କୃଷି ଓ କୃଷକ ପ୍ରସଙ୍ଗରେ ବିଜେଡି ମତ ସ୍ପଷ୍ଟ କରୁ : ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱାମିନାଥନ କମିସନ ସୁପାରିଶ ଲାଗୁ କରାଯିବା ନେଇ ଗତ ୬ ମାସରୁ ଉର୍ଦ୍ଦ୍ବ ସମୟ ଧରି ଦେଶର ଅନ୍ନଦାତା ମାନେ ଆନ୍ଦୋଳନ ଚଳାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କୃଷକମାନଙ୍କର ସମସ୍ୟା ନେଇ ମୁହଁ ନ ଖୋଲି ସମ୍ପୂର୍ଣ୍ଣ ଚୁପ ରହିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ କହିଛନ୍ତି ଗତ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜୁ ଜନତା ଦଳ ନିଜର ନିର୍ବାଚନୀ ଇସ୍ତାହାରରେ କୃଷକମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରିତିଶ୍ରୁତି ଦେଇଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବ ନିଦ୍ଦିଷ୍ଟ ଭାବେ ଇସ୍ତାହାରରେ ଉଲ୍ଲେଖ ଥିଲା । ଏହାସହ ନିର୍ବାଚନ ପୂର୍ବରୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ଭାବେ ନେଇ ବେଶ ତୁମ୍ବିତୋଫାନ କରିଥିଲା । କିନ୍ତୁ ସରଳ ଓଡିଶାବାସୀଙ୍କ ବିଶ୍ୱାସ ଜିତିବା ପରେ ବିଜେଡି ସେମାନଙ୍କୁ ଧୋକ୍କା ଦେଇଛି ବୋଲି ମଧ୍ୟ ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି । କୃଷି ଓ କୃଷକ ମାନଙ୍କ ପ୍ରସଙ୍ଗରେ ଦେଶରେ କଂଗ୍ରେସ ଦଳ ସମେତ ୧୨ଟି ପ୍ରମୁଖ ରାଜନୈତିକ ଦଳ ଆସନ୍ତା ମଇ ୨୬ ତାରିଖ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ପ୍ରତିବାଦକୁ ସମର୍ଥନ ଦେଉଥିବା ବେଳେ ବିଜେଡି ଏହା ଠାରୁ ଦୂରେଇ ରହିଛି । ଖାଲି ସେତିକି ନୁହଁ ଗତ ମଇ ୧୨ ତାରିଖରେ ବି ଏହି ରାଜନୈତିକ ଦଳମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ ।ସେତେବେଳେ ମଧ୍ୟ ବିଜେଡି ଏହା ଠାରୁ ଦୂରେଇ ରହିଥିଲା, ଯାହା ଏବେ ବିଜେଡିର ନୈତିକତା ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ନାଇଡୁ କ୍ଷୋଭର ସହ କହିଛନ୍ତି । ରାଜ୍ୟର କୃଷି କ୍ଷେତ୍ରକୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଶେଷ ଅବଦାନ ଥିବା ବେଳେ ଏ ଦୁଇ ଜିଲ୍ଲାର କୃଷକ ବେଶ ଦୟନୀୟ ଅବସ୍ଥାରେ ଅଛନ୍ତି । ଗଞ୍ଜାମର ଧାନ ଚାଷୀ ଓ ଗଜପତି ଜିଲ୍ଲାର ମକା ଚାଷୀ ସବୁବେଳେ କ୍ଷତି ସହି ଆସୁଛନ୍ତି । ସରକାରୀ ଧାର୍ଯ୍ୟ ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ୧୮୬୮ ଓ ମକାର ମୂଲ୍ୟ ୧୮୫୦ ରହିଥିବା ବେଳେ ଚାଷୀ ପ୍ରଚୁର କ୍ଷତି ସହୁଛି । ଏପରିକି ସମୟେ ସମୟେ ଏହା ଠାରୁ ଢେର କମ ଦାମରେ ବି ଚାଷୀ ନିଜର ଶସ୍ୟ ବିକ୍ରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ନିଜର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ନାଇଡୁ ଦାବୀ କରିବା ସହ ଆସନ୍ତା ମଇ ୨୬ କୃଷକମାନଙ୍କ ପ୍ରତିବାଦ ଦିବସକୁ ସମର୍ଥନ ଜଣାଇବାକୁ ସେ ଜନସାାଧାରଣଙ୍କୁ ନିବେଦନ କରିଛନ୍ତି ବୋଲି ଶ୍ରୀ ଜଣାଇଛନ୍ତି ।