କ୍ରୀଡ଼ାକୁ ପ୍ରାଧାନ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗତ ଏକ ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକ ଭାବେ ଓଡ଼ିଶା ନିଜକୁ ସ୍ଥାନିତ କରିପାରିଛି। ଭୁବନେଶ୍ୱର ଠାରେ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ପ୍ରତିଯୋଗିତା, ହକି ବିଶ୍ୱ ଲିଗ ଫାଇନାଲ, ଅନ୍ତର୍ଜାତୀୟ ଟେନିସ ମହାସଂଘ ଜୁନିୟର ଗ୍ରୁପ ଟୁର୍ଣ୍ଣାମେଣ୍ଟ ଏବଂ ଜାତୀୟ ସୁପର କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ଏବେ ଓଡ଼ିଶା ପୁରୁଷ ବିଶ୍ୱକପ ହକିର ଆୟୋଜକ ହୋଇଛି। ଓଡ଼ିଶାରେ ହକିର ଲୋକପ୍ରିୟତା ଓ ବିଶେଷ କରି ଜନଜାତି ଅଞ୍ଚଳରେ ଏହା ଜୀବନ ପ୍ରବାହର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଜାତୀୟ ଖେଳ ପ୍ରତି ରାଜ୍ୟବାସୀଙ୍କ ଅମାପ ଭଲ ପାଇବାକୁ ସମ୍ମାନ ଜଣାଇ ଓଡ଼ିଶା ସରକାର ୫ ବର୍ଷ ପାଇଁ ଉଭୟ ମହିଳା ଓ ପୁରୁଷ ଜାତୀୟ ହକି ଦଳର ପ୍ରାୟୋଜକ ହୋଇଛି। ସରକାରଙ୍କର ଏହି ନିଷ୍ପତ୍ତି ଦେଶ ପାଇଁ ଓଡ଼ିଶାର ଉପହାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ସହ ଉନ୍ନତମାନର ପ୍ରଶିକ୍ଷଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣୁଥିବା ପଦକ ବିଜେତାଙ୍କୁ ରାଜ୍ୟ ସରକାର ଯୋଗ୍ୟତା ଭିତ୍ତିରେ ସରକାରୀ ଚାକିରି ପ୍ରଦାନ ସହ ପର୍ଯ୍ୟାପ୍ତ ଆର୍ଥିକ ପୁରସ୍କାର ଯୋଗାଇ ଦେଇଛନ୍ତି। ଏସବୁକୁ ପର୍ଯ୍ୟାଲୋଚନା କଲେ ସରକାରଙ୍କର କ୍ରୀଡ଼ାନୁରକ୍ତିି ବାରି ହୋଇ ପଡୁଛି। କ୍ରୀଡ଼ା ଭଳି ଏକ ଅଣ ରାଜନୈତିକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଓ ପ୍ରତ୍ୟକ୍ଷ ସଂପୃକ୍ତି କ୍ରୀଡ଼ା ସଂଗଠକ, କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରଶଂସକଙ୍କ ଭଳି ବୃହତ ଓ କ୍ରମବର୍ଦ୍ଧିଷ୍ଣୁ କ୍ଷେତ୍ର ଉପରେ ଏକ ସୁଦୂର ପ୍ରସାରୀ ପ୍ରଭାବ ପରିଲକ୍ଷିତ ହେଉଛି।
ସାଧାରଣରେ କ୍ରୀଡ଼ା ଏକ ନିର୍ବିବାଦୀୟ ଓ ଅଣ ରାଜନୈତିକ ପୃଷ୍ଠଭୂମି ହୋଇଥିଲେ ମଧ୍ୟ କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠକମାନଙ୍କର ମତାମତ ସେମାନଙ୍କ ମହଲରେ ବେଶ ପ୍ରଭାବଶାଳୀ ହୋଇଥାଏ। ରାଜନୈତିକ ସମୀକ୍ଷକଙ୍କ ମତରେ ଏଭଳି ଏକ ‘କ୍ଷେତ୍ର’ରେ ନିର୍ବିବାଦୀୟ ଭାବେ ଲୋକଙ୍କ ସହ ଯୋଡ଼ିହୋଇ ନବୀନ ନିଜ ଭାବମୂର୍ତ୍ତିକୁ ଅଧିକ ରୁଦ୍ଧିମନ୍ତ କରିପାରିଛନ୍ତି। କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ନବୀନ ଦଳ ମତ ନିର୍ବିଶେଷରେ ରାଜନୀତିରୁ ଊର୍ଦ୍ଧ୍ବରେ ବୋଲି ପରିଚୟ ଦେବାକୁ ପ୍ରୟାସ କରିଛନ୍ତି। ୨୦୧୯ ନିର୍ବାଚନ ଦୃଶ୍ୟପଟ୍ଟରେ ସବୁ ପ୍ରସଙ୍ଗ ସତ୍ତ୍ବେ ନବୀନଙ୍କ ଭାବମୂର୍ତ୍ତି ଏକକ ଭାବେ ମହତ୍ତ୍ୱ ରଖୁଛି। ଏଥିସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ନେଇ ନବୀନଙ୍କ ରାଜନୈତିକ ଦୃଷ୍ଟିଭଙ୍ଗି ସ୍ପଷ୍ଟ ହୋଇଛି।