କାହିଁକି ହେଲେନି ବିଜୟ ମହାପାତ୍ର ବିଜେପି ରାଜ୍ୟ ସଭାପତି ? ଚାପା ଗୁଞ୍ଜରଣ ଆରମ୍ଭ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ବହୁ ବରିଷ୍ଠ ଆଶାୟୀ ନେତାଙ୍କୁ ଉପେକ୍ଷା କରି ବିଜେପି ସମୀର ମହାନ୍ତିଙ୍କୁ କରିଛି ରାଜ୍ୟ ସଭାପତି ଫଳରେ ବିଜେପି ଆଗାମୀ ଦିନରେ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ଆରମ୍ଭ ହୋଇଯାଇଛି । କୁହାଯାଉଛି ପୂର୍ବରୁ ଯୋଜନା ଅନୁଯାୟୀ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ସେ ଅବଶ୍ୟ ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ। ରାଜ୍ୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଲା ବେଳେ ଯୋଜନା ମୁତାବକ ସେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ଥିଲେ ତା’ପରଦିନ ଭୋଟ ଗ୍ରହଣ ହୋଇଥାନ୍ତା। ମାତ୍ର ଅନ୍ୟ କେହି ପ୍ରାର୍ଥୀ ହୋଇ ନ ଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା। ଫଳରେ ଅପ୍ରତିଦ୍ଵନ୍ଦୀ ଭାବେ ସମୀରଙ୍କ ନାମ ରାଜ୍ୟ ସଭାପତି ଭାବେ ଘୋଷଣା କରାଯାଇ ଥିଲା । ଏହି ପ୍ରକ୍ରିୟା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସଂଗଠନ ସମ୍ପାଦକ ସୌଦାନ ସିଂ, ରାଜୀବ ପ୍ରତାପ ରୁଡ଼ି, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ଓ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିବାର ସୂଚନା ମିଳିଛି।କିନ୍ତୁ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ସେଥିରେ ଉପସ୍ଥିତ ନ ଥିବା ନେଇ ରାଜ୍ୟରେ ପର୍ଯ୍ୟବେକ୍ଷକ ମହଲରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଯାଇଛି । ଚଳିତଥର ରାଜ୍ୟ ସଭାପତି ରେସରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ସମେତ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସି ଥିଲା। ବିଜୟ ମହାପାତ୍ର ସଭାପତି ଚୟନ ହୋଇଥିଲେ ବିଜେପି ପାଇଁ ଶୁଭଙ୍କର ହୋଇଥାନ୍ତା ବୋଲି ସବୁବେଳେ ଚର୍ଚ୍ଚା ହୋଇ ଆସୁ ଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆ ନ ଯିବା ଓ ତାଙ୍କ ଅନୁପସ୍ଥିତି ବିଜେପି ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା