ଗରିବଙ୍କୁ କମ୍ବଳ ବଣ୍ଟନ -୨୧ ବର୍ଷ ପରେ ବି ମନେ ପଡିଲା ଗାଁର ଚିତ୍ର : ବିଦେଶରୁ ଗରିବଙ୍କ ଲାଗି ପଠାଇଲେ ଶୀତ କମ୍ବଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଗ୍ରାମ ନଛିମପୁରର ଜନୈକ ଯୁବତୀ ସୁଦୁର ଆମ୍ରିକାରେ ରହି ମଧ୍ୟ ୨୧ ବର୍ଷ ତଳର ଗାଁ-ଗରିବ ଲୋକଙ୍କ ଶୀତଦିନିଆ ଦୁଃଖ ଅନୁଭବ କରି ସେମାନଙ୍କ ଲାଗି ପଠାଇଥିବା କମ୍ବଳକୁ ଆଜି ରବିବାର ଗାଁରେ ବଣ୍ଟନ କରାଯାଇଛି । ଉଦ୍ଦିପନା ମଧ୍ୟରେ ଗରୀବ, ଋଗ୍‌ଣ, ଅସହାୟ ବ୍ୟକ୍ତିମାନେ ଏପରି ବସ୍ତ୍ର ପାଇ ଆନନ୍ଦିତ ହୋଇଥିବା ବେଳେ ଗାଁର ବହୁ ବରିଷ୍ଠ ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ ଓ ଗାଁ ମୁଖିଆଙ୍କୁ ସମ୍ବଦ୍ଧିତ କରାଯାଇଛି । ଘଟଣାଟି ଓଡିଶା ଓ ପଶ୍ଚିମବଙ୍ଗ ଉପାନ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ନଛିମପୁର ପଞ୍ଚାୟତର ସେହିଗାଁର ଅମୂଲ୍ୟ ବିଶ୍ୱାଳଙ୍କ ୨ୟ କନ୍ୟା ସୀମା ରଣା (ସେଲି) ୨୧ବର୍ଷ ପୂର୍ବରୁ ଜଳେଶ୍ୱରର ଚନ୍ଦ୍ରମୋହନ ରଣାଙ୍କୁ ବିବାହ କରି ଦୁଇପୁଅ ସୁପ୍ରିୟ ଓ ସୁପ୍ରଭଙ୍କ ସହିତ ସୁଦୂର ଆମେରିକାର ବୋଷ୍ଟନ ସହରରେ ରହି ଆସୁଛନ୍ତି । ଚଳିତ ବର୍ଷ ସୁବର୍ଣ୍ଣରେଖାର ବନ୍ୟା ଓ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷା ପାଣିରେ ତାଙ୍କ ଗାଁଟି କ୍ଷତିଗ୍ରସ୍ତ ହୋଇଥିବା ଓ ଏବେ ଶୀତଦିନରେ ଦୀର୍ଘଦିନ ବର୍ଷା ଲାଗି ରହିଥିବା ପ୍ରବଳ ଶୀତ ଲହରୀ ଲାଗି ରହିଥିବାରୁ ବହୁ ଗରିବ ଓ ବେସାହାରା କୁଡିଆ ଘରେ ରହୁଥିବା ଲୋକଙ୍କ ଶୋଚନୀୟ ଅବସ୍ଥା ସଂପର୍କରେ ଜାଣିବାକୁ ପାଇଥିଲେ । ତେଣୁ ଗାଁର ଅନନ୍ୟ ସମାଜସେବୀ ତଥା ସାମ୍ବାଦିକ ଦୁର୍ଗାଶଂକର ଗିରିଙ୍କୁ ଯୋଗାଯୋଗ କରି ଏପରି ଗରିବ ଲୋକଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ଦେବା ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବର ବ୍ୟବସ୍ଥା କରାଇଥିଲେ । ଆଜି ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ କବି କାର୍ତ୍ତିକଚନ୍ଦ୍ର ଦାସ ସଭାପତିତ୍ୱ କରି ଉତ୍ସବର ସୂଚନା ପ୍ରଦାନ କରିଥିଲେ । ଆବାହକ ଦୁର୍ଗାଶଂକର ଗିରି ମଞ୍ଚ ଆହ୍ୱାନ ଓ ଉଦ୍ଦେଶ୍ୟଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ଯୋଗଦେଇ ସାମ୍ପ୍ରତିକ ସମାଜରେ ବରିଷ୍ଠ ଓ ଦଳିତ ଲୋକେ ଉପେକ୍ଷିତ ଓ ଲାଞ୍ଛିତ ହେଉଥିବା ବେଳେ ଏପରି ସହାୟତା ପ୍ରଣିଧାନଯୋଗ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ନରୋତ୍ତମ ପ୍ରଧାନ, ତ୍ରିଲୋଚନ ଦାସ ଅଧିକାରୀ, ଅନନ୍ତ ଗିରିଙ୍କ ସହିତ ବହୁ ବରିଷ୍ଠ ନାଗରିକ ବକ୍ତବ୍ୟ ରଖିଥିଲେ । ମୋଟ ୪୨ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ୨୭ଜଣ ବରିଷ୍ଠ ନାଗରିକଙ୍କୁ ଅଂଗବସ୍ତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୌରୀଶଂକର ଗିରି, ଦିଲ୍ଲିପ ଗିରି, ନନ୍ଦଦୁଲାଲ ବିଶ୍ୱାଳ, ଅନାଦି ଚରଣ ଗିରି, ହରିଶଂକର ଗିରି, ସଂଜୟ ଦତ୍ତ, ଦେବୁ ଦତ୍ତ, ସଂଗ୍ରାମ ସିଂ, ସବିତା ଗିରି, ସୀମା ଗିରି, ଗିତାଞ୍ଜଳି ଗିରି ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା