ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ସାନଖେମୁଣ୍ଡି ଗସ୍ତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳଙ୍ଗେ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଆଜି ସାନଖେମୁଣ୍ଡି ଗସ୍ତ କରିଥିବା ଜଣାଯାଇଛି । ଉଭୟ ଆକସ୍ମିକ ଭାବରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମିଳିତ ଅନୁଧ୍ୟାନରେ ଥିବାରୁ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ଲକ୍ଷ କରାଯାଇଅଛି । ଆଜି ମଧ୍ୟାହ୍ନରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟଳୟରେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ପାଞ୍ଚ ମିନିଟର ନିଭୃତ ଆଲୋଚନାପରେ ତାଙ୍କ ସହ ବ୍ଲକର ଯିଉରା ପଞ୍ଚାୟତ ଅଭିମୁଖେ ଯାତ୍ରା କରିଥିଲେ । ଜୀଉରା ଗ୍ରାମରେ ଚାଲିଥିବା ନିର୍ମାଣାଧୀନ ଗ୍ରାମ୍ୟ ପାର୍କ ଓ ସଂଲଗ୍ନ ଆଦର୍ଶ ପୋଖରୀର ଭିତ୍ତିଭୂମି ସଂରଚନାକୁ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅନୁଧ୍ୟାନ କରିବା ସହିତ ବଗିଚାରେ ରୋପଣ କରାଯାଇଥିବା ସୌନ୍ଦର୍ଯ୍ୟ ବୃଦ୍ଧି କାରୀ ବୃକ୍ଷରାଜି ର ପରିଦର୍ଶନ କରିଥିଲେ । ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ସମିତିସଭ୍ୟ ରଘୁନାଥ ସାହୁ, ଗାଁ ବିଦ୍ୟାଳୟ ଅଭିଭାବକ କମିଟି ସଭାପତି ପ୍ରଦୀପ କୁମାର୍ ପଟ୍ଟନାୟକ ଓ ପୂର୍ବତନ ସରପଂଚ ଶିମଞ୍ଚଳ ଗୌଡ ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଓ ଏସପି ମହୋଦୟ ଗ୍ରାମ୍ୟ ପାର୍କ ନିକଟରେ ଥିବା ବାଇଗଣ ଫସଲକୁ ଅନୁଧ୍ୟାନ କରିବା ସହିତ ଚାଷୀଙ୍କ ହିତ ପାଇଁ ପଞ୍ଚାୟତର ଆଭିମୁଖ୍ୟକୁ ଆଲୋଚନାକୁ ଆଣିଥିଲେ । ସାମ୍ପ୍ରତିକ ସ୍ଥିତିରେ ପ୍ରବାସୀ ଫେରନ୍ତାଙ୍କୁ ଥଇଥାନ କରିବାରେ ସ୍ଥାନୀୟ ପଞ୍ଚାୟତର ସ୍ଵତନ୍ତ୍ର ଭୂମିକା ରହୁଥିବାରୁ ଅଞ୍ଚଳଭିତିରେ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ ।କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅର୍ଥ ପାଣ୍ଠିର ବିନିଯୋଗ କରାଇ କୃଷି ଓ ଉଦ୍ୟାନ କୃଷିଭିତ୍ତିକ ଯୋଜନାରେ ପ୍ରବାସୀ ଫେରନ୍ତାଙ୍କୁ ଥଇଥାନ କରାଇବାକୁ ଅନୁପ୍ରାଣିତ କରିଥିଲେ । ମନରେଗା କାର୍ଯ୍ୟକ୍ରମରେ ପ୍ରବାସୀଙ୍କ କର୍ମ ନିଯୁକ୍ତି ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତିକୁ ବ୍ଲକ ସ୍ତରରେ କରାଇବାକୁ ପରାମର୍ଶ ରଖିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା