାଲଟ ବହି(ଚେକ୍ ବହିଭଳି ୨୫/୫୦ଟିକିଆ)ରୁ ୧୨ଟି ଵାଲଟପେପର ଅବଶିଷ୍ଟ ଥାଏ, ମୁଁ କହିଲି ଏଇଟା ଶେଷ କରିଦିଅ, ଆମକୁ ମଧ୍ୟ ହିସାବ ଦେବାକୁ ସୁବିଧା ହେବ । ସେମାନେ କହିଲେ, ଆଜ୍ଞା ଆମେ ୧୫ଜଣ ଅଛୁ, ସମସ୍ତେ ତ ଭୋଟ ଦେଇପାରିବେ ନାହିଁ, ମୁଁ କହିଲି ଯଥେଷ୍ଟ ହୋଇଗଲା, ମୁଁ ସବୁ ଦେଖିଚି, ସବୁ ଜାଣିଚି, ଅନେକ ସୁବିଧା ଆଜି ପାଇଲେଣି, ୬୦% ଭୋଟ ହେଲାଣି, ଆଉ ବେଶୀ ଲୋଭ କରନ୍ତୁ ନାହିଁ, ଯୋଉ ୧୨ଟିବାଲଟ ବଳିଛି, ସେତିକି ଦେଇ ଦୟାକରି ଆମକୁ ଆମ କାମ କରିବାକୁ ଦିଅନ୍ତୁ । ସେମାନେ ମଧ୍ୟ ଭଲ ଭାବେ ବୁଝିଗଲେ, କହିଲେ ହଁ ସାର ଆମକୁ ବହୁତ ସାହାଯ୍ୟ କଲେ, ଆପଣ ଯେମିତି କହୁଛନ୍ତି, ସେମିତି ହେବ ସେମାନେ ବିଦାୟ ନେଲା ପରେ ଆମେ କବାଟ ବନ୍ଦକରି ଆମର ହିସାବ କିତାଵ ଓ ଭୋଟ ବାକ୍ସ ସିଲ୍ କରିବାରେ ଲାଗି ପଡିଲୁ । ପୂର୍ବରୁ ବହୁତ କାମ ସାରି ଦେଇଥିବାରୁ ୫.୩୦ସୁଦ୍ଧା ସବୁକାମ ସରିଗଲା । ଇତିମଧ୍ୟରେ ଏସଆଇ ବାଵୁ ତାଙ୍କର ନିତ୍ୟକର୍ମ ସାରି ଆସିଗଲେ, ଆମେ ତାଙ୍କୁ ସବୁ ନିର୍ବାଚନ ଜିନିଷ ଜିମାଦେଇ ଆମ କାମ ସାରିବାକୁ ଚାଲିଲୁ । ଫେରିଲା ବେଳକୁ ସନ୍ଧ୍ୟା ୬.୦୦, ଉଦ୍ଦିଷ୍ଟ ଗାଡ଼ି ଆସିନଥିବାରୁ, ମୁଁ ବଜାର ଆଡ଼େ ବୁଲି ବାହାରିଲି, ପୁଣି କେବେ ହେବ ନହେବ, ଟିକିଏ ବୁଲି ଆସିବା, ଗୋଠଖଣ୍ଡିଆ ଦ୍ଵିତୀୟ ପୋଲିଂ ଅଫିସର ମଧ୍ୟ ମୋସହିତ ବାହାରିଲା, ଟିକିଏବାଟ ଯାଇଛୁ, ଗୋଟିଏ ଘରପାଖରେ ଭାରି ଗହଳି ଓ ପାଟିତୁଣ୍ଡ ଶୁଭୁଥିଲାକ’ଣ ବୋଲି ଦେଖିବାକୁ ସେଠାକୁ ଗଲୁ, ସେଦିନ ଗୋଟିଏ ଆନ୍ତର୍ଜାତୀକ କ୍ରିକେଟ ମ୍ୟାଚ୍ ଟିଭିରେ ପ୍ରସାରଣ ହେଉଥିଲା, ସେଇହେତୁରୁ ଏ ଗହଳି । ଆମେ ସେଠାକୁ ଯିବାରୁ ଦିନଵେଳା ବାରମ୍ବାର ଦେଖାହୋଇଥିବା ଯୁବନେତାମାନେ ଆମକୁ ପାଛୋଟି ନେଲେ ଓ ବସିବାକୁ ଅନୁରୋଧ କଲେ । ଗୋଠଖଣ୍ଡିଆ ମୋ କାନରେ କହିଲା, ସାର ଆମେ ତାଙ୍କୁ ସବୁ ଯୋଉ ସାହାଯ୍ୟ କରିଥିଲେ, ଇଏ ତା’ର ଫଳ, ମୋ ମନକୁ ଆସିଲା, ଏବେ ବି ଯଦି ଟିକିଏ ଚେଙ୍ଗି ଦେବି, ଇଏ ଆଉ ଆଜି ଯାଇପାରିବନି, କିନ୍ତୁ କିଛି କହିଲି ନାହିଁ । କିଛି ସମୟ ପରେ ଆମେ ଫେରି ଆସିଲୁ, ଗାଡ଼ିଆସିଗଲା ଓ ଆମେଛତ୍ରପୁର ଉଦ୍ଦେଶ୍ୟରେବାହାରିଲୁ ଯୁବନେତାମାନେ ଗାଡି ପାଖକୁ ଆସିଥିଲେ ବଧାଇ ଜଣାଇବା ଲକ୍ଷ୍ୟରେ । ଆମେ ଛତ୍ରପୁର ପହଞ୍ଚିବା ବେଳକୁ ରାତି ୮.୩୦ମି., ଆମେ ଯଥାଶୀଘ୍ର ନିର୍ଦ୍ଦିଷ୍ଟ କାଉଣ୍ଟରରେ ଆମ ନିର୍ବାଚନ ଜିନିଷଗୁଡିକୁ ଜମା ଦେବାରେ ଲାଗିଗଲୁ । ପ୍ରଥମେ ସିଲ୍ ଓ ଭୋଟବାକ୍ସ ଇତ୍ୟାଦି ଜମା କରିଦେଲୁ, ବାକିଥାଏ, ଖାଲିଟ୍ରଙ୍କ, ଲଣ୍ଠନ, କନା ଓ କିଛି କାଗଜପତ୍ର । ଏସମୟରେ ସେ ଏସଆଇବାବୁ ମତେ କହିଲେ, ସାର ଗୁରୁତ୍ବପୂର୍ଣ୍ଣ କାମ ତ ସରିଲାଣି ମତେ ରିଲିଭ କରିଦିଅନ୍ତୁ, ମୋର ବହୁତ ବାଟ ଯିବାର ଅଛି, ସୂଚନାଯୋଗ୍ୟ ସେ ମହାଶୟ ଆସିଥିଲେ କଳାହାଣ୍ଡିରୁ । ସେତିକି ଦିନ ଆମ ହାତରେ କିଛି ଅସ୍ଥାୟୀ କ୍ଷମତା ଥାଏ ! ମାତ୍ର ମଣିଷ ପ୍ରକୃତି ମଲେ ଛାଡେ, ସେ ଗୋଠ ଖଣ୍ଡିଆ ଦ୍ଵିତୀୟ ପୋଲିଂ ଅଫିସର ମୋତେ କହିଲେ ସାର ତାଙ୍କୁ କେମିତି ଛାଡ଼ିଦେବା, ଆମର ସବୁ କାମ ସରିନି । ମୁଁ କହିଲି, ଆରେ ବାବୁ ତମ ପ୍ରକୃତି ଛାଡୁନ କାହିଁକି, ଆମର ତ ମୁଖ୍ୟ କାମ ସବୁ ସରିଲାଣି, ୟେ ଟ୍ରଙ୍କ, ଲଣ୍ଠନ ଆମଠୁ କିଏ ନେଇଯିବ ? ତା’ପରେ ଆଜିକାର ଦୁନିଆରେ ଜଣେ କନଷ୍ଟେବଳ ଚାହିଁଲେ କ’ଣ କରିପାରେ ତମେ ଜାଣିଥିଵ, ଇଏ ବାଵୁ ତ ଜଣେ ସଵଇନ୍ସପେକ୍ଟର, ଚାହିଁଲେ କ’ଣ କରିପାରିବେ ଜାଣିଛ ତ, ତାଙ୍କୁ ସୁବିଧାରେ ଵିଦାକରିବା ମୋର ଦାୟିତ୍ଵ । ଅତଏଵ ମୁଁ ସେଇ ସଵଇନ୍ସପେକ୍ଟର ବାବୁଙ୍କ ରିଲିଭ କାଗଜରେ ଦସ୍ତଖତ କରି ବିଦାୟ ଦେଲି, ସେ ମଧ୍ୟ ଖୁସି ଖୁସି ବିଦାୟ ନେଲେ ଆମ ସମସ୍ତଙ୍କଠାରୁ । ତା’ପରେ ବାକି ସବୁ ଜିନିଷ ଜମାକରି ପ୍ରାୟ ରାତି ୧୦.୦୦ ବେଳକୁ ପରସ୍ପରଠାରୁ ବିଦାୟ ନେଇ ଯେ ଯାହା ଘରକୁ ଗଲୁ, ଏବେ ମଧ୍ୟ ସେ ଗୋଠ ଖଣ୍ଡିଆର ପିଲାଳିଆମି ବେଳେବେଳେ ମନେ ପଡେ, ହସମାଡେ ଯେତିକି, ଦୁଃଖ ଲାଗେ ସେତିକି । କେବେ ଆଉ ମଣିଷ ସଜାଡି ହେବ !
ଜୟନ୍ତ ପଟ୍ଟନାୟକ