କ୍ୟାଡର ରୁଲ ପ୍ରଣୟନ ନ ହେଲେ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅଚଳ ସହ ଆନ୍ଦୋଳନର ଚେତାବନୀ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଆଇ.ଆର.ସି ଭିଲେଜ ସ୍ଥିତ ସରକାରୀ ବିଦ୍ୟାଳୟରେ ଓଡିଶା ଶିକ୍ଷା ସେବା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୭୧ ମସିହାରୁ ପ୍ରଣୟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଅଦ୍ୟାବଧି ଶିକ୍ଷା ସେବା ଅଧିକାରୀଙ୍କ ପାଇଁ ଏକ କ୍ୟାଡର ରୁଲ ପ୍ରଣୟନ କରି ନାହାନ୍ତି । ଫଳରେ ଶିକ୍ଷା ସେବା ଅଧିକାରୀମାନେ ଉପଯୁକ୍ତ ପ୍ରମୋଶନ ଓ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏପରିକି କେତେକ ଶିକ୍ଷା ସେବା ଅଧିକାରୀ ବିନା ପ୍ରମୋଶନରେ ଅବସର ନେଉଛନ୍ତି । ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ଆଧିକର ଅଧିନିୟମ, ସର୍ବ ଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିଖା ଅଭିଯାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ଅଭିଯାନ, ମଧ୍ୟାନ୍ନ ଭୋଜନ ପରିଚାଳନା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ସ୍କୁଲ ଶିକ୍ଷା ସହ ଯୁକ୍ତ ୨ ମିଶ୍ରଣ ଆଦି ବ୍ୟାପକ କାର୍ଯ୍ୟକ୍ରମରେ ଶିକ୍ଷା ସେବା ଅଧିକାରୀମାନଙ୍କର କାର୍ଯ୍ୟ ପରିସର ବହୁମାତ୍ରାରେ ବଢି ଯାଇଥିବା ବେଳେ ସରକାର ସେମାନଙ୍କର କ୍ୟାଡର ପୁନର୍ବିନ୍ୟାସ ଓ କ୍ୟାଡର ରୁଲ ଗଠନ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ କରି ନାହାନ୍ତି । ଏ ସମ୍ପର୍କରେ ଓ.ଇ.ଏସ. ସେବା ଅଧିକାରୀଙ୍କ ସହ ଗତ ୫ ବର୍ଷ ଧରି ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାବତ ସୁଫଳ ମିଳିନାହିଁ । ସରକାର ଅଧିକାଂଶ ବିଭାଗର କ୍ୟାଡର ପୁନର୍ବିନ୍ୟାସ କରୁଥିବା ବେଳେ ରାଜ୍ୟର ୨.୫ ଲକ୍ଷ ଶିକ୍ଷକ ଓ ୬୬  ଲକ୍ଷ ପିଲାଙ୍କୁ ନେଇ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରୁଥିବା ଶିକ୍ଷା ସେବା ଅଧିକାରୀଙ୍କୁ ଅଣଦେଖା କରିଛନ୍ତି . ସର୍ବଶେଷ ତଥ୍ୟ ଅନୁଯାଇ ଗତ ୩୧ ମଇ ରୁ ୧୭ ମଇ ତାରିଖରେ ଉଭୟ ଅର୍ଥ ବିଭାଗ ଓ ବିଦ୍ୟାଳୟ ଗାନ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶିକ୍ଷା ସେବା ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କ୍ୟାଡର ପୁନର୍ଗଠନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ସରକାରଙ୍କ ଅନୁମୋଦନ ଲାଭ ନ କରି ଅର୍ଥ ବିଭାଗର ନାଲି ଫିତା ତଳେ ଚାପିହୋଇ ରହି ଯାଇଛି । ସେହିପରି ଜିଲ୍ଲା ଶିକ୍ଷା ତଥା ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ସରକାର ବିଭିନ୍ନ ପ୍ରକାର ଶିକ୍ଷା ଯୋଜନା ତଦାରଖ ଦାୟିତ୍ୱ ଦେଉଥିବାବେଳେ ସେମାନଙ୍କ ଯାତାୟାତ ପାଇଁ ଗାଡି ବ୍ୟବସ୍ଥା କରି ନାହାନ୍ତି, ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଶିକ୍ଷା ସେବା ଅଧିକାରୀ ମାନଙ୍କର କାର୍ଯ୍ୟ ଦାବି ପ୍ରତି ଦୃଷ୍ଟି ଦେଇ କ୍ୟାଡର ରୁଲ ପ୍ରଣୟନ କର ନ ଗଲେ ଓଡିଶା ଶିକ୍ଷା ସେବା ସଂଘ ରାସ୍ତାକୁ ଓହ୍ଲେଇବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଚଳା କରି ଦିଆଯିବ ବୋଲି ସଂଘର ସାଧାରଣ ସମ୍ପାଦକ ଡ଼.ସନାତନ ପଣ୍ଡା ସୂଚନା ଦେଇଛନ୍ତି । ସଂଘର ନିଷ୍ପତି ଅନୁଯାଇ ରାଜ୍ୟର ୩୦ ଟି ଜିଲ୍ଲାରେ ଓଡିଶା ଶିକ୍ଷା ସେବା ସଂଘର ସଭ୍ୟମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ତାଙ୍କର ଦାବି ଜଣାଇ ଆସନ୍ତା ସପ୍ତାହରୁ ଆନ୍ଦୋଳନ କରିବେ ବୋଲି କୁହାଯାଇଛି । ଏହି ବୈଠକରେ ସମସ୍ତ ବରିଷ୍ଠ ସଦସ୍ୟ ସମେତ ଶତାଧିକ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା