ଗଜପତି ଜିଲ୍ଲାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଗତକାଲି ୬୬ତମ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗତ ୧୧ ତାରିଖ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଦିବାରାତ୍ରି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ମୋଟ ୨୬ଟି ଦଳ ଏବଂ ମହିଳା ବର୍ଗରେ ମୋଟ ୧୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଗତକାଲି ଶେଷ ସଂଧ୍ୟାରେ ପୁରୁଷ ବର୍ଗରେ ଓଡିଶା ପୋଲିସ୍ ଦଳ ଓ ଢେଙ୍କାନାଳ ଦଳ ଏବଂ ମହିଳା ବର୍ଗରେ ଓଡିଶା ପୋଲିସ୍ ମହିଳା ଦଳ ଓ କେନ୍ଦ୍ରାପଡା ମହିଳା ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ବର୍ଗରେ ଓଡିଶା ପୋଲିସ୍ ଦଳ ବିଜୟ ଲାଭ କରିଥିଲା । ହାଇଟେକ୍ ଅଧ୍ୟକ୍ଷ୍ୟ ତଥା ପାରଳା ସ୍ଵାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀଙ୍କ ଦ୍ୱାରା ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗଜପତି ଜିଲ୍ଲାର ଯୁବଗୋଷ୍ଠିଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହେବା ନିମନ୍ତେ ଉତ୍ସାହିତ କରିବା ପାଇଁ ଡ.ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏହି କ୍ରୀଡା ପ୍ରତିଯୋଗିତା କରିବାର ଦାୟିତ୍ୱ ନେଇଥିଲେ । ଏହି ପ୍ରତିଯୋଗିତାରେ ଓଡିଶା ରାଜ୍ୟ କବାଡି ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା କରିଥିଲେ । ଗଜପତି ଜିଲ୍ଲାରେ ଜିଲ୍ଲାସ୍ତରୀୟ କବାଡି ଆସୋସିଏସନ୍ ପ୍ରତିଷ୍ଠା କରିବା ପାଇଁ ଡ. ପାଣିଗ୍ରାହୀ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତିଯୋଗିତା ପରେ ମଧ୍ୟ ମକର ସଂକ୍ରାନ୍ତି ଉତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ଖେଳ ପଡିଆରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କ ମନୋରଂଜନ କରାଯାଉଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା