କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍‌ର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ ସହିତ ଋଣ ଭାର ଯୋଗୁଁ ମାନସିକ ଅଶାନ୍ତିରେ ଥିବା ଚାଷୀଜଣକ ଗତକାଲି ରାତିରେ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସକାଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମାନେଶ୍ୱର ବ୍ଲକ୍‌ ତବଲା ପଞ୍ଚାୟତର ଖୁଲିଆ ଗ୍ରାମର ଚାଷୀ ଲଳିତ ବାରିକ( ୬୦ ବର୍ଷ)। ତାଙ୍କର ନିଜସ୍ୱ ୧୦ ଏକର ଜମି ଥିବାବେଳେ ସେ ପ୍ରାୟ ଅନ୍ୟ ୨୫ ଏକର ଜମି ଭାଗକୁ ଆଣି ଚାଷ କରିଥାନ୍ତି। ତେବେ ଗତ ଖରିଫ ଫସଲ ଚକଡ଼ାପୋକ ଲାଗି ନଷ୍ଟ ହେବା ପରେ ଶ୍ରୀ ବାରିକ ଡାଳୁଅ ଚାଷକୁ ଭରସା କରିଥିଲେ। ମାତ୍ର ବର୍ଷା ଯୋଗୁଁ ଡାଳୁଅ ଫସଲ ନଷ୍ଟ ହୋଇଯିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଶ୍ରୀ ବାରିକ। ସେହିପରି ଉଭୟ ଖରିଫ ଓ ଡାଳୁଅ ଚାଷ ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କା ଋଣ କରିଥିବା ଶ୍ରୀବାରିକ ଗତ ଖରିଫ ଫସଲର ବୀମା ରାଶି କିମ୍ବା ଅନ୍ୟ କୌଣସି କ୍ଷତିପୂରଣ ପାଇ ନ ଥିଲେ। ତେଣୁ ଏହି ଭଳି ଆନସିକ ସ୍ଥିତିରେ ଥିବା ଶ୍ରୀ ବାରିକ ଋଣ ଶୁଝିବା ପାଇର୍ଁକୌଣସି ଉପାୟ ନ ପାଇ ଗତକାଲି ରାତିରେ କୀଟନାଶକ ଖାଇ ଦେଇଥିଲେ ବୋଲି ତାଙ୍କ ପୁଅ ସରୋଜ ବାରିକ ଅଭିଯୋଗ କରିଛନ୍ତି।