ଖାରଜ ହେଲା ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୋମବାର ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି । ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏବେ ଝାରପଡା ଜେଲ୍‌ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ । ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓକିଲ ତଦନ୍ତ ଚାଲିଥିବା ବେଳେ ଜାମିନ ନଦେବା ପାଇଁ ମତ ରଖିଥିଲେ । ତାଙ୍କ ଓକିଲଙ୍କ କହିବା ଅନୁସାରେ ଏଫଆଇଆରରେ ଆକାଶଙ୍କ ନାଁ ଥିବାବେଳେ ପ୍ରଦୀପଙ୍କ ନାଁ ନାହିଁ ।  ଆଗରୁ କୌଣସି ଅପରାଧିକ ମାମଲା ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଛି । ତାଙ୍କୁ ଫସାଇ ଦିଆଯାଇଛି । ସେପଟେ ସରକାରୀ ପକ୍ଷର ଓକିଲ କିନ୍ତୁ ଆକାଶ ପାଠକଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଆଉ ଏହି ଲିଙ୍କ୍ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ବୋଲି ଦର୍ଶାଇଛନ୍ତି । ଆକାଶ ଜାଲିଆତି କରି ଏମଡି ବୋଲି ଦର୍ଶାଇ ଅର୍ଥ ହଡପ କରୁଥିଲା । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଡିସେମ୍ବର ୪ରେ ଜାମିନ ଆବେଦନ କରିଥିଲେ । ୩ ତାରିଖରେ ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଥିଲା । ସୂଚନାଯୋଗ୍ୟ, ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗତ ଗୁରୁବାର ସନ୍ଧ୍ୟାରେ ପ୍ରଦୀପଙ୍କୁ ଗିରଫ କରିଥିଲା । ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଥିଲେ । ଟାଟା କମ୍ପାନୀରେ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା