ଗଞ୍ଜାମରେ କାହାକୁ ଦିଆଯାଇନି ବାଣ ବିକ୍ରି ଲାଇସେନ୍ସ : ସବୁଜ ବାଣ ବିକ୍ରି ଲାଗି ଆବେଦନ କରିହେବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗକୁ ଆସୁଛି ଦୀବାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କଲେଣି । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତେ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସଂନ୍ଧ୍ୟାରେ ଭିଡିଓ କନଫ୍ରେନ୍ସ ଜରିଆରେ ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଗଞ୍ଜାମ ଜିଲ୍ଲରେ ମଙ୍ଗଳବାର ସୁଦ୍ଧା ଜଣକୁ ମଧ୍ୟ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନାହିଁ । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିଲାଗି କୌଣସି ସବୁଜ ବାଣ ବିକ୍ରି ପାଇଁ ଡିଲର ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରୁ ଲାଇସେନ୍ସ ନେଇ ନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଞ୍ଚ ଦେଖାଇବା ଜରୁରୀ ରହିଛି । ସ୍ଥାନୀୟ ତହସିଲଦାର ମାନେ ଏହି ଷ୍ଟକ୍ ଯାଞ୍ଚ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଉପଜିଲ୍ଲାପାଳ ମାନେ ଏହାକୁ ମନିଟରିଂ କରିବେ । ଉପଜିଲ୍ଲାପାଳ ମାନେ ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୪ ତାରିଖ ଦିନ କେବଳ ରାତି ୮ ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି ଅନ୍ୟ ଦିନ କିମ୍ବା ଅନ୍ୟ ସମୟରେ ବାଣ ଫୁଟା ଯାଇପାରିବ ନାହିଁ । ଏହାକୁ ଧ୍ୟାନ ଦେବାକୁ ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । କେଉଁଠି ମଧ୍ୟ ବିନା ଲାଇସେନ୍ସରେ ବାଣ ବିକ୍ରି ହୋଇପାରିବନି । କେବଳ ଲାଇସେନ୍ସ ନେଇ ସବୁଜ ବାଣ ବିକ୍ରି ହୋଇପାରିବ ବୋଲି କୁହାଯାଇଛି । କେଉଁଠି ବିନା ଲାଇସେନ୍ସ କିମ୍ବା ଅନ୍ୟ ବାଣ ବିକ୍ରି କଲେ ଷ୍ଟକ୍ ସିଲ୍ କରାଯିବ । ଏହାର ଖିଲାପ କଲେ ବିପର୍ଯ୍ୟୟ ଆକ୍ଟରେ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର, ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ମାନଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ଏହାର ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା