କେନ୍ଦୁଝର ଜିଲ୍ଲାକୁ ଲୁଟ୍ କରୁଛି ତାମିଲନାଡ଼ୁ କଳାପାହାଡ଼ ଓ ପିପିପି କମ୍ପାନୀ-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦୁଝର(ସମୃଦ୍ଧ ଓଡ଼ିଶା)ସବୁଠୁ ଧନୀ ଜିଲ୍ଲା କେନ୍ଦୁଝରକୁ ଏବେ ପିପିପି କମ୍ପାନୀ ଲୁଟ୍ କରୁଛନ୍ତି। ତାମିଲନାଡୁରୁ ଜଣେ କଳାପାହାଡ଼ ଆସିଥିବାବେଳେ ଆଉଜଣେ ତୃତୀୟ ମହଲାର ବଡ଼ ଗୁମାସ୍ତା ଓ ଅନ୍ୟଜଣେ ଅଘୋଷିତ ଭାବେ କେନ୍ଦୁଝର ଜିଲ୍ଲାର ମାଲିକ ପାଲଟିଛନ୍ତି। ଏମାନଙ୍କୁ ବାହାର କରାଯିବା ଦରକାର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଆଜି କେନ୍ଦୁଝରର ତେଲକୋଇଠାରେ ଅନୁଷ୍ଠିତ ‘ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦୁଝରରେ ଏତେ ପଇସା ଅଛି ଯେଉଁଥିରେ ୧୦-୧୦ଟି ମେଡିକାଲ କଲେଜ ଚାଲିପାରିବ। କିନ୍ତୁ ଦୁଃଖର କଥା କେନ୍ଦୁଝର ଜିଲାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଭାରତବର୍ଷର ଏହି ସବୁଠୁ ଧନୀ ଜିଲ୍ଲାରେ ୧୪୧ ଡାକ୍ତରୀ ପଦବୀ ଖାଲି ପଡିଛି। ୧୯ ବର୍ଷର ଦମ୍ଭ ମାରୁଥିବା ରାଜ୍ୟ ସରକାରକୁ ଏଥିପାଇଁ ଜବାବ ମାଗିବାର ସମୟ ଆସି ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏ ସ୍ଵର୍ଣ୍ଣଗର୍ଭା କେନ୍ଦୁଝର ମାଟି କେବଳ ଗୋଟିଏ ଭୂଖଣ୍ଡ ନୁହେଁ ଆଧୁନିକ ସମୟର ଗୋଟେ ଜିଲ୍ଲା ନୁହେଁ, ଓଡ଼ିଆ ମୂଳ ଜନଜୀବନର ଆଦ୍ୟ କେନ୍ଦ୍ର। ମା’ ତାରିଣୀଙ୍କ ପୀଠର ଅଞ୍ଚଳ। ଅତୀତରେ କେନ୍ଦୁଝର ଜିଲ୍ଲା ଦିଲ୍ଲୀ ଓ ଭୁବନେଶ୍ୱରର ସରକାର ଏବଂ ବଡ଼ବଡ଼ିଆଙ୍କ ପକେଟ ଭରୁଥିଲା। କିନ୍ତୁ ଏ ଜିଲ୍ଲା ନିଜ ପକେଟ୍ ଖାଲି ହେବାପରେ ଆଜି ବିକାଶ ଖୋଜୁଛି। କେବଳ ଜିଲ୍ଲାକୁ ଲୁଟିବା ପାଇଁ ବିକାଶ କଥା ପ୍ରତି ରାଜ୍ୟ ସରକାର ଆଖିବୁଜି ଦେଇଛନ୍ତି ।