ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର, ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ମିଳିତ ମଞ୍ଚ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଧାରଣା ଓ ବିକ୍ଷୋଭ ସକାଳ ଦଶ ଘଣ୍ଟାରୁ ଆରମ୍ଭ କରି ଦିବା ୨ ଘଣ୍ଟା ସମୟରେ ଏକ ଦାବୀପତ୍ର ଶାଖା କାର୍ଯ୍ୟାଳୟର ସମ୍ପାଦକଙ୍କୁ ପ୍ରଦାନ କରି ସମାପ୍ତ କରାଯାଇଥିଲା । ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଜିଲ୍ଲାର ଶିକ୍ଷକ ସଂଘ ସହିତ ଜଡିତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର, ଅଭିଭାବକ ଯୋଗଦେଇ ବିଭିନ୍ନ ଦାବୀ ସମ୍ପର୍କରେ ବିକ୍ଷୋଭ ଓ ସ୍ଲୋଗାନ ପ୍ରଦାନ କରିଥିଲେ । କୋଡିଏ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ରକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଗଣ ଶିକ୍ଷା ମନ୍ତ୍ରୀ ଓ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକଙ୍କ ନିକଟକୁ ପ୍ରେରଣ କରାଯାଇଛି । ବିଦ୍ୟାଳୟର ସ୍ଵୀକୃତି ନବୀକରଣ ନାଁ’ରେ ପ୍ରତି ବର୍ଷ ୪୦୦୦ ଟଙ୍କା ଫିସ ଆଦାୟକୁ ପ୍ରତ୍ୟାହାର ଗତ ୨୦୧୯ ମସିହାରେ କରୋନା ମହାମାରୀ ସମୟରେ ବିଦ୍ୟାଳୟମାନଙ୍କଠାରୁ ଫିସ ଆଦାୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ, ନବମ ଓ ଦଶମ ଶ୍ରେଣୀର ଫରମେଟିଭ ଆସେସମେଣ୍ଟ ୪ଟି ଭାଗରେ ନ କରି କେଵଳ ୨ଟି ପର୍ଯ୍ୟାୟରେ କରିବାକୁ ଦାବୀ ଉପସ୍ଥାପନ କରାଯାଇଛି । ବିଭିନ୍ନ ପାଠ୍ୟ ପୁସ୍ତକରେ ଥିବା ତ୍ରୁଟି ଗୁଡିକୁ ଅବିଳମ୍ବେ ସଂଶୋଧନ କରିବା ସହିତ ପୁରାତନ ପରୀକ୍ଷା ପ୍ରଣାଳୀକୁ ଯଥା – ପ୍ରି-ବୋର୍ଡ, ଟେଷ୍ଟ ଓ ବୋର୍ଡ ପରୀକ୍ଷା କରାଇବାକୁ ଦାବୀ କରାଯାଇଛି । ବାର୍ଷିକ ବୋର୍ଡ ପରୀକ୍ଷାର ଫଳ ପ୍ରକାଶନ ସମୟରେ ବିଦ୍ୟାଳୟର ବିଗତ ୫ ବର୍ଷର ଫଳାଫଳକୁ ଆଧାର ଭାବରେ ଗ୍ରହଣ କରିବାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଷୟ ଭିତ୍ତିକ ତାଲିମ ପ୍ରଦାନକୁ ପୁନଃ ପ୍ରଚଳନ କରାଯାଉ । ଆଜିର ଏହି ଗଣ ଧାରଣାରେ ଗଞ୍ଜାମ ଓଷ୍ଟାର ଜିଲ୍ଲାର ସଭାପତି ହିମାଂଶୁ ପଟ୍ଟନାୟକ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ମିଳିତ ଭାବେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଓଷ୍ଟାର ସାଧାରଣ ସମ୍ପାଦକ ବିଜୟ କୁମାର ବେହେରା ଆଜିର ଧାରଣା ସମ୍ପର୍କରେ ଉଦବୋଧନ ଦେବା ସହିତ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଏଥିରେ ରାଜ୍ୟ ସଦସ୍ୟ ରାମ ଚନ୍ଦ୍ର ପଳେଇ, କନ୍ଧମାଳ ଜିଲ୍ଲା ସମ୍ପାଦକ ରଞ୍ଜନ ମହାନ୍ତି, ଗଜପତି ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଚିତ ରଞ୍ଜନ ପଣ୍ଡା, ମାନବ ଅଧିକାର ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ଗୌଡ଼, ଜିଲ୍ଲା ଡ଼ିଏସଏସର ସମ୍ପାଦକ ନିମାଇଁ ଚରଣ ସାହୁ, ରାଜ୍ୟ ସଦସ୍ୟ ଅଶୋକ କୁମାର ଦଳେଇ, ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘର ଯୁଗ୍ମ ସମ୍ପାଦକ ପଣ୍ଡିତ ବିନାୟକ ତ୍ରିପାଠୀ, ଅଭିଭାବକ ସଙ୍ଘର ଜି. ରାଜେନ୍ଦ୍ର ପ୍ରସାଦ, ଜିଲ୍ଲାର କନଭେନର ମଧୁସୂଦନ ସାହୁ, ଯୁଗ୍ମ କନଭେନର ସଂଗ୍ରାମ ସିଂ, ସଦସ୍ୟ ରବି ନାରାୟଣ ସାବତ, ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ପ୍ରଶାନ୍ତ ପତି, ଗଞ୍ଜାମ ଶାଖାର ସଭାପତି ବିଭୁ ପ୍ରସାଦ ପଣ୍ଡା, ଗଞ୍ଜାମ ଓଷ୍ଟାର କାର୍ଯ୍ୟକାରୀ ସଭାପତି ଡ଼ଃ. ବିଜୟ ଚନ୍ଦ୍ର ମହାରଣା, ସଭ୍ୟ ସୁଧୀର କୁମାର ସେଠୀ, ଅନ୍ୟାନ୍ୟ କର୍ମକର୍ତ୍ତା ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ କଟକ ମାଧ୍ୟମିକ ଶିକ୍ଷା ପରିଷଦର ମନମୁଖୀ କାର୍ଯ୍ୟକଳାପ ସମ୍ପର୍କରେ ତଥା ସରକାରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଛତ୍ରପୁରଠାରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଗଣଧାରଣା ଓ ବିକ୍ଷୋଭରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା