କୋଭିଡ୍ ଟୀକାକରଣ ପ୍ରକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ ୧୯ ମହାମାରୀ ସମଗ୍ର ବିଶ୍ୱରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିକାଶର ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୫୦ ଟୀକା ସହିତ, ସମ୍ଭବତଃ କୋଭିଡ୍ ୧୯ ବିରୁଦ୍ଧରେ ଏକ ଟୀକା ଆମ ଦେଶର ନାଗରୀକଙ୍କ ସୁରକ୍ଷା ପାଇଁ ସର୍ବ ପ୍ରଥମ ହସ୍ତଗତ ହେବ । କୋଭିଡ୍ ୧୯ ପାଇଁ ଟୀକାକରଣ ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପରାମର୍ଶ ଅନୁଯାୟୀ, ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଟୀକାକୁ ପ୍ରାଥମିକତା ଦିଆଯିବ ଏବଂ ପରେ ଅନ୍ୟ ଆଗଧାଡିରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବୟସ୍କ ବର୍ଗଙ୍କୁ ଟୀକା ଦିଆଯିବ । ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପରିଚାଳନା କମିଟି, ରାଜ୍ୟ ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇ କୋଭିଡ୍ ଟୀକାକରଣ, କୋଭିଡ୍ ଟୀକାକରଣ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକଳାପର ଯୋଜନା ତଥା କାର୍ଯ୍ୟକାରୀତା ତଥା କୋଭିଡ୍ ଟୀକା କରଣର ସମଗ୍ର ପ୍ରକ୍ରିୟାର ସାମଗ୍ରୀକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ସପ୍ତାହକ ମଧ୍ୟରେ ବ୍ଲକ୍ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟୀକା ପରିଚାଳନାଗତ ଯୋଜନା ପାଇଁ ଏବଂ ପ୍ରସ୍ତୁତି କୁ ଆହୁରି ବିକେନ୍ଦ୍ରୀ କରଣ କରିବା ଉଦ୍ଦେଶ୍ୟରେ ବିଡିଓଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟୀକା ପ୍ରବର୍ତ୍ତନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ରହିବେ, ସି.ଏଚ୍.ସି.ର ସ୍ୱାସ୍ଥ୍ୟ ଅଧିକାରୀ କନଭେନିୟର୍ ରହିବେ । ସଭ୍ୟଭାବେ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ବ୍ଲକ୍ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଯୁବ ଅନୁଷ୍ଠାନର ପ୍ରତିନିଧି, ଏନ୍.ସି.ସି, ନେହେରୁ ଯୁବକେନ୍ଦ୍ର, ଏନ୍.ଏସ୍.ଏସ୍. ର ସଭ୍ୟ ଜଣେ ଜଣେ ରହିବେ । ଦ୍ଵିତୀୟତଃ ଉନ୍ନୟନ ପାର୍ଟନର୍ ଭାବେ WHO, UNICEF, Other Partners, Community Based Organizations, Rotary International, Lions Club etc ଜଣେ ଜଣେ ସଭ୍ୟ ରହିବେ । ତତ୍ ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ୱାରା ଖାତିର୍ କରୁଥିବା ଜଣେ ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନର ଜଣେ ପ୍ରତିନିଧି ସଭ୍ୟ ଭାବେ ଉକ୍ତ କମିଟିରେ ରହିପାରିବେ । ଏହାକୁ ପରିଚାଳନା କରିବା ନିମନ୍ତେ କୋଭିନ୍ ସଫ୍ଟଓୟାର୍ ପ୍ରସ୍ତୁତ କରି ଡାଟା ବେସ୍ ପ୍ରସ୍ତୁତ କରିବା, ପ୍ରଶିକ୍ଷଣ ଦିଆଯିବା, ସଚେତନତା ଓ ପ୍ରସାର ପ୍ରଚାର କାର୍ଯ୍ୟକୁ ଯୋରଦାର କରିବା ଓ ଏହାର ପରିଚାଳନାକୁ ସୁଦୃଢ କରିବା ନେଇ ଜିଲ୍ଲାପାଳ ଯୋର ଦେଇଥିଲେ । ଟୀକା ଆସିବା ଠାରୁ ହିତାଧିକାରୀ ମାନଙ୍କ ଠାରେ ଏହା ପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ । କୋଲ୍ଡ ଷ୍ଟୋରେଜ୍ ବାହାନ ଗୁଡିକ ଚିହ୍ନଟ କରି ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥାକୁ ପୂର୍ବ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଟୀକା ପରିଚାଳନା ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ମଧ୍ୟ ସଜାଗ ରହିବାକୁ ଜିଲ୍ଲାପାଳ ଅବଗତ କରାଇ ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ମାନଙ୍କର ଭୂମିକା ଗୁରୁତ୍ବ ଥିବା ଅବଗତ କରାଇଥିଲେ । ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଦୁଇରୁ ଦଶ ଜଣଙ୍କ ମଧ୍ୟରେ ସଂକ୍ରମଣ ସଂଖ୍ୟା ରହିଛି । କୋଭି଼ଡ୍ ପରିଚାଳନାରେ ଉତ୍ତମ କାର୍ଯ୍ୟରେ ସମସ୍ତ ଅଧିକାରୀ ସାମିଲ ଥିବା ହେତୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା କଥା ଜିଲ୍ଲାପାଲ ବ୍ୟକ୍ତ କରିଥିଲେ । ଓଡିଶାରେ ଗଞ୍ଜାମର ପରିଚାଳନା କମିଟି ଯେମିତି ଭଲ ହେବ ସେ ଦିଗରେ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ ବୋଲି ଜିଲ୍ଲା ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା