ଗଣମାଧ୍ୟମର କଣ୍ଠରୋଧ ଅତ୍ୟନ୍ତ ନିନ୍ଦନୀୟ : କଂଗ୍ରେସ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ଏବେ ବିଜେଡି ସରକାର ଏକଛାତ୍ରବାଦୀ ଶାସନ ଚଳାଇଛି । ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ ବିଜେଡି ସରକାର କରୁଛି । ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଯେଉଁ ହୀନ କୌଶଳ ବିଜେଡି ସରକାର ପ୍ରୟୋଗ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାରକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଗଣମାଧ୍ୟମର କଣ୍ଠରୋଧ, ଗଣମାଧ୍ୟମ ସଂସ୍ଥା  ଓ ସାମ୍ବାଦିକମାନଙ୍କୁ ଦମନ ପାଇଁ ଯେଉଁ ଅପପ୍ରୟାସ ଚାଲିଛି ତାହା  ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ଓଡ଼ିଶାରେ ବିଗତ କିଛିବର୍ଷ ହେଲା ସାମ୍ବାଦିକମାନଙ୍କ ଉପରେ ଦମନରାଜ ଚାଲିଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବ ନାହିଁ । ଗଣତନ୍ତ୍ରକୁ ସଶକ୍ତ କରିବା, ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଓ ସରକାରୀ ବ୍ୟବସ୍ଥାରେ ଥିବା ବିଭିନ୍ନ ଅଧିକାରୀ ମାନଙ୍କର ଧ୍ୟାନ ଆକର୍ଷଣ କରିବା ଏବଂ ଏସବୁର ସମାଧାନ ପାଇଁ ସରକାରଙ୍କୁ କଟୂ ସମାଲୋଚନା କରିବା ପ୍ରତ୍ୟେକ ସାମ୍ବାଦିକ ଏବଂ ଗଣମାଧ୍ୟମର ଧର୍ମ ଓ କର୍ତ୍ତବ୍ୟ । ସାମ୍ବାଦିକମାନେ ସତ୍ୟ ଓ ଠିକ୍ ସମ୍ବାଦ ପରିବେଷଣ କରିବେ ନାହିଁ ତ କଣ କେବଳ ବିଜେଡ଼ି ସରକାରଙ୍କର ସମସ୍ତ କଳାକାରନାମାକୁ ଚପାଇ ଦେଇ ପ୍ରଶଂସା ବା ଗୁଣଗାନ କରବେ କି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।