ଖଡଗପୁର-ଭେଲୁପୁରମ୍ ଟ୍ରେନ୍‌ ଜଳେଶ୍ୱରରେ ଅଟକ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରୁ ଦକ୍ଷିଣାଞ୍ଚଳକୁ ବିଶେଷତଃ ପଣ୍ଡିଚେରୀ ଆଶ୍ରମ ଯାତାୟାତ ଲାଗି ଜଳେଶ୍ୱର ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନର ରହଣି ଦାବି ହୋଇଛି । ଜଳେଶ୍ୱର ରେଳ ଷ୍ଟେସନ ଉତ୍ତର ବାଲେଶ୍ୱରର ଏକ ପ୍ରମୁଖ ସ୍ଥାନ ଓ ଜଳେଶ୍ୱର, ଭୋଗରାଇ, କମର୍ଦ୍ଦା, ସାମୁଦ୍ରିକ ଥାନା, ରାଇବଣିଆ, ବାଲିଆପାଳ, ରାସଗୋବିନ୍ଦପୁର, ଦାନ୍ତୁନ, ମୋହନପୁର, ରାମନଗର ଥାନା ଅଂଚଳର ପ୍ରାୟ ୧୦ଲକ୍ଷ ଯାତ୍ରୀ ଯାତାୟାତ ଲାଗି ନିର୍ଭର କରିଥାନ୍ତି । ଏଠାରୁ ବାର୍ଷିକ ୧୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରେଳବାଇ ରାଜସ୍ୱ ପାଉଥିବା ବେଳେ ଏଠାକାର ଯାତ୍ରୀମାନଙ୍କ ପ୍ରତି ରେଳବାଇର ଉଦାସୀନତା ରହୁଥିବା ଯୋଗୁଁ ଏକ ଟିମ୍ ରେଳବାଇର କର୍ତ୍ତୃକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ସମାଜକଲ୍ୟାଣ ବିକାଶ ପରିଷଦ ପରି ଏକ ସଂସ୍ଥା ରେଳ ବାଇ ଅଧିକାରୀ ଖଗେନ୍ଦ୍ରନାଥ ମଣ୍ଡଳଙ୍କ ସହ ଆଲୋଚନା କରି ଖଡଗପୁର-ଭେଲୁପୁରମ୍ ଏକ୍ସପ୍ରେସ୍ ଟ୍ରେନ୍‌ଟି ବେଲଦାପରି ଏକ ଛୋଟ ଷ୍ଟେସନରେ ଅଟକୁଥିବା ବେଳେ ଜଳେଶ୍ୱରରେ ରହୁନଥିବାରୁ କ୍ଷୋଭ ପ୍ରକାଶ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବେଲଦା ରେଳ ଷ୍ଟେସନରୁ ବାର୍ଷିକ ୪ କୋଟି ରାଜସ୍ୱ ମିଳୁଥିବା ବେଳେ ସେହି ଷ୍ଟେସନ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅଧିକ ଜନସଂଖ୍ୟା ଯାତାୟାତ କରୁଥିବା ତଥା ଏଠାରେ ପର୍ଯ୍ୟଟନ କ୍ଷେତ୍ର ରହିଥିବାରୁ ଉକ୍ତ ଏକ୍ସପ୍ରେସ୍ ଟ୍ରେନ୍ ଜଳେଶ୍ୱରରେ ରହଣୀ ପାଇଁ ସଂସ୍ଥାର ସଂପାଦକ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ଶିକ୍ଷକ ନେତା ଡ. ଅଜିତ୍ କୁମାର ମହାନ୍ତି ଓ ଶଶାଂକ ଶେଖର ମହାନ୍ତି, ସଂସ୍ଥାର ବରିଷ୍ଠ ସଦସ୍ୟ ଶରତ କୁମାର ପରିଡା, ସୁକୁମାର ରଣା, ଭୁପତି ପରିଡା, ରବିନାରାୟଣ ପାତ୍ର ଓ ଅବନୀ ଚାନ୍ଦ ପ୍ରମୁଖ ଖଡଗପୁରର ଡିଆର୍‌ଏମ୍ ଓ ରେଳବାଇ ବୋର୍ଡର ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା