କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବୀରେ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବୀରେ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଚାଷୀ ଓ ଭାଗଚାଷୀମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ଜିଲ୍ଲା ସଂପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ କରାଯାଇଥିଲା । ଏହାସହ ଚାଷୀଙ୍କ ହିତ ନିମନ୍ତେ ୬ଦଫା ଦାବୀ ନେଇ ଏକ ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଉପଜିଲ୍ଲାପାଳଙ୍କ ଜରିଆରରେ ପ୍ରଦାନ କରାଯାଇଛି । ସେହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଓ ଭାଗଚାଷୀମାନେ ଉଭୟଙ୍କ ଫସଲ ଧାନ ଓ ପନି ପରିବା ବହୁ ପରିମାଣରେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଚଳିତ ବର୍ଷ ବହୁ ବିଳମ୍ବରେ ବର୍ଷା ହେବା ଯୋଗୁଁ ତଳି ପୋଡି ଚାଷୀଙ୍କ ଅନେକ ଜମି ଚାଷ ହୋଇ ପାରିନଥିବା ବେଳେ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍ଲ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି । ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଫସଲର ତୁରନ୍ତ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ, କ୍ଷତିପୂରଣ ଚାଷୀଙ୍କୁ ସମୟ ଉପଯୋଗୀ କରାଯାଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସେଚିତ ଜମି ପାଇଁ ଏକର ପୋଛା ୩୦ହଜାର ଟଙ୍କା ଏବଂ ଅଣ ଜଲସେଚିତ ଜମି ପାଇଁ ୨୦ହଜାର ଏବଂ ପରିବା ଚାଷ କରିଥିବା ଚାଷୀଙ୍କୁ ୫୦ହଜାର ଟଙ୍କା ପ୍ରଦାନ, ପ୍ରତି ଗ୍ରାମକୁ ୟୁନିଟ୍ ଭାବେ ଗ୍ରହଣ କରାଯାଇ କ୍ଷୟକ୍ଷତି ଆକଳନ ସହ କ୍ଷତିପୁରଣ ପ୍ରଦାନ, ଧାନ କୁଇଣ୍ଟାଲ ପିଛା ସହାୟତା ମୂଲ୍ୟ (ଏମଏସପି) ୩ହଜାର ଟଙ୍କା କରିବା, କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ଧାନ ସିଧାସଳଖ ସରକାରୀ ମଣ୍ଡି କିଣିବା ସଂଗେ ସଂଗେ ଏଫଏକ୍ୟୁ ମାନର ଅନ୍ତର୍ଭୁକ୍ତ ନକରି ଗ୍ରେଡ ୱାଡରର ସରକାରୀ ମୂଲ୍ୟ ଦିଆଯାଉ, କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ କରିବା ସହ ବୀମା ଭୂକ୍ତ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କ ବୀମା ରାଶି ପ୍ରଦାନ କରିବା, ଆଗାମୀ ରବି ଫସଲ ନିମନ୍ତେ ମାଗଣାରେ ଚାଷୀଙ୍କୁ ବୀହନ, ସାର ଓ କୀଟନାଶକ ଔଷଧ ପ୍ରଦାନ କରିବା, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ୬୦ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପେନସନ ପ୍ରଦାନ କରାଯାଉ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଗଞ୍ଜାମ ଜୋନାଲ ସହ-ସଂପାଦକ ପୂର୍ଣ୍ଣ ରଥ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ସରସ୍ୱତୀ ପ୍ରଧାନ, ଦଣ୍ଡପାଣି ନାହାକ, ରାଜେନ୍ଦ୍ର ନାହାକ, ପ୍ରଫୁଲ କୁମାର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ରଗୈାଡ, ସିଏଚ. ସତ୍ୟନାରୟାଣ ରେଡ୍ଡୀ,କବିରାଜ ନାହାକ, ସନିଆ ନାହାକ, ସାମ୍ବାରିଆ ପ୍ରଧାନ, ନବିନ ଗୈାଡ, ନରସିଂହ ପଣ୍ଡାଙ୍କ ସମେତ ବହୁ ଚାଷୀ ଓ ଭାଗଚାଷୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା