ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ପ୍ରେସ୍ ବିବୃତି : ସହାୟତା ଯୋଗାଇ ଦେବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳାକାରମାନେ ସମାଜ ସୁଧାରକ । ସମାଜକୁ ସୁନ୍ଦର ସୃଷ୍ଠୁ ଭାବରେ ପରିଚାଳନା ନିମନ୍ତେ ସୃଷ୍ଠ ସାମାଜିକ ସମ୍ବିଧାନ ଚତୁର୍ବେଦର ଅଭିନବ ପରିପ୍ରକାଶ ପଞ୍ଚମ ବେଦ ବା ନାଟ୍ୟ ଶାସ୍ତ୍ରର ପ୍ରଚାରକ ଏମାନେ । କର୍ମକ୍ଳାନ୍ତ ମଣିଷକୁ ଆପଣା କଳାକୁଶଳତା ଭିତରେ ଚିତ୍ତ ବିନୋଦନ ସହ ପୁନଶ୍ଚ ଶ୍ରମ ନିମନ୍ତେ ସାମର୍ଥ୍ୟ ଯୋଗାଇ ସାମାଜିକ ସମ୍ବିଧାନକୁ ବୁଝାଇବା ସହିତ ତାହାରି ମାର୍ଗରେ ଜୀବନ ବଞ୍ଚିବାକୁ ଏକ ପ୍ରଭାବବିସ୍ତାରୀ ଆହ୍ଲାଦ ପ୍ରଦାୟୀ ମାର୍ଗରେ ସମାଜକୁ ଉପଦେଶ ଦେଇଥାନ୍ତି । ଏହିଭଳି ଗୁରୁ ଦାୟିତ୍ଵ ସମ୍ପାଦନକାରୀ କଳାକାର ସମାଜ ଆଜି ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶା ଭୂଖଣ୍ଡରେ ଏକ ସଙ୍କଟମୟ ସ୍ଥିତିରେ ସ୍ଥିତ, ଯାହାକି ରାଷ୍ଟ୍ର ପାଇଁ, ରାଜ୍ୟ ପାଇଁ ଅତ୍ୟନ୍ତ ଅଶୋଭନୀୟ । ସଂପ୍ରତି ବିଶ୍ଵତ୍ରାସୀ କରୋନା ମହାମାରୀ ହେତୁ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ପେଶାଦାର କଳାକାରମାନେ ଆପଣା ଜୀବିକା ହରେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି । ସେମାନଙ୍କ ସହିତ ସେମାନଙ୍କ ସହଯୋଗୀ ରୂପକାର, ବେଶକାର, ଶବ୍ଦାଲୋକ ସଂପାନକାରୀ, ମଞ୍ଚରୁପରେଖକାରୀ, ନାଟ୍ୟ-ଶ୍ରମଜୀବୀ ସର୍ବୋପରି ଚିତ୍ରାଳୟ ସଂସ୍ଥାମାନେ ଆଜି ସମଦଶା ଭୋଗୁଛନ୍ତି । ଏକେତ ଏଇ ସମସ୍ତ ପେଶାଦାର କଳାକାରମାନେ ଆପଣା ବୃତ୍ତି ବ୍ୟତିରେକେ ଅନ୍ୟ ବୃତ୍ତିକୁ ସହଜରେ ଆପଣେଇ ପାରିବେ ନାହିଁ । ଅଭ୍ୟାସ ଓ ସାଧନା ଘେନି ସମ୍ଭବ ବି ନୁହେଁ । ଏ ମହାମାରୀ କାଳରେ ସରକାରୀ କଟକଣା ଦେଇ ଅନ୍ୟ କିଛି ବୃତ୍ତି କରିବା ବି ସମ୍ଭବପର ନୁହେଁ । ଜଗତ ଏବେ କରୋନା ମଡକ ଦେଖୁଛି, କିଛି କାଳ ଅନ୍ତେ କଳାକାର ମଡକ ଦେଖିବା ବୋଧହୁଏ କିଛି ଆଶ୍ଚର୍ଯ୍ୟକର ବ୍ୟାପାର ହେବ ନାହିଁ । ଏ କରୋନା କାଳରେ ସମାଜରେ ସର୍ବାଧିକ ତଥା ଅପୂରଣୀୟ କ୍ଷତି ସହୁଥିବା କଳାକାର ପ୍ରତି କାହାରି ନିଘା ନାହିଁ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କଳାକାର ସଂଗଠନ ଗୁଡ଼ିକ ତରଫରୁ ବହୁବାର ନିବେଦନ ମଧ୍ୟ କରାଯାଇଛି । ମାତ୍ର ପରିତାପର ବିଷୟ, ପ୍ରଶାସନ କି ସରକାର କଳାକାରମାନଙ୍କୁ ବଞ୍ଚିବା ରାହା ଦେଖେଇବା ତ ଦୂରର କଥା, ସାମାନ୍ୟ ସହାୟତା ଟିକିଏ ବି କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ଏମିତି କେତେକାଳ ଆମ୍ଭେ ସମସ୍ତ ପେଶାଦାର କଳାକାର ସମାଜ ସାମ୍ପ୍ରତିକ ଅଭାବ ଅନଟନ ଘେନି ଘର-ବାଡି ଏପରିକି ଆମ୍ଭମାନଙ୍କ ଜୀବିକା-ସାଧନ ଯଥା ହାର୍ମୋନିୟମ୍, କେଶିଓ, ପେଡ୍, ତବଲା ଆଦି ବିକିଭାଙ୍ଗି ଢୋକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ବଞ୍ଚି ରହି ପାରିବୁ ? ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ଆମ୍ଭେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଗଣମାଧ୍ୟମର ସହାୟତାରେ ପୁନର୍ବାର ଉଭୟ ଜିଲ୍ଲା ପ୍ରଶାସନ ସମୂହ ତଥା ସରକାର ଶୀଘ୍ରାତିଶୀଘ୍ର ଯଥାଯଥ ସହାୟତା କଳାକାର ସମାଜ ପ୍ରତି ଯୋଗାଇ ଦେଇ ଏକ ନିଶ୍ଚିତ ତଥା ଅବଶ୍ୟମ୍ଭାବୀ କଳାକାର ମଡକକୁ ପ୍ରତିହତ ପାଇଁ ଉଦ୍ୟମ କରନ୍ତୁ ବୋଲି ଦାବି କରାଯାଇଛି । ଫଳତଃ ଏ କଳାକାର ସମାଜ ପ୍ରଶାସନ ତଥା ସରକାରଙ୍କ ନିକଟରେ ଚିର କୃତଜ୍ଞ ରହିବ ବୋଲି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ରୋଶନ୍ ଜଣାଇଛନ୍ତି ।