ସାମାକୋଇ ନଦୀର ବାଲିଘାଟରୁ ତହସିଲର ବିନା ଅନୁମତିରେ ବାଲି ନେଇହେଉନି। ତାହାଲେ କେନ୍ଦୁଝର ଜିଲ୍ଲାର ଲୁହାପଥର ଓ ମାଙ୍ଗାନିଜକୁ କେଉଁ ହିସାବରେ ବିକ୍ରି କରାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା ପରେ ନିୟମକୁ ପରିବର୍ତ୍ତନ କରାଗଲା। ମୋଦି ନିୟମ କଲେ ଏହି ଟଙ୍କା ବାହାରକୁ ଯାଇପାରିବ ନାହିଁ। ଏହି ଟଙ୍କା ଜିଲ୍ଲାର ସ୍ୱାସ୍ଥ୍ୟ, ରୋଜଗାର, ପାଠପଢ଼ା, ପିଇବା ପାଣି, ଘର ନିର୍ମାଣ ଓ ବିକାଶରେ ଏହି ଖର୍ଚ ହେବ। ତୋଲକୋଇ ଅଂଚଳରେ ପାଇପ ଯୋଗେ ପିଇବା ପାଣି ଆସିନାହିଁ। କେନ୍ଦୁଝରରେ ପଇସା ଥିବାବେଳେ ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ ବାହାଘର ବେଳେ ବାଇଗଣ ରୋଇବି। ନିର୍ବାଚନର ୧୦୦ ଦିନ ଥିଲା ବେଳେ ଏବେ ଘରକୁ ପିଇବା ପାଣି କଥା ସରକାରଙ୍କ ମନେ ପଡ଼ିଲା। ବର୍ଷା ହେଲେ ଏ ଅଞ୍ଚଳର ପିଲାମାନେ ଡାଇରିଆ ରୋଗରେ ପଡ଼ନ୍ତି। ଯେଉଁ ଜିଲ୍ଲାରେ ଡାଇରିଆ, ମ୍ୟାଲେରିଆ ଭରପୁର ସେଠାରେ ରାଜ୍ୟ ସରକାର ମୁନ୍ଦେ ପାଣି ଯୋଗାଇ ପାରୁନାହାନ୍ତି। ଏ ଅଂଚଳରେ ୨୪ ଘଣ୍ଟା ବିଜୁଳି ନାହିଁ। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଭାରତ ସରକାରଙ୍କ ପଇସା ଖର୍ଚ୍ଚ କରି ୪ କୋଟି ଲୋକଙ୍କ ଘରେ ବିଜୁଳି ପହଞ୍ଚାଇବାର ବ୍ୟବସ୍ଥା କଲେ। କେନ୍ଦୁଝର ଜିଲ୍ଲାରେ ୧ ଲକ୍ଷରୁ ୬୦ ହଜାର ଘରକୁ ବର୍ଷକ ଭିତରେ ବିଜୁଳି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଅଧିକା ଲାଭାର୍ଥୀ ହେଉଛନ୍ତି ଆଦିବାସୀ।ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି ଲାଭାର୍ଥୀ ଜିଲ୍ଲାର ସାଢେ ୪ ଲକ୍ଷ ଘରୁ ପାଖାପାଖି ୬୦ ହଜାର ଘରେ ବିଜୁଳି ଲାଗିଛି।

ତେଣୁ ଏହି ଅଞ୍ଚଳ ସମସ୍ୟାରେ ବୁଡ଼ି ରହିଥିବା ବେଳେ ଜିଲାର ବିକାଶ ଉପରେ ଆଖି ବନ୍ଦ କରିଦେଇଥିବା ୧୯ ବର୍ଷର ସରକାରକୁ ଜବାବ ମାଗିବାର ସମୟ ଆସିଛି। ତେଣୁ ୯୫୫୫୨୨୭୨୨୭ କୁ କଲ କରି ଜବାବ୍ ମାଗୁଛି ଓଡ଼ିଶା ଅଭିଯାନରେ ସାମିଲ ହେବାପାଇଁ ଶ୍ରୀ ପ୍ରଧାନ ସାଧାରଣ ଲୋକଙ୍କୁ ଆହ୍ୱାନ କରିଥିଲେ।